ସୀତାରାମ ଅଗ୍ରଓ୍ବାଲ
ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନାଚୁଣୀ ପଞ୍ଚାୟତର ଜୀବନଦେଇପୁର ଶାସନ ଗ୍ରାମର ମା ସର୍ବମଙ୍ଗଳା ମନ୍ଦିରରୁ ଚୋରି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଭୋର ଚାରି ଘଟିକାରେ ପ୍ରତିଦିନ ପରି ମନ୍ଦିର ସାମ୍ନାରେ ଥିବା ପୂଜା ଦୋକାନୀ ମନ୍ଦିରରେ ଦୀପ ଲଗେଇବାକୁ ଯାଇଥିଲେ । ସେହି ସମୟରେ ସେ ମନ୍ଦିର ଗେଟର ତାଲା ଓ ହୁଣ୍ଡୀ ବାକ୍ସକୁ ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ । ସେହିପରି ମାଙ୍କ ଇମିଟେସନ୍ ଅଳଙ୍କାର ମଧ୍ୟ ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେ ଏହି ବିଷୟ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଗୋପୀନାଥ ବେହେରା ଏବଂ ମୁଖ୍ୟ ପୂଜକ ଆଦିତ୍ୟ ନାରାୟଣ ଦାସଙ୍କୁ ଜଣାଇଥିଲେ।
ଏହାପରେ ସମସ୍ତେ ମନ୍ଦିରକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ ଏବଂ ଗୋପୀନାଥ ବେହେରା ନାଚୁଣୀ ଫାଣ୍ଡିରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ମା’ଙ୍କର ବିଭିନ୍ନ ଅଳଙ୍କାର ସହ ରୂପାର ପାଉଁଜି ଏବଂ ହୁଣ୍ଡୀରୁ କିଛି ଟଙ୍କା ଚୋରି ହୋଇଥିବାର ଏତଲାରେ ଅଭିଯୋଗ ହୋଇଛି। ଏହାକୁ ଭିତ୍ତିକରି ବାଣପୁର ଥାନାରେ କେସ ନମ୍ବର ୩୦୨/୨୦ ରେ ଏକ ମାମଲା ରୁଜୁ ହେବା ସହ ବାଲୁଗାଁ ଏସଡ଼ିପିଓ ସୁରେଶ କୁମାର ଦାସଙ୍କ ସମେତ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରାଥମିକ ତଦନ୍ତରେ ପୋଲିସ ତିନି ଜଣଙ୍କୁ ଗତକାଲି ଅଟକ ରଖିଥିବାସ୍ଥଳେ କିଛି ସମୟ ପରେ ପଚରା ଉଚୁରା କରି ଛାଡିଦେଇଥିବା ଜଣାପଡିଛି। ଅପରପକ୍ଷରେ ବିଭିନ୍ନ ସ୍ଥାନରେ ପୋଲିସ ଦ୍ୱାରା ଚଢ଼ାଉ ହୋଇଥିବାସ୍ଥଳେ ସର୍ଚ୍ଚ ଅପେରସନ ଜାରି ରହିଛି । ହେଲେ ପୋଲିସ ବର୍ତ୍ତମାନ ଏହି କେସର ସମାଧାନ ଦିଗରେ ଖୁବ ନିକଟତର ଏବଂ ଖୁବ ଶୀଘ୍ର ଏହି ଚୋରିର ପର୍ଦାଫାଶ ହୋଇ ଅଭିଯୁକ୍ତ ଧରା ପଡିବ ବୋଲି ତଦନ୍ତକାରୀ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଅପରପକ୍ଷରେ ଏ ଖବର ପାଇ ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ମା ସର୍ବମଙ୍ଗଳା ମନ୍ଦିରରେ ପହଁଚି ଘଟଣା ଅନୁଧ୍ୟାନ କରିବା ସହ ମା’ଙ୍କ ନୀତିକାନ୍ତି ପାଇଁ ଦଶ ହଜାର ଟଙ୍କା ଦାନ କରିଥିବାର ସୂଚନା ଅଛି ।