ଦମ୍‌ଦାର ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ୍‌ ଚେନ୍ନାଇର ଅଭିଯାନ ଆରମ୍ଭ

Published: Mar 24, 2019, 11:30 am IST
chennai beat bangalore in the first match of ipl
ବିଜୟରୁ ଅଭିଯାନ ଆରମ୍ଭ କରିଛି ୨୦୧୮ର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ)। ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ସିଏସ୍‌କେ ପ୍ରତିପକ୍ଷ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ଏକପାଖିଆ ଭାବେ ୭ ୱିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ମାତ୍ର ୧୭.୧ ଓଭର୍‌ରେ ୭୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଏହାର ଜବାବ୍‌ରେ ସିଏସ୍‌କେ ୧୭.୪ ଓଭର୍‌ରେ ୩ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଧୋନି ଟସ୍‌ ଜିତି ଆରସିବିକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ଦୁଇ ଅଭିଜ୍ଞ ସ୍ପିନର ହରଭଜନ ସିଂହ ଓ ଇମ୍ରାନ୍‌ ତାହିରଙ୍କ ଯାଦୁ ଆଗରେ ପୂରା ଆରସିବି ଟିମ୍‌ ଆତ୍ମସମର୍ପଣ କରିଦେଇଥିଲା। ହରଭଜନ ବିରାଟ୍‌ କୋହଲି(୬)ଙ୍କୁ ଆଉଟ୍‌ କରି ଆରସିବିକୁ ଶକ୍ତ ଝଟ୍‌କା ଦେଇଥିଲେ। ଏହାପରେ ଭଜି ମୋଇନ୍‌ ଅଲ୍ଲୀ(୯) ଓ ବିସ୍ଫୋରକ ଏବି ଡିଭିଲିୟର୍ସ(୯)ଙ୍କୁ ଆଉଟ୍‌ କରି ଆରସିବିର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ହରଭଜନଙ୍କ ପରେ ଇମ୍ରାନ୍‌ ତାହିର ନିଜର ଜଲୱା ଦେଖାଇଥିଲେ। ସେ ନିଜର ପ୍ରଥମ ଓଭର୍‌ର ପ୍ରଥମ ବଲ୍‌ରେ ଶିବମ ଦୁବେ(୨)ଙ୍କୁ ଆଉଟ୍‌ କରିଦେଇଥିଲେ। ଏହାପରେ ସେ ଯଥାକ୍ରମେ ନଭଦୀପ ସାଇନି ଓ ୟୁଜଭେନ୍ଦର ଚହଲଙ୍କ ୱିକେଟ୍‌ ନେଇଥିଲେ। ରବୀନ୍ଦ୍ର ଜାଡେଜା କଲିନ୍‌ ଡି ଗ୍ରାଣ୍ଡହୋମ(୪) ଓ ଉମେଶ ଯାଦବ(୧)ଙ୍କୁ ପ୍ୟାଭିଲିୟନ୍‌ ପଠାଇଥିଲେ। ଧୈର୍ଯ୍ୟର ସହିତ ବ୍ୟାଟିଂ କରୁଥିବା ପାର୍ଥିବ ପଟେଲ(୨୯)ଙ୍କ ୱିକେଟ୍‌ ଡ୍ୱେନ୍‌ ବ୍ରାଭୋ ନେଇଥିଲେ। ଆରସିବିର ଶେଷ ବ୍ୟାଟସ୍‌ମ୍ୟାନ୍‌ ଭାବେ ପାର୍ଥିବ ଆଉଟ୍‌ ହୋଇଥିଲେ। ଆରସିବିର ଏକମାତ୍ର ବ୍ୟାଟସ୍‌ମ୍ୟାନ୍‌ ଭାବେ ପାର୍ଥିବ ପଟେଲ ହିଁ ଦୁଇ ଅଙ୍କ ଛୁଇଁଥିଲେ। ସିଏସ୍‌କେ ପକ୍ଷରୁ ହରଭଜନ ଓ ତାହିର ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଜାଡେଜା ୨ଟି ଓ ବ୍ରାଭୋ ଗୋଟିଏ ୱିକେଟ୍‌ ନେଇଥିଲେ। ଆରସିବି ଦେଇଥିବା ୭୧ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ସିଏସ୍‌କେ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା। ୧୦ଟି ବଲ୍‌ ଖେଳି ପିଚ୍‌ରେ ସଂଘର୍ଷ କରୁଥିବା ଓପନର ଶେନ୍‌ ୱାଟସନ୍‌ ଖାତା ଖୋଲିବା ପୂର୍ବରୁ ୟୁଜବେନ୍ଦ୍ର ଚହଲଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ଅନ୍ୟତମ ଓପନର ଅମ୍ବାତି ରାୟୁଡୁ ଓ ଅଭିଜ୍ଞ ସୁରେଶ ରାଇନା ଦଳର ସ୍ଥିତି ସମ୍ଭାଳିଥିଲେ। ତେବେ ୧୯ ରନ୍‌ କରିଥିବା ରାଇନାଙ୍କୁ ମୋଇନ୍‌ ଅଲ୍ଲୀ ଆଉଟ୍‌ କରି ସିଏସ୍‌କେର ବିଜୟକୁ ବିଳମ୍ବିତ କରିଥିଲେ। ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା କେଦାର ଯାଦବ କିଛି ସମୟ ପାଇଁ ଅମ୍ବାତି ରାୟୁଡୁଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଦଳୀୟ ସ୍କୋର ୫୯ ଥିବା ବେଳେ ଅମ୍ବାତି ରାୟୁଡୁ (୨୮) ରନ୍‌ କରି ମହମ୍ମଦ ସିରାଜଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲା। ଏହାପରେ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରିବାକୁ ଆସିଥିଲେ ଏବଂ କେଦାର ଯାଦବଙ୍କ ସହ ମିଶି ସିଏସ୍‌କେର ବିଜୟ ମୁଣ୍ଡି ମାରିଥିଲେ। କେଦାର ଯାଦବ ଶେଷ ପର୍ଯ୍ୟନ୍ତ ୧୩ ରନ୍‌ ଓ ଜାଡେଜା ୬ ରନ୍‌ କରି ଅପରାଜିତ ରହିବା ସହ ଦଳକୁ ୧୪ ବଲ୍‌ ପୂର୍ବରୁ ବିଜୟୀ କରାଇଥିଲେ। ଆଜି କେକେଆର ଏବଂ ସନ୍‌ରାଇଜର୍ସ ମଧ୍ୟରେ ପ୍ରଥମ ମୁକାବିଲା ହେବାର ଥିବା ବେଳେ ମୁମ୍ବାଇ ଇଣ୍‌ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଦ୍ଵିତୀୟ ମ୍ୟାଚ ଖେଳାଯିବା।

Related posts