ତିର୍ତ୍ତୋଲ ରାଜନୀତିର ଦଳଡିଆଁ: ବିଜେପି ଛାଡିଲେ ରମାକାନ୍ତ ଭୋଇ

Published: Oct 6, 2020, 10:32 pm IST

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ରାଜନୈତିକ ନେତା ମାନଙ୍କର ଦଳଡିଆଁ ସେତିକି ବଢିବାରେ ଲାଗିଛି। ବିଜେପି ଦଳରୁ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ଆଜି ବିଜେପି ଛାଡିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିବା ସୂଚନା ମିଳିଛି। ତିର୍ତ୍ତୋଲ ଉପନିର୍ବାଚନ ନେଇ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ରମାକାନ୍ତ ଦଳ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଦିନ ତଳେ ତିର୍ତ୍ତୋଲ ଆସନରୁ ଦୁଇଥର କଂଗ୍ରେସ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜକିଶୋର ବେହେରା କିମ୍ବା ହରିହର ବେହେରାଙ୍କୁ ତିର୍ତ୍ତୋଲ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିବାର ସମ୍ଭାବନା ରହିଥିବା ଆଶଙ୍କା କରି ଦଳର ଏଭଳି ରଣନୀତିକୁ ନେଇ ରମାକାନ୍ତ ଭୋଇ ଅସନ୍ତୁଷ୍ଟ ଥିଲେ ବୋଲି କୁହାଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ବିଧାନସଭା ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ବିଷ୍ଣୁ ଦାସ ପ୍ରାୟ ୯୩,୭୭୪ ଭୋଟ୍ ପାଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାବେ ବିଜେପିର ରମାକାନ୍ତ ଭୋଇ ୫୩,୫୮୧ ଖଣ୍ଡ ଭୋଟ୍ ପାଇଥିଲେ। ପ୍ରାୟ ୪୦,୪୭୭ ଖଣ୍ଡରୁ ଅଧିକ ଭୋଟ୍ ବ୍ୟବଧାନରେ ବିଷ୍ଣୁ ଦାସ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ୨୦୧୯ ନିର୍ବାଚନରେ ତିର୍ତ୍ତୋଲରେ ଦ୍ବିତୀୟ ସ୍ଥାନରେ ଥିଲେ ରମାକାନ୍ତ ଭୋଇ। ରାଜକିଶୋର ବିଜେପିକୁ ଆସିବା ପରଠାରୁ ସେ ଅସନ୍ତୁଷ୍ଟ ଥିବା ଜଣାପଡିଛି।

ଗତ କିଛି ଦିନ ହେବ ରମାକାନ୍ତ କିଛି ବିଜେଡି ନେତାଙ୍କ ସଂପର୍କରେ ଥିଲେ ବୋଲି ଶୁଣିବାକୁ ମିଳୁଥିଲା। ତେବେ ସେ ବିଜେପି ଛାଡିବା ପରେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ରମାକାନ୍ତ ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି। ସେ କେଉଁ ଦଳକୁ ଯିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Related posts