Categories
ଆଜିର ଖବର ଜାତୀୟ ଖବର

ଗୋଆର ତଫସିଲଭୁକ୍ତ ଜନଜାତି ବର୍ଗଙ୍କ ପ୍ରତିନିଧିତ୍ୱ ସମାଯୋଜନ ପ୍ରବର୍ତ୍ତନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୋଆ ରାଜ୍ୟ ବିଧାନସଭା କ୍ଷେତ୍ର ବିଲ୍‌, ୨୦୨୪ରେ ତଫସିଲଭୁକ୍ତ ଜନଜାତି ବର୍ଗଙ୍କ ପ୍ରତିନିଧିତ୍ୱ ସମାଯୋଜନ ପ୍ରବର୍ତ୍ତନ ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରାଯାଇଛି । ଏହି ପ୍ରସ୍ତାବକୁ ସଂସଦରେ କେନ୍ଦ୍ର ଆଇନ ଏବଂ ବିଧି ମନ୍ତ୍ରଣାଳୟ ପକ୍ଷରୁ ପ୍ରବର୍ତ୍ତନ କରାଯାଇଥିଲା।

ଗୋଆ ରାଜ୍ୟରେ ତଫସିଲଭୁକ୍ତ ଜନଜାତି ବର୍ଗର ନାଗରିକମାନଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ନିମନ୍ତେ, ଏଭଳି ଏକ ଆଇନ ପ୍ରବର୍ତ୍ତନ ଆବଶ୍ୟକ ବୋଲି ଅନୁଭୂତ ହୋଇଥିଲା ଏବଂ ଏହି ଆଇନ ପ୍ରବର୍ତ୍ତନ ହେଲେ ଭାରତର ନିର୍ବାଚନ ଆୟୋଗ ସଂସଦୀୟ ଏବଂ ବିଧାନସଭା କ୍ଷେତ୍ର ପୁନଃନିର୍ଦ୍ଧାରଣ ଆଇନ, ୨୦୦୮ରେ ସଂଶୋଧନ ଘଟାଇ ତତ୍ ସଂକ୍ରାନ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସଶକ୍ତ ହୋଇପାରିବେ ଏବଂ ଗୋଆ ରାଜ୍ୟରେ ବିଧାନସଭା କ୍ଷେତ୍ରରେ ତଫସିଲଭୁକ୍ତ ଜନଜାତି ବର୍ଗଙ୍କ ପାଇଁ  ଆସନ ପୁନର୍ଗଠନ ନିମନ୍ତେ ଆବଶ୍ୟକ ପ୍ରାବଧାନ କରାଯାଇ ପାରିବ ।

ଏହି ପ୍ରସ୍ତାବିତ ବିଲ୍‌ର ପ୍ରମୁଖ ବୈଶିଷ୍ଟମାନ ନିମ୍ନରେ ପ୍ରଦାନ କରାଗଲା:-

(୧)୨୦୦୧ ମସିହାର ଜନଗଣନା ରିପୋର୍ଟ ଆଧାରରେ ତଫସିଲଭୁକ୍ତ ଜନଜାତି ଜନସଂଖ୍ୟା ମାତ୍ରାଘୋଷଣାକୁ ଆଧାର କରି  ଗୋଆ ରାଜ୍ୟରେ ତଫସିଲଭୁକ୍ତ ଜନଜାତିଙ୍କ ସଂଖ୍ୟାକୁ ଆକଳନ ଓ ସୁନିଶ୍ଚିତ କରିବା ନିମନ୍ତେ ଏହା ଜନଗଣନା ଆୟୋଗଙ୍କୁ ସକ୍ଷମ କରିବ । ଏହାର ଆଧାରରେ ଜନଗଣନା ଆୟୋଗ ଭାରତ ସରକାରଙ୍କ ରାଜପତ୍ରରେ ଆକଳିତ ଓ ନିରୂପିତ ତଥ୍ୟ ପ୍ରକାଶ ଆଧାରରେ ବିଭିନ୍ନ ଜନସଂଖ୍ୟାକୁ ବିଜ୍ଞପିତ କରିବେ ଏବଂ ଏହା ପରେ ସେହି ଜନସଂଖ୍ୟାକୁ ଚୂଡ଼ାନ୍ତ ବୋଲି ଗ୍ରହଣ କରାଯିବ ଏବଂ ତତ୍‌ପୂର୍ବରୁ ପ୍ରକାଶିତ ସମସ୍ତ ପରିସଂଖ୍ୟାନ ଉପରେ ଏହା ରହିବ । ଏହି ଆଧାରରେ ସମ୍ବିଧାନର ଧାରା ୩୩୨ରେ ଥିବା ପ୍ରାବଧାନ ଅନୁସାରେ ତଫସିଲଭୁକ୍ତ ଜନଜାତିଙ୍କ ନିମନ୍ତେ ଅନୁପାତିକ ପ୍ରତିିନିଧିତ୍ୱ ପ୍ରଦାନ କରାଯିବ;

(୨) ଏହା ନିର୍ବାଚନ ଆୟୋଗଙ୍କୁ ସଂସଦୀୟ ଏବଂ ବିଧାନସଭା କ୍ଷେତ୍ର ପୁନଃନିର୍ଦ୍ଧାରଣ ଆଦେଶନାମା, ୨୦୦୮ରେ ଆବଶ୍ୟକ ସଂଶୋଧନ ନିମନ୍ତେ କ୍ଷମତା ପ୍ରଦାନ କରିବ ଯାହାକି ଗୋଆ ବିଧାନସଭାରେ ତଫସିଲଭୁକ୍ତ ଜନଜାତି ବର୍ଗଙ୍କୁ ଉପଯୁକ୍ତ ଭାବେ ପ୍ରତିନିଧିତ୍ୱ ପ୍ରଦାନ କରିବା ନିମନ୍ତେ ବିଧାନସଭା କ୍ଷେତ୍ରକୁ ପୁନଃସମାଯୋଜନ କରିବାରେ ସହାୟକ ହେବ;

