ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ଦୁର୍ନୀତି: ଭିଜିଲାନସ ବିଭାଗର ତଦନ୍ତ

Published: Aug 28, 2020, 9:36 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୁରୁଷୋତ୍ତମପୁର ବ୍ଲକ୍‌ର ବିଭିନ୍ନ ପଂଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ଅନିୟମିତତା ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଏହିକ୍ରମରେ ବ୍ରହ୍ମପୁର ଭିଜିଲାନସ ବିଭାଗର ଏକ ଟିମ୍ ପରିଦର୍ଶନ କରି ଏହି ଦୁର୍ନୀତିର ଅନୁଧ୍ୟାନ କରିଥିଲେ।

ସୂଚନାଯୋଗ୍ୟ ଏହି ବ୍ଲକ୍‌ର କେଏନ୍‌ପୁର ପଂଚାୟତର ବିଭିନ୍ନ ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ୨୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। କିନ୍ତୁ ପଞ୍ଚାୟତର ନିର୍ବାହୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଥିରେ ଦୁର୍ନୀତି ହୋଇଥିଲା। କେତେକ ସ୍ଥାନରେ ପୋଲ ପୋତି ଷ୍ଟ୍ରିଟ ଲାଇଟ୍ ଲଗାଇବା ବଦଳରେ ଗ୍ରାମରେ ଥିବା ପୋଲ ଉପରେ ଲଗାଯାଇଛି। କେତେକେ ଗ୍ରାମରେ କିଛି ବି ଲଗାଯାଇନାହିଁ।

ଏହିଭଳି ଅନ୍ୟାନ୍ୟ ପଂଚାୟତରେ ମଧ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଛି। କେ.ଏନ୍‌ପୁର ପଂଚାୟତର କିଛି ୱାର୍ଡ଼ସଭ୍ୟ ଏହି ଦୁର୍ନୀତି ନେଇ ଜିଲ୍ଲାପାଳ, ଭିଜିଲାନସ ବିଭାଗ ଏବଂ ହାଇକୋର୍ଟରେ ମାମଲା ଦାୟର କରିବା ପରେ ଭିଜିଲାନସକୁ ଏହି ତଦନ୍ତ ପାଇଁ ନିର୍ଦ୍ଦେଶ ଆସିଥିଲା। ଭିଜିଲାନସ ଅଧିକାରୀମାନେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହ ନିଜେ ପ୍ରତ୍ୟକ୍ଷ ଭାବେ ସବୁ ଦେଖିଥିଲେ। ଅନ୍ୟ ପଞ୍ଚାୟତଗୁଡ଼ିକରେ ମଧ୍ୟ ଏଭଳି ଦୁର୍ନୀତି ହୋଇଥିବାରୁ ସବୁ ପଂଚାୟତକୁ ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିବ।

Related posts