ଗୃହରେ ସରକାରଙ୍କୁ ଘେରିବା ପାଇଁ ବିଜେପି ପ୍ରସ୍ତୁତ କଲା ଆଠଟି ପ୍ରସଂଗ, ବିଧାୟକ ଦଳ ବୈଠକରେ ନିଷ୍ପତି

Published: Sep 27, 2020, 12:05 am IST

ଭୁବନେଶ୍ୱର, ବିଧାନସଭାରେ ବିଜେପିର ରଣନୀତି ପ୍ରସ୍ତୁତି ପାଇଁ ଆଜି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ୱେବିନାର ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଠଟି ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ନିଷ୍ପତି ହୋଇଛି।

ସେଗୁଡିକ ହେଲା ବିଜୁଳି ଦର ବୃଦ୍ଧି, ସାଂପ୍ରତିକ ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ତୃଟିପୂର୍ଣ୍ଣ କୋଭିଡ-୧୯ ପରିଚାଳନା, ପ୍ରବାସୀ ଓଡିଆ ଶ୍ରମିକ ସମସ୍ୟା, ନୂତନ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ, ସାର ଦୁର୍ନୀତି, ଓଏମବିଡିଏସି/ଡିଏମଏଫ/କାଂପା ଫଣ୍ଡର ବ୍ୟାପକ ଅନୀୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଆଦି ମୁଖ୍ୟ ପ୍ରସଙ୍ଗ ରହିବ। ସେହିପରି ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶା ସାମିଲ, ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବା ସଂପର୍କରେ ମଧ୍ୟ ବିଧାନସଭା ଅଧିବେସନରେ ଆଲୋଚନା କରାଯିବ ବୋଲି ମୁଖ୍ୟ ସଚେତକ ମୋହନ ମାଝୀ ବୈଠକ ପରେ ସୂଚନା ଦେଇ କହିଛନ୍ତି ।

ଏହି ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ବରିଷ୍ଠ ନେତା ଓ ସାଂସଦ ଜୁଏଲ ଓରାମ, ସୁରେଶ ପୁଜାରୀ, କେ.ଭି.ସିଂହଦେଓ, ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ସମସ୍ତ ବିଧାୟକ, ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାଏକ ଏବଂ ଡ,ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ହୋଇଥିଲେ ।

Related posts