(୩) ନିର୍ବାଚନ ଆଳୟାଗ ତଫସିଲଭୁକ୍ତ ଜନଜାତି ବର୍ଗର ନାଗରିକଙ୍କ ସଂଶୋଧିତ ସଂଖ୍ୟକୁ ବିଚାରକୁ ନେବେ ଏବଂ ଭାରତ ସମ୍ବିଧାନର ଧାରା ୧୭୦ ଏବଂ ୩୩୨ରେ ଥିବା ପ୍ରାବଧାନ ଏବଂ ବିଧାନସଭା କ୍ଷେତ୍ର ପୁନଃନିର୍ଦ୍ଧାଣ ଆଇନ, ୨୦୦୨ର ଧାରା ୮ ଅନୁସାରେ  ବିଧାନସଭା କ୍ଷେତ୍ରର ପୁନଃନିର୍ଦ୍ଧାରଣ କରିବେ;

(୪) ବିଧାନସଭା କ୍ଷେତ୍ରର ପୁନଃନିର୍ଦ୍ଧାଣ ନିମନ୍ତେ ଭାରତର ନିର୍ବାଚନ ଆୟୋଗ ନିଜର ବିଧି ଅନୁସାରେ ସେହି କାର୍ଯ୍ୟ ସଂପାଦନ କରିବେ ଏବଂ ତାଙ୍କର କେତେକ ଦେୱାନୀ ଅଦାଲତ କ୍ଷମତା ରହିବ;

(୫) ଏହା ମଧ୍ୟ ଭାରତର ନିର୍ବାଚନ ଆୟୋଗଙ୍କୁ ନିର୍ବାଚନ ମଣ୍ଡଳୀ ପୁନଃନିର୍ଦ୍ଧାରଣ ଜନିତ ସଂଶୋଧନକୁ ରାଜପତ୍ରରେ ପ୍ରକାଶ କରିବା ଏବଂ ଏହା କେଉଁ ଦିନଠାରୁ ବଳବତ୍ତର ହେବ ସେଥି ନିମନ୍ତେ କ୍ଷମତା ପ୍ରଦାନ କରିବ;

(୬) ପ୍ରସ୍ତାବିତ ବିଲ୍ ଉଲ୍ଲିଖିତ ପୁନଃନିର୍ଦ୍ଧାରଣ ଆଦେଶନାମାରେ ଥିବା ତ୍ରୁଟିରେ ଆବଶ୍ୟକ ସଂଶୋଧନ କରିବା ସକାଶେ ଭାରତର ନିର୍ବାଚନ ଆୟୋଗଙ୍କୁ କ୍ଷମତା ପ୍ରଦାନ କରିବ ।

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୋଆ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୬, ୨୦୨୪ରେ ଗୋଆ ଗସ୍ତ କରିବେ । ସକାଳ ପ୍ରାୟ ୧୦.୩୦ ରେ ପ୍ରଧାନମନ୍ତ୍ରୀ ଓଏନଜିସି ସି ସର୍ଭାଇଭଲ ସେଣ୍ଟରକୁ ଉଦଘାଟନ କରିବେ । ସକାଳ ପ୍ରାୟ ୧୦ଟା ୪୫ରେ ସେ ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ କୁ ଉଦଘାଟନ କରିବେ । ଏହାପରେ ଅପରାହ୍ନ ପ୍ରାୟ ୨ଟା ୪୫ରେ ସେ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ଯୋଗଦେବେ।

ଭାରତ ଶକ୍ତି ସପ୍ତାହ ୨୦୨୪

ଶକ୍ତି ଆବଶ୍ୟକତା ରେ ଆତ୍ମନିର୍ଭରଶୀଳତା ହାସଲ କରିବା ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରମୁଖ ଧ୍ୟାନ କ୍ଷେତ୍ର ହୋଇଛି । ଏହି ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଆସନ୍ତା ଫେବ୍ରୁଆରି ୬ ରୁ ୯ ତାରିଖ ପର୍ଯ୍ୟନ୍ତ ଗୋଆରେ ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ ଅନୁଷ୍ଠିତ ହେବ। ଏହା ଭାରତର ସର୍ବବୃହତ ଏବଂ ଏକମାତ୍ର ଶକ୍ତି ପ୍ରଦର୍ଶନୀ ଏବଂ ସମ୍ମିଳନୀ ହେବ, ଯାହା ସମଗ୍ର ଶକ୍ତି ମୂଲ୍ୟ ଶୃଙ୍ଖଳାକୁ ଏକାଠି କରିବ ଏବଂ ଭାରତର ଶକ୍ତି ପରିବର୍ତ୍ତନ ଲକ୍ଷ୍ୟପାଇଁ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ । ପ୍ରଧାନମନ୍ତ୍ରୀ ଗ୍ଲୋବାଲ ତୈଳ ଓ ଗ୍ୟାସ ସିଇଓ ଏବଂ ବିଶେଷଜ୍ଞମାନଙ୍କ ସହ ଏକ ରାଉଣ୍ଡଟେବୁଲ ବୈଠକ କରିବେ ।

