ଦୈନିକ ନୂତନ ଆରୋଗ୍ୟଙ୍କ ମଧ୍ୟରୁ ୬୦ ପ୍ରତିଶତ ୫ଟି ରାଜ୍ୟରୁ,ମୋଟ ସୁସ୍ଥଙ୍କ ସଂଖ୍ୟା ପ୍ରାୟ ୩୫.୫ ଲକ୍ଷ

Published: Sep 11, 2020, 10:26 pm IST

ନୂଆଦିଲ୍ଲୀ, ଭାରତରେ କ୍ରମାଗତ ଭାବରେ ଆରୋଗ୍ୟ ସଂଖ୍ୟା ଅଧିକ ହେବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୭୦,୮୮୦ ଜଣ ସୁସ୍ଥ ହୋଇଛନ୍ତି। ଏଥି ମଧ୍ୟରୁ ମହାରାଷ୍ଟ୍ରରୁ ୧୪,୦୦୦ ଏବଂ ଆନ୍ଧ୍ରପ୍ରଦେଶରୁ ୧୦,୦୦୦ ସୁସ୍ଥ ହୋଇଛନ୍ତି। ମୋଟ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ୩୫,୪୨,୬୬୩ ଛୁଇଁଥିବା ବେଳେ ଏହା ୭୭.୬୫ ପ୍ରତିଶତ ବୋଲି ଜଣାପଡିଛି।

୫ଟି ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟାର ଶତକଡା ୬୦ ଭାଗ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୬,୫୫୧ଟି ନୂତନ ସଂକ୍ରମିତ ମାମଲା ରେକର୍ଡ ହୋଇଥିବା ବେଳେ ସେଥିରୁ କେବଳ ମହାରାଷ୍ଟ୍ରରେ ୨୩,୦୦୦ରୁ ଉର୍ଦ୍ଧ୍ଵ ଓ ଆନ୍ଧ୍ରପ୍ରଦେଶରୁ ୧୦,୦୦୦ରୁ ଉର୍ଦ୍ଧ୍ଵ ଅଛନ୍ତି।

ଦେଶର ନୂତନ ସଂକ୍ରମିତଙ୍କ ମଧ୍ୟରୁ ଶତକଡା ୫୭ ପ୍ରତିଶତ ରୋଗୀ କେବଳ ୫ଟି ରାଜ୍ୟରୁ ଆସିଥିବା ବେଳେ ଏହି ରାଜ୍ୟଗୁଡିକରୁ ଶତକଡା ୬୦ ଭାଗ ନୂତନ ସୁସ୍ଥ ରୋଗୀ ଅଛନ୍ତି।
ବର୍ତ୍ତମାନ ଦେଶରେ ୯,୪୩,୪୮୦ ସକ୍ରିୟ ରୋଗୀ ରହିଛନ୍ତି। ସକ୍ରିୟ ରୋଗୀଙ୍କ ମଧ୍ୟରେ ସର୍ବାଧିକ ୨,୬୦,୦୦୦ରୁ ଅଧିକ ମହାରାଷ୍ଟ୍ରରୁ ହୋଇଥିବା ବେଳେ କର୍ଣ୍ଣାଟକରୁ ୧,୦୦,୦୦୦ରୁ ଅଧିକ ଅଛନ୍ତି। ୯ଟି ରାଜ୍ୟରେ ସର୍ବାଧିକ ୭୪ ପ୍ରତିଶତ ସକ୍ରିୟ ମାମଲା ରହିଥିବା ବେଳେ କେବଳ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ମୋଟ ସକ୍ରିୟ ମାମଲାର ଶତକଡା ୪୮ ଭାଗ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୨୦୯ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୪୯୫ ରୋଗୀ ମହାରାଷ୍ଟ୍ରରୁ ହୋଇଛି, ସେହିପରି କର୍ଣ୍ଣାଟକରୁ ୧୨୯ ଏବଂ ଉତ୍ତରପ୍ରଦେଶରୁ ୯୪ ଜଣଙ୍କର ମୃତ୍ୟୁ ଘଟିଛି ।

Related posts