
ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଆଜି ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। ଟିକେଟ କଟିବା ପଛରେ ଅସନ୍ତୁଷ୍ଟ ପୂର୍ଣ୍ଣଚନ୍ଦ୍ର ଦଳର କିଛି ମୁଷ୍ଟିମେୟ ନେତାଙ୍କ ଆଡକୁ ଇଙ୍ଗିତ କରିଛନ୍ତି। ନିଜ ଇସ୍ତଫାପତ୍ରରେ ଦଳକୁ ସମାଲୋଚନା କରିବା ସହିତ ଟିକଟ ପାଇଥିବା ନେତା ୭ କୋଟି ୩୨ ଲକ୍ଷଟଙ୍କାର ଅର୍ଥ ହେରଫେରରେ ସାମିଲ ଥିବା ନେଇ ଅଭିଯୋଗ ଆଣିଛନ୍ତି। ଅନୁସୂଚିତ ଜାତି ଓ ଜନଜାତିର ବିକାଶ ପାଇଁ ଆସିଥିବା ଅର୍ଥକୁ ବାଟମାରଣା କରିଥିବା ଅଭିଯୋଗ ଆଣିଛନ୍ତି ପୂର୍ଣ୍ଣଚନ୍ଦ୍ର। ଦଳରେ ଦୁର୍ନୀତିମୁକ୍ତଙ୍କ ଅପେକ୍ଷା ଦୁର୍ନୀତିଗ୍ରସ୍ତଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବାରୁ ଭୁଲ୍ ଲୋକଙ୍କୁ କଦାପି ସମର୍ଥନ କରିପାରିବେ ନାହିଁ ବୋଲି କହିଛନ୍ତି ପୂର୍ଣ୍ଣଚନ୍ଦ୍ର। ସୂଚନାଯୋଗ୍ୟ ଯେ, ଦଶପଲ୍ଳାରୁ ରମେଶ ବେହେରାଙ୍କୁ ବିଜେଡିର ଟିକେଟ ମିଳିଛି।