ଷ୍ଟାର୍ଟଅପ୍ ଗୁଡ଼ିକୁ ଉତ୍ସାହିତ କରିବା ଏବଂ ପ୍ରୋତ୍ସାହିତ କରିବା ତଥା ସେମାନଙ୍କୁ ଶକ୍ତି ମୂଲ୍ୟ ଶୃଙ୍ଖଳାରେ ସମନ୍ୱିତ କରିବା ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଫୋକସ୍ ହେବ । ଏଥିରେ ବିଭିନ୍ନ ଦେଶର ପ୍ରାୟ ୧୭ ଜଣ ଶକ୍ତିମନ୍ତ୍ରୀ, ୩୫,୦୦୦ ରୁ ଅଧିକ ଅଂଶଗ୍ରହଣକାରୀ ଏବଂ ୯୦୦ ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏଥିରେ କାନାଡା, ଜର୍ମାନୀ, ନେଦରଲାଣ୍ଡ, ରୁଷିଆ, ବ୍ରିଟେନ ଓ ଆମେରିକା ଭଳି ୬ ଟି ଦେଶର ଉତ୍ସର୍ଗୀକୃତ ପ୍ୟାଭିଲିୟନ ରହିବ। ଶକ୍ତି କ୍ଷେତ୍ରରେ ଭାରତୀୟ ଏମଏସଏମଇମାନେ ଯେଉଁ ଅଭିନବ ସମାଧାନ ର ନେତୃତ୍ବ ନେଉଛନ୍ତି ତାହା ପ୍ରଦର୍ଶନ କରିବା ପାଇଁ ଏକ ସ୍ବତନ୍ତ୍ର ମେକ୍ ଇନ୍ ଇଣ୍ଡିଆ ପ୍ୟାଭିଲିୟନ୍ ମଧ୍ୟ ଆୟୋଜନ କରାଯାଉଛି।

ବିକଶିତ ଭାରତ, ବିକଶିତ ଗୋଆ ୨୦୪୭

ପ୍ରଧାନମନ୍ତ୍ରୀ ଗୋଆରେ ସାର୍ବଜନୀନ କାର୍ଯ୍ୟକ୍ରମରେ ୧୩୩୦ କୋଟି ରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ଜାତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ଗୋଆର ସ୍ଥାୟୀ କ୍ୟାମ୍ପସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦଘାଟନ କରିବେ । ନବନିର୍ମିତ କ୍ୟାମ୍ପସରେ ଟ୍ୟୁଟୋରିଆଲ କମ୍ପ୍ଲେକ୍ସ, ବିଭାଗୀୟ କମ୍ପ୍ଲେକ୍ସ, ସେମିନାର କମ୍ପ୍ଲେକ୍ସ, ପ୍ରଶାସନିକ କମ୍ପ୍ଲେକ୍ସ, ହଷ୍ଟେଲ, ସ୍ୱାସ୍ଥ୍ୟକେନ୍ଦ୍ର, ଷ୍ଟାଫ୍ କ୍ୱାର୍ଟର୍ସ, ଆମେନିଟି ସେଣ୍ଟର, କ୍ରୀଡ଼ା ପଡ଼ିଆ ଓ ଅନ୍ୟାନ୍ୟ ସୁବିଧା ରହିଛି, ଯାହା ଦ୍ୱାରା ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ଆବଶ୍ୟକତା ପୂରଣ ହୋଇପାରିବ।

ପ୍ରଧାନମନ୍ତ୍ରୀ ଜାତୀୟ ଜଳସ୍ପୋର୍ଟସ ପ୍ରତିଷ୍ଠାନର ନୂତନ କ୍ୟାମ୍ପସକୁ ଲୋକାର୍ପଣ କରିବେ । ଏହି ଅନୁଷ୍ଠାନ ଉଭୟ ଜନସାଧାରଣ ଏବଂ ସଶସ୍ତ୍ର ବାହିନୀ ପାଇଁ ଜଳ ବନ୍ଦର ଏବଂ ଜଳ ଉଦ୍ଧାର କାର୍ଯ୍ୟର ବିକାଶ କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୮ଟି ଉପଯୁକ୍ତ ପାଠ୍ୟକ୍ରମ ଆରମ୍ଭ କରିବ । ପ୍ରଧାନମନ୍ତ୍ରୀ ଦକ୍ଷିଣ ଗୋଆରେ ଏକ ୧୦୦ ଟିପିଡି ସମନ୍ୱିତ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧାର ଉଦଘାଟନ କରିବେ । ଏହା ୬୦ଟି ଟିପିଡି ଓଦା ବର୍ଜ୍ୟବସ୍ତୁ ଏବଂ ୪୦ଟି ଟିପିଡି ଶୁଖିଲା ବର୍ଜ୍ୟବସ୍ତୁର ବୈଜ୍ଞାନିକ ବିଶୋଧନ ପାଇଁ ଡିଜାଇନ୍ କରାଯାଇଥିବା ବେଳେ ୫୦୦ କିଲୋୱାଟ୍ ସୌର ଶକ୍ତି ପ୍ଲାଣ୍ଟ ମଧ୍ୟ ରହିଛି ଯାହା ଅତିରିକ୍ତ ବିଦ୍ୟୁତ୍ ଉତ୍ପାଦନ କରେ ।

