ଦୁର୍ନୀତିରେ ଉବୁଟୁବୁ କୁକୁଡ଼ାଖଣ୍ଡି ବ୍ଲକ୍‌ ୩ ଲକ୍ଷର କାର୍ଯ୍ୟ ପାଇଁ ୩୦ ହଜାର ପିସି

Published: Sep 3, 2020, 10:00 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟ ସରକାର ପିସି କାରବାରକୁ ବନ୍ଦ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥିବାବେଳେ ଗଂଜାମ ଜିଲ୍ଲାରେ ଏହା ବନ୍ଦ ହେବାର ନାମ ହିଁ ନେଉନାହିଁ। ପ୍ରତ୍ୟେକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପିସି ନଦେଲେ ସଂପୃକ୍ତ ଯନ୍ତ୍ରୀମାନେ ବିଲ୍ କରୁନଥିବା ନେଇ ଖବର ସବୁବେଳେ ଶୁଣିବାକୁ ମିଳୁଛି। ସବୁସ୍ଥାନରେ ୧୦ ପ୍ରତିଶତରୁ ୧୫ ପ୍ରତିଶତ ପିସି କାରବାର ହେଉଥିବା ଅଭିଯୋଗ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟିରେ ଏହି ପିସି କାରବାରକୁ ସଂପୂର୍ଣ୍ଣ ନିଧେ କରାଯାଇଥିଲେ ମଧ୍ୟ ଏହା ଦୁଇଦିନିଆ ଭାଗବତ ପରି ହୋଇଛି। ଗଂଜାମ ଜିଲ୍ଲାର ଗୁଡ଼ମାଠିଆ ବ୍ଲକ୍ ଭାବେ ପରିଚିତ କୁକୁଡ଼ାଖଣ୍ଡିରେ ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟରେ ବହୁ ପରିମାଣରେ ପି.ସି. କାରବାର ହେଉଛି।

ଏହିଭଳି ଏକ ଅଭିଯୋଗ ଆଣିଛନ୍ତି ୧୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଏଲ୍‌.ମୋହନ ରାଓ। ସେ ଅଭିଯୋଗ କରିଛନ୍ତି ଯେ, ନିଜ ଜିଲ୍ଲା ପରିଷଦ ପାଣ୍ଠିରୁ ଗୁରୁଣ୍ଠି ଗ୍ରାମର ଦଣ୍ଡପାଟଣା ସାହିରେ ଫେବାର ରାସ୍ତା ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଉକ୍ତ ଗ୍ରାମର ଟି. ଫକୀର ପାତ୍ରଙ୍କୁ କାର୍ଯ୍ୟ ଦେଖାଶୁଣା କରିବା ଦାୟିତ୍ୱ ଦେଇଥିଲେ। କାର୍ଯ୍ୟଶେଷ ହେବା ପରେ ବିଲ୍ ହୋଇଥିବା ଅର୍ଥରାଶି ମାଗିବାକୁ ଗଲା ପରେ ସିକୁରିଟି ୧୮ ହଜାର ଟଙ୍କା ଏବଂ କମିଶନର ୩୦ ହଜାର ଟଙ୍କା କନିଷ୍ଠ ଯନ୍ତ୍ରୀ ମହୋଦୟ କାଟିଦେଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ। ଟି. ଫକୀର ପାତ୍ର କାହିଁକି ଏତେଟଙ୍କା କାଟୁଛନ୍ତି ବୋଲି ପଚାରିବାରେ ଯନ୍ତ୍ରୀ କହିଥିଲେ ଏହି ପିସି କେବଳ ମୋର ନୁହେଁ ବ୍ଲକ୍‌ର ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଏଥିରେ ଭାଗିଦାର ଅଛନ୍ତି ବୋଲି କନିଷ୍ଠ ଯନ୍ତ୍ରୀ କହିଥିବା ନେଇ ସେ ଅଭିଯୋଗ କରିଛନ୍ତି ଏବଂ ଗୋଟିଏ ହାତଲେଖା କାଗଜରେ ସମସ୍ତ ହିସାବ କରି ବଳକା ଟଙ୍କା ଚେକ୍ ଆକାରରେ ଫକୀର ପାତ୍ରଙ୍କୁ ପ୍ରଦାନ କରିଦେଇଛନ୍ତି। ଏନେଇ ଫକୀର ଜିଲ୍ଲା ପରିଷଦ ଏଲ୍ ମୋହନ ଦାସଙ୍କୁ ଜଣାଇବା ପରେ ଶ୍ରୀ ଦାସ ଏହି ଘଟଣାର ଭିଜିଲାନସ ତଦନ୍ତ ଦାବି କରିଛନ୍ତି। ଏହି ବିଭାଗ ସଂପୂର୍ଣ୍ଣ ରୂପେ ଦୁର୍ନୀତିରେ ଜଡ଼ିତ।

