ମହାରଥୀଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

Published: Oct 4, 2020, 11:48 am IST

ଭୁବନେଶ୍ବର : 65 ବର୍ଷ ବୟସରେ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଘଟିଛି । ଗତକାଲି ରାତ୍ରି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ବିଜେଡି ବିଧାୟକ ପ୍ରଦୀପ ମହାରଥୀ । ପ୍ରଦୀପ ମହାରଥୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକଟ କରିଛନ୍ତି ।

ରାଜ୍ୟପାଳ ଗଣେଶୀ ଲାଲ୍‌ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶୋକ ବ୍ୟକ୍ତ କରିବା ସହ ମହାରଥୀ ସାଧାରଣ ଲୋକଙ୍କ ନେତା ଥିଲେ ବୋଲି କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ସାନ୍ତ୍ବନା ପ୍ରଦାନକରି କହିଛନ୍ତି ଯେ, ବିଜେଡିର ଜଣେ ଟାଣୁଆ ନେତା ଥିଲେ ମହାରଥୀ ।

ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ମହାରଥୀ ଲୋକଙ୍କ ସାଙ୍ଗରେ ରହି ସମସ୍ୟାର ସମାଧାନ କରୁଥିଲେ ବୋଲି କହିଛନ୍ତି । ମହାରଥୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ହୋଇ ଶୋକପ୍ରକାଶ ଜଣାଇଛନ୍ତି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ ଜଣାଇଛନ୍ତି ।

ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀର ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ରହିଛି ।

Related posts