ପ୍ରଧାନମନ୍ତ୍ରୀ ପାନାଜୀ ଏବଂ ରେଇସ୍ ମାଗୋସକୁ ସଂଯୋଗ କରୁଥିବା ପର୍ଯ୍ୟଟନ କାର୍ଯ୍ୟକଳାପ ସହିତ ପାସେଞ୍ଜର ରୋପୱେ ର ଶିଳାନ୍ୟାସ କରିବେ । ଦକ୍ଷିଣ ଗୋଆରେ ୧୦୦ ଏମଏଲଡି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ମଧ୍ୟ ସେ ଶିଳାନ୍ୟାସ କରିବେ ।

ଏହାବ୍ୟତୀତ ରୋଜଗାର ମେଳା ଅଧୀନରେ ବିଭିନ୍ନ ବିଭାଗରେ ୧୯୩୦ ଜଣ ନୂତନ ସରକାରୀ କମର୍ଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ଅନୁମୋଦନ ପତ୍ର ପ୍ରଦାନ କରିବେ।

ଓଏନଜିସି ସି ସରଭାଇଭାଲ୍ ସେଣ୍ଟର

ଭାରତୀୟ ସମୁଦ୍ର ମଧ୍ୟରେ ଜୀବନ ଧାରଣ ପ୍ରଶିକ୍ଷଣ ଇକୋସିଷ୍ଟମକୁ ବିଶ୍ୱସ୍ତରୀୟ ମାନଦଣ୍ଡରେ ପହଞ୍ଚାଇବା ପାଇଁ ଓଏନଜିସି ସି ସର୍ଭାଇଭଲ ସେଣ୍ଟରକୁ ଏକ ପ୍ରକାର ସମନ୍ୱିତ ସମୁଦ୍ର ଜୀବନ ଧାରଣ ପ୍ରଶିକ୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯାଇଛି । ଏଥିରେ ବାର୍ଷିକ ୧୦ରୁ ୧୫ ହଜାର କର୍ମଚାରୀଙ୍କୁ ତାଲିମ ଦିଆଯିବ ବୋଲି ଆଶା କରାଯାଉଛି। ସିମୁଲେଟେଡ୍‌ ଏବଂ ନିୟନ୍ତ୍ରିତ କଠିନ ପାଣିପାଗ ପରିସ୍ଥିତିରେ ଅଭ୍ୟାସ ପ୍ରଶିକ୍ଷାର୍ଥୀମାନଙ୍କର ସମୁଦ୍ର ବଞ୍ଚିବା ଦକ୍ଷତା ବୃଦ୍ଧି କରିବ ଏବଂ ଏହିପରି ବାସ୍ତବ ଜୀବନ ବିପର୍ଯ୍ୟୟରୁ ସୁରକ୍ଷିତ ବଞ୍ଚିବାର ସମ୍ଭାବନା ବୃଦ୍ଧି କରିବ।

Categories
ଆଜିର ଖବର ଜାତୀୟ ଖବର

ଗୋଆରୁ ପ୍ରଥମ ମୁଣ୍ଡ ନେଲା କରୋନା

ଗୋଆ : ଗୋଆରେ କରୋନା ଯୋଗୁଁ  ପ୍ରଥମ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଗୋଆର ସ୍ବାସ୍ଥ୍ୟମନ୍ତ୍ରୀ  ବିଶ୍ବଜିତ୍‌ ରାଣେଙ୍କ ମତରେ 85 ବର୍ଷୀୟ ଜଣେ ବ୍ୟକ୍ତିଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । କୋଭିଡ -19 ଜନିତ ଏହା ହେଉଛି ଗୋଆର ପ୍ରଥମ ମୃତ୍ୟୁ । ଗୋଆରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା 683ରେ ପହଞ୍ଚିଛି । ମାର୍ଚ୍ଚ 25ରେ ଗୋଆରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏହା ପରେ ଗୋଆା ସର୍ବପ୍ରଥମେ କରୋନା ମୁକ୍ତ ରାଜ୍ୟ  ହୋଇଥିଲା ପରେ ପରେ ତେବେ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ପରେ ଏହି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 40 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 14 ହଜାର ପାର ହେଲାଣି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 4 ଲକ୍ଷ 40 ହଜାର 215 ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ 14 ହଜାର 011 ଜଣଙ୍କ ମୃତ୍ୟୁ ଘଟିଛି ।

Categories
ଆଞ୍ଚଳିକ

ନିଜ ଖର୍ଚ୍ଚରେ ଗୋଆରୁ ଫେରିଲେ ୪୧ ପ୍ରବାସୀ ଶ୍ରମିକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଅନେକ ଶ୍ରମିକ ବିଭିନ୍ନ ରାଜ୍ୟରୁ ଫେରୁଥିବା ବେଳେ ଗୋଆରୁ ନିଜ ଖର୍ଚ୍ଚରେ ୪୧ ଜଣ ଶ୍ରମିକ କଳାହାଣ୍ଡିରୁ ଫେରିଥିବା ଜଣାପଡିଛି । ଗୋଆରୁ ୨ଲକ୍ଷ ୪୭ ହଜାର ଟଙ୍କା ଖର୍ଚ୍ଚ କରି ଗୋଆର ଏକ ଟ୍ରାଭେଲ ଏଜ ଏଜେନ୍ସିରୁ ଏକ ବସ ଯୋଗେ ଗୋଆରୁ ୪ତାରିଖ ସକାଳେ ଧର୍ମଗଡ ପହଂଚିଛନ୍ତି । ଧର୍ମଗଡ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଶ୍ରମିକ ମାନଙ୍କୁ ପର୍ଲାସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖାଯାଇଛି । ଉକ୍ତ ଶ୍ରମିକ ମାନେ ଓଡିଶା ଫେରିବା ପାଇଁ ଅନଲାଇନରେ ଆବେଦନ କରିଥିଲେ । ସେମାନଙ୍କୁ ଫେରିବା ପାଇଁ ସରକାରୀ ସ୍ତରରେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନଥିବାରୁ ସେମାନେ ବାଧ୍ୟ ହୋଇ ନିଜ ନିଜ ଘରୁ ଟଙ୍କା ମଗାଇ ବସଭଡା ଦେଇ ଘରକୁ ଫେରିଥିବା ଜଣାପଡିଛି ।