ତେଣୁ ନିରପେକ୍ଷ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି। ଆଗାମୀ ଦିନରେ ବ୍ଲକ୍ ପ୍ରଶାସନ ଯଦି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନନେଇ ପିସି କାରବାର ଚାଲୁ ରଖେ ତେବେ ବ୍ଲକ୍ ଘେରାଉ ସହ ରାଜରାସ୍ତା ଅବରୋଧ କରାଯାଇ ପ୍ରତିବାଦ କରାଯିବ। ଏନେଇ ଯନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସରକାର ପିସି କାରବାରକୁ ନେଇ ରୋକ ଲଗାଇଥିବା ବେଳେ ଗଂଜାମ ଜିଲ୍ଲା ରାଜ୍ୟର ପ୍ରଥମ ଜିଲ୍ଲା ଯେଉଁଠାରେ କି ପିସି ବିନା କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଉନଥିବା ନଜିର ରହିଛି। ଖାସ୍ କରି ଗଂଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍ ଏବଂ ଖଲିକୋଟ, ପୁରୁଷୋତ୍ତମପୁର, ରଙ୍ଗେଇଲୁଣ୍ଡା, ଦିଗପହଣ୍ଡି, ପୋଲସରା, ବେଗୁନିଆପଡ଼ା ଆଦି ଅଂଚଳରେ ଏହା ଚରମ ସୀମାରେ ପହଞ୍ଚିଯାଇଛି।

ଏହି ପିସି କାରବାର ଯୋଗୁଁ ନିମ୍ନରୁ ଅତି ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇ ଆସୁଛି। ଖାସ୍ କରି କୁକୁଡ଼ାଖଣ୍ଡି ବ୍ଲକ୍‌ର ଦୁର୍ନୀତି ଚରମ ସୀମାରେ ପହଞ୍ଚି ଯାଇଥିଲେ ମଧ୍ୟ ବାରମ୍ବାର ବିଭିନ୍ନ ପଂଚାୟତରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ବିଡ଼ିଓ କିମ୍ବା ଜିଲ୍ଲାପାଳ, ପିଡ଼ି ଡ଼ିଆର୍‌ଡ଼ିଏ ଏହାକୁ ଗୁରୁତ୍ୱ ଦେଉନଥିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋସ ବୃଦ୍ଧି ପାଉଛି। କାରଣ ଉକ୍ତ ବ୍ଲକ୍‌ଟି ଗୋଟିଏ ବିଜେଡ଼ିର ଆଗଧାଡ଼ିର ନେତାଙ୍କ ଛତ୍ରଛାୟା ତଳେ। କୁକୁଡ଼ାଖଣ୍ଡି ବ୍ଲକ୍‌ର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ଯଦି ଭିଜିଲାନସ ତଦନ୍ତ ସାପେକ୍ଷ କରାଯାଏ ତେବେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଅଂଚଳର ବୁଦ୍ଧିଜୀବୀ ମତ ରଖିଛନ୍ତି।

Related posts