ସିବିଆଇ ଏକ ସ୍ୱାଧୀନ ସଂସ୍ଥା : ପୃଥ୍ୱୀରାଜ ହରିଚନ୍ଦନ

Published: Sep 19, 2020, 3:13 pm IST

ଭୁବନେଶ୍ୱର:  ବିଜେଡି ସିବିଆଇକୁ ଏତେ ଭୟ କାହିଁକି କରୁଛି ।  ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସରକାରୀ ଓ ପୈତୃକ ବାସଭବନ ସମେତ ମୋଟ 8ଟି ସ୍ଥାନରେ ଗତକାଲି ଚଢଉ ପରେ  ଏଭଳି ପ୍ରଶ୍ନ କରିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ସିବିଆଇ ବିଜେପିର ମୋର୍ଚ୍ଚା ନୁହେଁ । ଏହା ଏକ ସ୍ୱାଧୀନ ସଂସ୍ଥା ।  କେବଳ ଦେବୀ ମିଶ୍ର ନୁହନ୍ତି, ବହୁ ନେତା ଓ ଅଫିସର ଏଥିରେ ସମ୍ପୃକ୍ତ ।  ଚିଟଫଣ୍ଡ ସ୍କାମରେ ସମ୍ପୃକ୍ତ ସମସ୍ତେ ଦଣ୍ଡ ପାଇବେ ।  ବିଜେଡି ସିବିଆଇକୁ ଏତେ ଭୟ କାହିଁକି କରୁଛି ।  ସିବିଆଇ ଏକ ସ୍ୱାଧୀନ ସଂସ୍ଥା । କାହା ଉପରେ କାର୍ଯ୍ୟାନୁଷ୍ଠାନ  ହେବ ତାହା ସେମାନଙ୍କ ନିଷ୍ପତ୍ତି ।  ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶରେ ସିବିଆଇ କାମ କରୁଛି । ତଦନ୍ତ ନିଷ୍କର୍ଷରେ ପହଞ୍ଚିବା ନେଇ ଆଶା ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଅପରପକ୍ଷରେ ସିବିଆଇ ରେଡ୍‌କୁ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି । ସିବିଆଇ ବିଜେପିର କଣ୍ଢେଇ ବୋଲି କହିଛନ୍ତି କଂଗ୍ରେସ ନେତା ତାରା ବାହିନୀପତି ।

ପ୍ରକାଶ ଯେ, ଗତକାଲି  ୟୁନିଟ-1 ସ୍ଥିତ ଦେବୀ ମିଶ୍ରଙ୍କ ବାସଭବନରେ ଦୀର୍ଘ ସମୟ ଧରି ସିବିଆଇ ପଚରାଉଚୁରା କରିଥିଲା ।  ସିବିଆଇ ଅଧିକାରୀମାନେ ଫେରିବାବେଳେ ସାଙ୍ଗରେ କିଛି ଜରୁରୀ କାଗଜପତ୍ର ମଧ୍ୟ ଜବତ କରିଥିଲେ। ତେବେ ସିବିଆଇର ରେଡ ପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଥିଲା। ଆଗକୁ ବିଜେଡି ଦୁଇଟି ଉପନିର୍ବାଚନ ସାମନା କରିବାକୁ ଯାଉଥିବାବେଳେ ପୁଣି ଜଣେ ବରିଷ୍ଠ ବିଧାୟକଙ୍କୁ ସିବିଆଇ ତା’ର ପଞ୍ଝାକୁ ନେବା ଲାଗି କସରତ ଆରମ୍ଭ କରିଦେଇଥିବା କୁହାଯାଉଛି। ପୂର୍ବରୁ ସି-ସୋର ମାମଲାରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିବାବେଳେ ଏବେ ସେ ଜାମିନରେ ଅଛନ୍ତି ।

Related posts