Categories
ଆଜିର ଖବର ଜାତୀୟ ଖବର

ଗୋଆରେ ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଗୋଆ : ଦେଶରେ କରୋନା ଭାଇରସ୍‌ ଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ  ଦେଶରେ ମୋଟ୍‌ 90 ହଜାରରୁ ଉର୍ଦ୍ଧ୍ବ କରୋନା ଯୋଗୁଁ ସଂକ୍ରମିତ ହୋଇ ସାରିଲେଣି। ସେହିପରି ମୃତ୍ୟୁ ସଂଖ୍ୟା 2872ରେ ପହଞ୍ଚିଛି।  ଏହା ମଧ୍ୟରେ କରୋନାରୁ ମୁକ୍ତ ହୋଇଥିବା ଗୋଆରେ ପୁଣି ଥରେ ନୂତନ ମାମଲା ଦେଖିବାକୁ ମିଳିଛି । ଏଠାରେ ମୁମ୍ବାଇରୁ ଗୋଆ ଫେରିଥିବା ମୋଟ୍‌ 7ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଏହା ସହିତ ଗୋଆରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 29ରେ ପହଞ୍ଚିଛି । ରବିବାର ଦିନ ଟ୍ରେନ୍‌ରେ ଫେରିଥିବା ପ୍ରାୟ 100 ଲୋକଙ୍କ କରୋନା ଟେଷ୍ଟ କରାଯାଇଥିଲା । ପ୍ରାରମ୍ଭିକ ଅବସ୍ଥାରେ ଚାରିଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସୋମବାର ଦିନ ତିନି ଜଣଙ୍କର ପଜିଟିଭ୍‌ ରିପୋର୍ଟ ଆସିଛି ।

ସୂଚନାଯୋଗ୍ୟ,  ଭାରତୀୟ ରେଳବିଭାଗ ତରଫରୁ ସ୍ପେଶାଲ୍‌ ଟ୍ରେନ୍‌ ଚଲାଯାଉଛି । ଏହା ପରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲୋକମାନେ ଏବେ ଅନ୍ୟ ସହରକୁ ଯା‘ ଆସ କରିପାରୁଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମିଗ୍‌ 29କେ ବିମାନ ଦୁର୍ଘଟଣାଗ୍ରସ୍ତ : ପାଇଲଟ୍‌ ସୁରକ୍ଷିତ

ପାଣାଜୀ : ରବିବାର ଏକ ମିଗ୍‌ 29କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଆରେ ରବିବାର ସକାଳୁ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । ପାଇଲଟ୍‌ ଜଣକ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲେଇଯାଇଥିବା ବେଳେ ଭାରତୀୟ ନୌସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଚଢେଇ ସହିତ ପିଟିହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଗୋଆ ବିଧାନସଭାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗୋଆ ବିମାନବନ୍ଦରରେ ଅବତରଣ କରୁଥିବା 10ଟି ବିମାନ ମଧ୍ୟରୁ ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥାଏ ।

Categories
ଆଜିର ଖବର ଜାତୀୟ ଖବର

50 ଲକ୍ଷର ଡ୍ରଗ୍ସ ସହିତ ନାଇଜେରିୟ ନାଗରିକ ଗିରଫ

ପାଣାଜୀ,02/01 : 50 ଲକ୍ଷ ଟଙ୍କାର ଡ୍ରଗ୍ସ ସହିତ ଜଣେ ନାଇଜେରିଆ ନାଗରିକଙ୍କୁ ଗୋଆରୁ ଗିରଫ କରାଯାଇଛି । ଗୁରୁବାର ଗିରଫ ବ୍ୟକ୍ତିଙ୍କ ନିକଟରୁ 309 ଗ୍ରାମର କୋକେନ୍‌ ଏବଂ 200 ଗ୍ରାମର ଏମ୍‌ଡିଏମ୍‌ଏ ଜବତ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ନାମ ଫେଚ୍‌କ୍ୟୁ ଡେଭିଡ୍‌ ମାଡୁକ୍ବେ ବୋଲି ଜଣାପଡିଛି । ଗୋଆ ପୋଲିସ୍‌ ସର୍ବଦା ଜିରୋ ଡ୍ରଗ୍‌ ପଲିସିକୁ ପ୍ରାଧାନ୍ୟ ଦେଇଛି ଏବଂ ଆଗାମୀ ଦିନରେ ଗୋଆକୁ ଡ୍ରଗ୍ସମୁକ୍ତ କରାଯିବ ବୋଲି ଗୋଆ ପୋଲିସ୍‌ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଗୋଆରୁ 3 କୋଟିରୁ ଅଧିକ ଟଙ୍କାର ଡ୍ରଗ୍ସ ଜବତ କରାଯାଇଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ସିଏଏ ସପକ୍ଷରେ 4 ଗୋଆ କଂଗ୍ରେସ ନେତାଙ୍କ ଇସ୍ତଫା

