ଲଗାଣ ବର୍ଷା ଯୋଗୁଁ ବ୍ରିଜ୍‌ ଭାସିଗଲା : 15 ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

Published: Oct 13, 2020, 5:19 pm IST

ବ୍ରହ୍ମପୁର : ଆନ୍ଧ୍ର ପ୍ରଦେଶ ଉପକୂଳ କାକିନାଡ଼ାଠାରେ ଅବପାତ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅଧକାଂଶ ଜିଲ୍ଲାରେ ବର୍ଷା ହେଉଛି ।  ଲଗାଣ ବର୍ଷା ଯୋଗୁଁ ସୋରଡା ବ୍ଲକ ବରଦା ପଞ୍ଚାୟତର ଖାରିଗୁଡାରେ ନିର୍ମିତ ବ୍ରିଜ୍‌ ଭାସିଯାଇଛି । ଫଳରେ 15 ଖଣ୍ଡ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ବ୍ରିଜ୍‌ଟି ଗୋକୁଳପୁର-ଖାରିଗୁଡାକୁ ସଂଯୋଗ କରୁଥିଲା । ଅପରପକ୍ଷରେ ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ଅଞ୍ଚଳର ପାତ୍ରପୁର ବ୍ଲକ ଅନ୍ତର୍ଗତ 5ଟି ଗାଁ ଜଳ ମଗ୍ନ ହୋଇପଡ଼ିଛି । ଆଙ୍ଗୁଲି ଓ ବୁରାତାଲ ପଞ୍ଚାୟତର 5ଟି ଗାଁ ଜଳମଗ୍ନ ହୋଇଛି । ଅବପାତଜନିତ ବର୍ଷା, ଝରଣା ପାଣି ଓ ବାଘଲଟି ଜଳ ପ୍ରକଳ୍ପ ପାଣିରେ ସମ୍ପୃକ୍ତ ଗାଁଗୁଡ଼ିକ ବୁଡ଼ି ଯାଇଛି। ସେହିପରି ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ଅଘଟଣ ଘଟିଛି । ତଡ଼କାସାହି ଓ ଚରିଆବାଡ଼ ରାସ୍ତାରେ ପାହାଡ଼ ଧସି ପଡ଼ିଥିବା ଜଣାଯାଇଛି। ପାହାଡ଼ରୁ ମାଟି ଅତଡ଼ା ଖସିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି ।

Related posts