ଭାସିଗଲା ଦୁଇଟି ଟ୍ରକ, ଗୋଟିଏ କାର୍‌ : ଦୁଇ ମୃତ

Published: Aug 26, 2020, 4:50 pm IST

ଭୁବନେଶ୍ବର : ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ହେବା ସହିତ ରାସ୍ତାରେ ପାଣି ଚାଲୁଛି । ପ୍ରବଳ ବର୍ଷା ଯୋଗୁଁ ଦୁଇଟି ଟ୍ରକ ଓ ଗୋଟିଏ କାର୍‌ ଭାସିଯିବା ସହ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କରଞ୍ଜିଆରେ ବନ୍ୟା ପାଣିରେ ଟ୍ରକ୍‌ ଭାସିଯାଇଥିବାବେଳେ ଡ୍ରାଇଭରର ମୃତ୍ୟୁ ହୋଇଛି । ଚଢେଇଭଳ ବୈତରଣୀ ନଦୀ ପାଖ ଏକ କଲଭର୍ଟରୁ ଏକ ଟ୍ରକ୍‌ ଭାସିଯାଇଥିବାର ସୂଚନା ରହିଛି । କଲଭର୍ଟ ଉପରେ ପାଣି ଚାଲୁଥିବାବେଳେ ଟ୍ରକ୍‌ ନେବାରୁ ଏହି ଅଘଟଣ ଘଟିଛି ।

ସେହିପରି କେନ୍ଦୁଝରରେ ପ୍ରବଳ ପାଣି ସୁଅରେ ଏକ ଧାନ ବୋଝେଇ ଟ୍ରକ ଭାସିଯାଇଛି । କେନ୍ଦୁଝର ପାଟଣା ଥାନା ସ୍ବାମପାଟଣା ନିକଟରେ ଏହି ଟ୍ରକ୍‌ଟି ଭାସିଯାଇଥିବାବେଳେ ଡ୍ରାଇଭରକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାର ସୂଚନା ରହିଛି । ଅପରପକ୍ଷରେ ଆନନ୍ଦପୁର ଜଞ୍ଜାଳି ନିକଟ ଏକ ନାଳରେ ଏକ କାର୍‌ ଭାସିଯାଇଥିବାବେଳେ ନିକଟ ବୁଦାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ନାଳରେ କାର୍‌ଟି ଭାସିଯାଇଥିବାର ସୂଚନା ରହିଛି ।

Related posts