ପାଣାଜୀ,02/01 : ନାଗରିକତ୍ବ ସଂଶୋଧନ ଆଇନ୍‌ ପ୍ରତି ସମର୍ଥନ ଜାହିର କରି ଗୋଆର 4 କଂଗ୍ରେସ ନେତା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ପାଣାଜୀ କଂଗ୍ରେସ ବ୍ଲକ୍‌ କମିଟି ଅଧ୍ୟକ୍ଷ ରହିଥିବା ପ୍ରସାଦ ଆମୋନକର, ଉତ୍ତର ଗୋଆ ସଂଖ୍ୟାଲଘୁ ସଂଘ ମୁଖ୍ୟ ଜାଭେଦ୍‌ ଶେଖ୍‌, ବ୍ଲକ୍‌ କମିଟି ସମ୍ପାଦକ ଦୀନେଶ କାବୁଲ ଏବଂ ଯୁବ ନେତା ଶିବରାଜ ଟରକାର ଗୁରୁବାର ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ସିଏଏ ଏବଂ ଏନ୍‌ଆରସିକୁ ଦଳ ବିରୋଧ କରିବା ସହିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ନିକଟକୁ ଭୁଲ ବାର୍ତ୍ତା ପ୍ରେରଣ କରୁଥିବାରୁ ଏହି 4 ନେତା ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି । ଉତ୍ତେଜକ ଭାଷଣ ଜରିଆରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମନରେ ଭୟ ସୃଷ୍ଟି କରିବାର ଚେଷ୍ଟା କରାଯାଉଛି ବୋଲି ସଂଖ୍ୟାଲଘୁ ସଂଘ ମୁଖ୍ୟ ଜାଭେଦ୍‌ ଶେଖ୍‌ ପ୍ରକାଶ କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଗୋଆରେ ବିରୋଧୀ ଏକାଠି ହେବା ଉଚିତ୍‌ : ବିଜୟ ସରଦେଶାଇ

ପାନାଜୀ,29/11 : ଗୋଆ ଫରଓ୍ବାର୍ଡ ପାର୍ଟିର ମୁଖ୍ୟ ତଥା ପୂର୍ବତନ ଗୋଆ ଉପ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ ସରକାର ଗଠନ ପାଇଁ ବିରୋଧୀ ଦଳଙ୍କୁ ଆହ୍ବାନ ଦେଇଛନ୍ତି । ମହାରାଷ୍ଟ୍ରରେ ବିରୋଧୀ ଦଳଙ୍କ ପରି ଏକତ୍ର ହୋଇ ଗୋଆରେ ସରକାର ଗଠନ କରିବା ଉଚିତ୍‌ ବୋଲି ସରଦେଶାଇ କହିଛନ୍ତି । ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ଗଠନ ହେବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଭେଟିବା ପରେ ସରଦେଶାଇ ଏହି ମତ ଦେଇଛନ୍ତି । ମହାରାଷ୍ଟ୍ରର ବିକାଶ ପାଇଁ ଯେପରି ବିପରୀତ ଚିନ୍ତାଧାରା ସମ୍ପନ୍ନ ଦଳ ଶିବସେନା,ଏନ୍‌ସିପି ଏବଂ କଂଗ୍ରେସ ଏକତ୍ର ହୋଇ ବିଜେପିକୁ କ୍ଷମତାରୁ ଦୂରେଇବାରେ ସମର୍ଥ ହେଲେ, ସେହିପରି ଭାବରେ ଗୋଆରେ ସମସ୍ତ ବିରୋଧୀ ଦଳ ଏକତ୍ର ହୋଇ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ଉଚିତ୍‌ ବୋଲି ସରଦେଶାଇ ଟ୍ବିଟ୍‌ କରିଛନ୍ତି ।

Categories
ଆଜିର ଖବର

ମହାରାଷ୍ଟ୍ର ପରେ ଏବେ ଗୋଆ ଉପରେ ନଜର : ସଞ୍ଜୟ ରାଉତ

ମୁମ୍ବାଇ, ୨୯/୧୧: ମହାରାଷ୍ଟ୍ରରେ ସରକାର ଗଢିବା ପରେ ଏବେ ଶିବସେନାର ନଜର ବିଜେପି ଶାସିତ ଗୋଆ ଉପରେ ରହିଛି। ଶିବସେନାର ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ରରେ ରାଜନୀତି ଶେଷ ହୋଇଛି। ଏବେ ଆମ ନଜର ଗୋଆ ରାଜନୀତି ଉପରେ ରହିଛି । ଏବେ ଆମେ ପୂରା ଦେଶରେ ଅଣ ବିଜେପି ମୋର୍ଚ୍ଚା ନିର୍ମାଣ କରିବାକୁ ଚାହୁଁଛି । ଯାହାର ଆରମ୍ଭ ମହାରାଷ୍ଟ୍ରରୁ ଆରମ୍ଭ ହୋଇଛି । ଏବେ ଆମର ଧ୍ୟାନ ଗୋଆ ଉପରେ ରହିଛି । ସଞ୍ଜୟ ରାଉତ କହିଛନ୍ତି ଯେ, ଆମେ ତିନି ବିଧାୟକଙ୍କ ସହ ଗୋଆ ଫରଓ୍ବାର୍ଡ ପାର୍ଟିର ଅଧ୍ୟକ୍ଷ ଓ ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ, ଶିବସେନା ସହ ମେଣ୍ଟ କରୁଛି । ଏବେ ଗୋଆରେ ଏକ ନୂତନ ରାଜନୈତିକ ମୋର୍ଚ୍ଚା ଗୋଆରେ ଆସୁଛି, ଯେମିତି ମହାରାଷ୍ଟ୍ରରେ ହୋଇଛି । ବହୁତ ଶୀଘ୍ର ଗୋଆରେ ମଧ୍ୟ ଆପଣମାନଙ୍କୁ ଏକ ଚମତ୍କାର ଦେଖିବାକୁ ମିଳିବ ।

