ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

Published: Sep 21, 2020, 12:14 pm IST

ନୂଆଦିଲ୍ଲୀ: ଆଜିଠୁ ଖୋଲିଲା ସପ୍ତାଶ୍ଚର୍ଯ୍ୟ ତାଜମହଲ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ 17ରୁ ଏହାକୁ ବନ୍ଦ ରଖାଯାଇଥିଲା । ଦୀର୍ଘ 6 ମାସ ପରେ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ତାଜମହଲକୁ ଖୋଲା ଯାଇଛି । ତେବେ କୋଭିଡ୍‌ କଟକଣା ସହିତ ତାଜମହଲ ପରିଦର୍ଶନ କରିପାରିବା ନେଇ ସୂଚନା ଦିଆଯାଇଛି । ଦୈନିକ 5 ହଜାର ଲୋକଙ୍କୁ ପ୍ରବେଶ ଅନୁମତି ରହିଥିବାବେଳେ କରୋନା ଗାଇଡଲାଇନ୍‌କୁ କଡାକଡି ରୂପେ ପାଳନ କରାଯିବା ନେଇ ଗୁରୁତ୍ବ ଦିଆଯାଉଥିବା ନେଇ ଏଏସ୍‌ଆଇ ପକ୍ଷରୁ ସୂଚନା ରହିଛି ।

ତାଜମହଲରେ ପ୍ରବେଶ ପୂର୍ବରୁ ଶରୀରର ତାପମାତ୍ରା ମପା ଯାଉଥିବା ବେଳେ ଜୋତା ସାନିଟାଇଜ ମଧ୍ୟ କରାଯାଉଛି। ଏହି ସମୟରେ ଗ୍ରୁପ୍‌ ଫଟୋ ଉଠାଇବାକୁ ବାରଣ କରାଯାଇଛି। ସେହିପରି ତାଜମହଲ ବୁଲିବା ସମୟରେ ପର୍ଯ୍ୟଟକମାନ ଯେପରି କାନ୍ଥ, ରେଲିଂ ନ ଛୁଇଁବେ, ମାସ୍କ, ସାନିଟାଇଜର, ଟିସୁ ପେପର ବ୍ୟବହାର କରିବେ ସେଥିପ୍ରତି କଡ଼ା ଦୃଷ୍ଟି ଦିଆଯାଉଛି। ପ୍ଲସ୍‌ ଅକ୍ସିମିଟର ଜରିଆରେ ତାଜମହଲରେ ପ୍ରବେଶ କରିଥିବା ପର୍ଯ୍ୟଟକଙ୍କର ତାପମାତ୍ରା ମଧ୍ୟ ପରୀକ୍ଷା କରାଯାଉଛି । ସେହିପରି ପର୍ଯ୍ୟଟକଙ୍କ ନାମ, ଠିକଣା ଓ ମୋବାଇଲ୍‌ ନମ୍ବର ଆଦି ସଂଗ୍ରହ କରାଯାଉଛି । ବିନା ଲକ୍ଷଣ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ଦିଆଯାଉଛି ।

କରୋନା ସଂକ୍ରମଣ ଯୋଗୁଁ ପର୍ଯ୍ୟଟକମାନଙ୍କୁ କାଉଣ୍ଟରରେ ଟିକେଟ ମିଳିବ ନାହିଁ । ସେମାନଙ୍କୁ ଇଲେକଟ୍ରୋନିକ ଟିକେଟ ଦିଆଯିବ । ସେହିପରି ପର୍ଯ୍ୟଟକଙ୍କ ପାଇଁ ଆଗ୍ରା ପୋର୍ଟ ମଧ୍ୟ ଖୋଲା ରହିବ । ଏଠାରେ ଦୈନିକ 2500 ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ରହିଛି ।  ସୂଚନାଯୋଗ୍ୟ ସମଗ୍ର ଦେଶରେ ଏଏସ୍‌ଆଇ ଅଧୀନରେ ଆସୁଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଜୁଲାଇ ମାସରୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲି ସାରିଛି। (ଏଜେନ୍ସି)

Related posts