
ସୀତାରାମ ଅଗ୍ରୱାଲ
ଚିଲିକା: ଗତକାଲି ସମୀକ୍ଷା ନିୟୁଜରେ ଚିଲିକା ବ୍ଲକ ମାନସିଂହପୁର ପଞ୍ଚାୟତରେ ରାସନ କାର୍ଡ ମହାଦୁର୍ନୀତିର ଖବର ପ୍ରସାରଣ ହେବାପରେ ଚେଇଁ ଉଠିଛି ଚିଲିକା ବ୍ଲକ ପ୍ରଶାସନ। ଚିଲିକା ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଯୋଗାଣ ନିରୀକ୍ଷକ ତ୍ରିଲୋଚନ ସାହୁଙ୍କୁ ଏ ବିଷୟ ନେଇ ସ୍ପଷ୍ଟିକରଣ ମାଗିଥିଲେ। ଯାହା ଫଳରେ ସମ୍ପୃକ୍ତ ଦୁଇ ମୃତକ ବ୍ୟକ୍ତିଙ୍କ ରାସନ କାର୍ଡ ବର୍ତ୍ତମାନ ପିଡ଼ିଏସ ଓଡିଶା ୱେବସାଇଟରୁ କାଟିଦେଇଥିବାର ଲିଖିତ ଭାବରେ ଉତ୍ତର ରଖିଛନ୍ତି ଯୋଗାଣ ନିରୀକ୍ଷକ।
ହେଲେ ଦୀର୍ଘ ଚାରିବର୍ଷ ଯାଏଁ କିପରି କାର୍ଡଗୁଡିକ କାର୍ଯ୍ୟକ୍ଷମ ଥିବା ପ୍ରଶ୍ନରେ ଅବହେଳା ଲାଗି ଏପରି ହୋଇଥିବାର ଯୋଗାଣ ନିରୀକ୍ଷକ ବି.ଡ଼ି.ଓଙ୍କୁ ଉତ୍ତର ଦେଇଛନ୍ତି। ବି.ଡ଼ି.ଓ ବର୍ତ୍ତମାନ ଚିଲିକା ବ୍ଲକର ସତର ଗୋଟି ପଞ୍ଚାୟତର ମୃତ୍ୟୁ ରିପୋର୍ଟ ମଗାଇବା ସହ ସବୁ ପଞ୍ଚାୟତର ପି.ଇ.ଓ ଏବଂ ଯୋଗାଣ ସହାୟକମାନଙ୍କୁ ରାସନ କାର୍ଡ ଏବଂ ଖାଉଟି ସାମଗ୍ରୀ ବଣ୍ଟନର ରିପୋର୍ଟ ମାଗିବେ ବୋଲି ସୂଚନା ଦେଇଛନ୍ତି।
ଅପରପକ୍ଷେ ମାନସିଂହପୁର ପଞ୍ଚାୟତରେ ମୃତକଙ୍କ ରାସନ କାର୍ଡ କାର୍ଯ୍ୟକ୍ଷମ ଥିବା ଘଟଣାର ତଦନ୍ତ ଆଗକୁ ଅବ୍ୟାହତ ରହିବ ଏବଂ ଯଦି ସେଥିରେ କିଛି ଦୁର୍ନୀତି ହୋଇଥାଏ ତେବେ ଦୋଷୀଙ୍କ ଉପରେ ନିଶ୍ଚିତ ରୂପେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବି.ଡ଼ି.ଓ ଦୃଢୋକ୍ତି ପ୍ରକାଶ କରିଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାପାଳ ମହୋଦୟଙ୍କୁ ଆମ ପ୍ରତିନିଧି ଏ ବିଷୟ ନେଇ ଅବଗତ କରାଇବାପରେ ସେ ଉକ୍ତ ଘଟଣାର ତଦନ୍ତ ଭାର ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବାର ସୂଚନା ଦେଇଛନ୍ତି।