୪୦ ସଦ୍ୟସୀୟ ଗୋଆ ବିଧାନସଭାର ନିର୍ବାଚନ ୨୦୧୭ରେ ହୋଇଥିଲା । ଏହି ନିର୍ବାଚନରେ ବିଜେପି ୧୩ଟି ଆସନ ଜିତିଥିବାବେଳେ କଂଗ୍ରେସ ୧୭ଟି । ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ୩ଟି, ଗୋଆ ଫରଓ୍ବାର୍ଡ ପାର୍ଟି ୩ ଓ ଏନ୍‌ସିପି ଗୋଟିଏ ଆସନ ଜିତିଥିଲେ ।  ନିର୍ବାଚନରେ କୌଣସି ପାର୍ଟି ବହୁମତ ହାସଲ କରିପାରିନଥିଲେ । ଅଚାନକ ରାତାରାତି ୧୦ କଂଗ୍ରେସ ବିଧାୟକ ବିଜେପିରେ ସାମିଲ୍‌ ହୋଇଯାଇଥିଲେ । ଏବଂ ବିଜେପିର ସଦସ୍ୟ ସଂଖ୍ୟା ୨୭ ହୋଇଥିଲା । ଏହା ପରେ ବିଜେପି ସଂଖ୍ୟାଗରିଷ୍ଠର ପ୍ରମାଣ ଦେଇ ସରକାର ଗଢିଥିବାବେଳେ ମନୋହର ପାରିକର୍‌ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମନୋହର ପାରିକରଙ୍କ ଦେହାନ୍ତ ପରେ ଏବେ ପ୍ରମୋଦ ସାଓ୍ବନ୍ତ ମୁଖ୍ୟମନ୍ତ୍ରୀ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରମୋଦ ସାଓ୍ବନ୍ତ

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି  ଗୋଆ ବିଧାନସଭାର ବାଚସ୍ପତି ତଥା ବିଜେପି ନେତା ପ୍ରମୋଦ ସାଓ୍ବନ୍ତ। ଗତକାଲି ମଧ୍ୟରାତ୍ରରେ ଏକ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଛନ୍ତି। ସହଯୋଗୀ ଦଳ ଏମ୍‌ଜିପିର ସୁଦିନ୍‌ ଧବଲିକର ଏବଂ ଜିଏଫ୍‌ପିର ବିଜାଇ ସରେଦଶାଇ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ କରିଥିବା ବେଳେ ଅନ୍ୟାନ୍ୟ ୯ ଜଣ ନେତା କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗୋଆ ରାଜ୍ୟପାଳ ମୃଦଳା ସିହ୍ନା ଏହି ଶପଥପାଠ କରାଇଥିଲେ। ଗତ ରବିବାର ମନୋହର ପାରିକରଙ୍କ ମୃତ୍ୟୁ ପରେ ଗୋଆରେ ଲାଗିରହିଥିବା ରାଜନୈତିକ ସଙ୍କଟ ଏଥି ସହିତ ଏକ ପ୍ରକାର ଶେଷ ହୋଇଛି।

 

Categories
ଆଜିର ଖବର

ପ୍ରମୋଦ ସାଓ୍ଵନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହେବେ !

ପ୍ରମୋଦ ସାଓ୍ଵନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଗୋଆର ବାଚସ୍ପତି ରହିଥିଲେ ପ୍ରମୋଦ। ତାଙ୍କ ନାମକୁ ନେଇ ବିଜେପି ଓ ସହଯୋଗୀ  ଦଳଙ୍କ ମଧ୍ୟରେ  ସହମତି ହୋଇଥିବା ଜଣାଯାଇଛି। ଉପମୁଖ୍ୟମନ୍ତ୍ରୀ ଭାବେ ବିଜୟ ସରଦେଶାଇ ଓ ଏମଜିପି ର ସୁଦିନ ଦାଓ୍ଵଲିକର ନାମ ରହିଛି। ଗତକାଲି ମନୋହର ପାରିକରଙ୍କ ଦେହାନ୍ତ ପରେ ରାଜ୍ୟ ରାଜନୀତିରେ ହଲ୍‌ଚଲ୍‌ ସୃଷ୍ଟି ହୋଇଥିଲା। କଂଗ୍ରେସ ସରକାର ଗଠନ ପାଇଁ ଦାବି କରି ରାଜ୍ୟପାଳଙ୍କୁ ଭେଟିଥିଲା। ତେବେ ବିଜେପି ପକ୍ଷରୁ ନିଜର ସହଯୋଗୀ ଦଳଙ୍କ ସହ ଆଲୋଚନା କରି ପ୍ରମୋଦଙ୍କ ନାମରେ ମୋହର ବାଜିବା ନେଇ ସ୍ପଷ୍ଟ ସୂଚନା ରହିଛି। ଏ ନେଇ ଦଳ ଆନୁଷ୍ଠାନିକ ଘୋଷଣା କରିବାର ସମ୍ଭାବନା ରହିଛି। ରାତି ୯ଟାରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି ସୂଚନା ରହିଛି।

