ଭୁବନେଶ୍ୱର : ଛତିଶଗଡର ରାୟପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 8ଜଣ ଓଡିଆଙ୍କ ମୃତ୍ୟୁ ଘଟିଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି । ଗଞ୍ଜାମରୁ ସୁରତ ଅଭିମୁଖେ ଯାଉଥିବା ଏହି ବସରେ ପ୍ରାୟ ଷାଠିଏରୁ ଅଧିକ ଯାତ୍ରୀ ରହିଥିଲେ । ବସଟି ଏକ ଟ୍ରକକୁ ଓଭରଟେକ କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ରାତି ପ୍ରାୟ 3.30ସମୟରେ ଏହି ଦୁ୍ର୍ଘଟଣା ଘଟିଥିବାର ସୂଚନା ରହିଛି । ଦୁର୍ଘଟଣାରେ ଗୁରୁତର ସାତଜଣଙ୍କୁ ହସ୍ପିଟାଲ ନିଆଯାଇଛି ।
ଦୁ୍ର୍ଘଟଣା ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ଦୁଇ ଲକ୍ଷର ସହାୟତା ରାଶି ଘୋଷଣା କରିଛନ୍ତି । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତୁରନ୍ତ ରାୟପୁର ଗସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଓଡିଶା ଡିଜିପି ଅଭୟଙ୍କୁ ଛତିଶଗଡ ଡିଜିଙ୍କ ସହ ନିୟମିତ ସମ୍ପର୍କ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଗୁରୁତରଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ରାୟପୁରର ଚାରିଖେଡିଠାରେ ଆଜି ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ପ୍ରାଥମିକ ସୂଚନା ଅନୁସାରେ ଦୁର୍ଘଟଣାରେ 7 ଜଣଙ୍କର ପ୍ରାଣହାନି ଘଟିଥିବାର ଜଣାପଡିଥିବାବେଳେ ପରବର୍ତ୍ତୀ ସମୟରେ ଆଉ ଜଣେ ପ୍ରାଣ ହରାଇଥିବା ଜଣାପଡିଥିଲା । ସେହିପରି ବସରେ ଉପସ୍ଥିତ ଅନ୍ୟ 59 ଜଣ ସୁରକ୍ଷିତ ଥିବା ନେଇ ଡିଜିପି ଟ୍ୱିଟ କରିଛନ୍ତି ।