ବାଣପୁର ବ୍ଲକର ଜଣେ ବରିଷ୍ଠ ବିଜେପି ନେତା ନିଖୋଜ, ପୋଲିସର ଅନୁସନ୍ଧାନ ଜାରି 

Published: Aug 20, 2020, 5:27 pm IST

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନିଳାଦ୍ରିପ୍ରସାଦର ପଞ୍ଚାୟତ ର ଜଣେ ବରିଷ୍ଠ ବିଜେପି ନେତା ନିଖୋଜ ହୋଇଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ନାମ ଶତ୍ରୁଘ୍ନ ସାହୁ। ଶତ୍ରୁଘ୍ନ ନିଳାଦ୍ରିପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଭାଲିଆପଡା ଗ୍ରାମ ଛକରେ ଏକ ଛୋଟ ଭେରାଇଟି ଷ୍ଟୋର କରିଥିବାବେଳେ ସେଠାରେ ସେ ରହୁଥିଲେ । କିନ୍ତୁ ଆଜି ସକାଳୁ ଯେତେବେଳେ ତାଙ୍କ ଦୋକାନ ଖୋଲା ନଥିଲା ସେତେବେଳେ ଲୋକେ ଘରର କବାଟ ବାଡେଇଥିଲେ । କିନ୍ତୁ କେହି ଉତ୍ତର ନ ଦେବା ପରେ ଲୋକେ ଘରର ବାରିପଟକୁ ଆସି ଦେଖିଲାପରେ ବାରି ଦ୍ବାରା ଖୋଲା ରହିଥିଲା । ଏହାପରେ ସଙ୍ଗେ ସଙ୍ଗେ ଏନେଇ ସମ୍ପୃକ୍ତ ନିଖୋଜ ବ୍ୟକ୍ତିଙ୍କ ପୁତ୍ରଙ୍କୁ ଖବର ଦିଆଯାଇଥିଲା । ଏହା ପରେ ସେ ଆସି ଘର ଭିତରକୁ ଯାଇ ଦେଖିଲା ବେଳକୁ ଘରର ଜିନିଷପତ୍ର କିଛି ନାହିଁ । ଜିନିଷ ପତ୍ର ଗୋଟି ଗୋଟି ହୋଇ ଏଣେତେଣେ ପଡି ରହିଛି । ବହୁ ଖୋଜାଖୋଜି ପରେ ଶେଷରେ ତାଙ୍କ ପୁତ୍ର ପିତାଙ୍କ ନିଖୋଜ ହେବା ନେଇ ବାଣପୁର ପୋଲିସ୍‌ ଷ୍ଟେସନରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ୍‌ ଲିଖିତ ଅଭିଯୋଗ ଗ୍ରହଣ କରି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶତ୍ରୁଘ୍ନଙ୍କୁ ଖୋଜା ଖୋଜି ଆରମ୍ଭ କରିଛି । ତେବେ କୌଣସି ରାଜନୈତିକ ଶତ୍ରୁତା କାରଣରୁ ତାଙ୍କୁ ଅପହରଣ କରିଥିବା ନେଇ ସନ୍ଦେହ କରାଯାଉଥିବାବେଳେ ବାଣପୁର ପୋଲିସ୍‌ ଏ ସମ୍ପର୍କରେ ତଦନ୍ତ ଜାରି ରଖିଛି ।


ସୂଚନାଯୋଗ୍ୟ, ଶତ୍ରୁଘ୍ନ ସାହୁ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଜଣେ ବରିଷ୍ଠ ବିଜେପି ନେତା ଭାବେ ବେଶ୍‌ ଜଣାଶୁଣା। ସେ ଅରାଙ୍ଗ ଗ୍ରାମର ପୂର୍ବତନ ସମିତି ସଭ୍ୟ ଥିବାବେଳେ ଥରଟେ ସରପଞ୍ଚ ପ୍ରାର୍ଥୀ ମଧ୍ୟ ରହିଥିଲେ ।

Related posts