Categories
ଆଜିର ଖବର

ଗୋଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ବାଚସ୍ପତି ପ୍ରମୋଦ ସାଓ୍ବନ୍ତ

ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନ ପରେ ଗୋଆରେ ରାଜନୈତିକ ମାହୋଲରେ ହଲଚଲ ସୃଷ୍ଟି ହୋଇଛି। ଏହି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ରେସ୍ ଆରମ୍ଭ ହୋଇଯାଇଛି। ଉତ୍ତର ଗୋଆର ଏମ୍‌ପି ଶ୍ରୀପଦ ନାଏକ, ରାଜ୍ୟସଭା ସଦସ୍ୟ ବିନୟ ତେନ୍ଦୁଲକର, ଗୋଆ ବାଚସ୍ପତି ପ୍ରମୋଦ ସାଓ୍ବନ୍ତ ଏବଂ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ୍‌ ରାଣେ ପ୍ରମୁଖ ଏହି ରେସ୍‌ରେ ରହିଛନ୍ତି। ତେବେ ଏହି ଦୌଡ଼ରେ ଗୋଆ ବାଚସ୍ପତି ପ୍ରମୋଦ ସାଓ୍ବନ୍ତ ଆଗରେ ରହିଛନ୍ତି।  ତେବେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ।  ଗୋଟିଏ ପଟେ କଂଗ୍ରେସ ସରକାର ଗଠନ କରିବାକୁ ନିଜକୁ ଦାବିଦାର କରୁଥିବାବେଳେ ବିଜେପିର ସହଯୋଗୀ ଦଳଗୁଡ଼ିକୁ ହାତେଇବାକୁ ଉଦ୍ୟମ ଜାରି ରଖିଛି। ସହଯୋଗୀ ଦଳଗୁଡ଼ିକ ଅଣବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରିଛନ୍ତି। ଏହି ଦାବି ସପକ୍ଷରେ ୧୨ ବିଧାୟକ ରହିଛନ୍ତି।

Categories
ଆଜିର ଖବର

ପାରିକରଙ୍କ ମୃତ୍ୟୁ ପରେ ଗୋଆରେ ରାଜନୈତିକ ପରିସ୍ଥିତି ସଙ୍ଗୀନ୍‌, ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲା କଂଗ୍ରେସ

ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କ ପରଲୋକରେ ଗୋଆ ସ୍ତବ୍ଧ ହୋଇଥିବା ବେଳେ ରାଜନୈତିକ ମାହୋଲ୍‌ ବି ସରଗରମ୍‌ ରହିଛି। ପାରିକରଙ୍କ ବିୟୋଗରେ ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ସମେତ ଦଳର ପ୍ରମୁଖ ହେଭିୱେଟ ନେତା ସାମିଲ ହୋଇଥିଲେ। ସେପଟେ ଗୋଆ ରାଜ୍ୟପାଳଙ୍କୁ ଗତକାଲି ରାତିରେ ସରକାର ଗଠନ ପାଇଁ ଚିଠି ଲେଖିଛି କଂଗ୍ରେସ। ଗୋଆ କଂଗ୍ରେସ ନେତା ଗିରିଶ ଚୋଡନାକର ଏବଂ ଚନ୍ଦ୍ରକାନ୍ତ କାଲଭେକର ରାଜ୍ୟପାଳ ମ୍ରିଦିଲା ସିହ୍ନାଙ୍କୁ ଚିଠି ଲେଖିଛନ୍ତି। କଂଗ୍ରେସ ରାଜ୍ୟପାଳଙ୍କୁ କହିଛି ଯେ, ସରକାର ଗଠନ ପାଇଁ ରାଜ୍ୟପାଳ ତୁରନ୍ତ ପଦକ୍ଷେପ ନିଅନ୍ତୁ। ରାଜ୍ୟରେ ବିଜେପି ସରକାର ସହ ମେଂଟରେ ଥିବା ବିଭିନ୍ନ ରାଜନୈତିକ ଦଳ ମନୋହର ପାରିକରଙ୍କ ନେତୃତ୍ୱ ସର୍ତ୍ତରେ ସାମିଲ ହୋଇଥିଲେ। ବର୍ତମାନ ବିଜେପି ସହ କୌଣସୀ ସହଯୋଗୀ ନାହାନ୍ତି। ବିରୋଧୀ ନେତା ଚନ୍ଦ୍ରକାନ୍ତ କାବଲେକର ଏବଂ ଗୋଆ କଂଗ୍ରେସ ଅଧ୍ୟକ୍ଷ ଗିରୀଶ ଚୋନ୍ଦାକର ରାଜ୍ୟରେ ତାଙ୍କ ଦଳ ସର୍ବ ବୃହତ ପାର୍ଟି ବୋଲି କହିଛନ୍ତି। ତେବେ ଏହା ମଧ୍ୟରେ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ବିଜେପିରେ ସାମିଲ ହେବା ପାଇଁ ଦିଲ୍ଲୀ ଯାଇଥିବା ଖବରକୁ ଖଣ୍ଡନ କରିବା ସହିତ ତାଙ୍କୁ ଏଭଳି କୌଣସି ଅଫର ଆସିନଥିବା ସେ କହିଛନ୍ତି। ଏପରି ସମୟରେ ଗୋଆର ରାଜନୈତିକ ସ୍ଥିତିକୁ ନେଇ ଚର୍ଚ୍ଚା ଲାଗି ରହିଛି।