ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Published: Oct 14, 2020, 12:58 pm IST

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରିଜାଇଡିଂ ଓ ଫାଷ୍ଟ ପୋଲିଂ ଅଧିକାରୀ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨ଟି ପର୍ଯ୍ୟାୟରେ ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଓ ୨୦ତାରିଖ ଠାରୁ ୨୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ଜଗତସିଂହପୁର ଏସ୍.ଭି.ଏମ୍ କଲେଜର ସାଇନ୍ସ ବ୍ଲକରେ ଅନୁଷ୍ଠିତ ହେଉଛି। ଗତକାଲି ପ୍ରଥମ ଦିନରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଧ୍ୟାନ କରି କୋଭିଡ୍-୧୯ ମାର୍ଗଦର୍ଶିକାକୁ କଡାକଡି ପାଳନ କରିବାକୁ ସମସ୍ତ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଫାଟକରେ ଏକ ସୂଚନାକେନ୍ଦ୍ର ଖୋଲାଯାଇ ପ୍ରଶିକ୍ଷାର୍ଥିଙ୍କୁ କୋଭିଡ୍-୧୯ ମାର୍ଗଦର୍ଶିକା ସଂପର୍କରେ ସଚେତନତା କରାଯାଉଛି। ରାଜସ୍ବ ବିଭାଗ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି।

ଏଥିସହିତ ଜଗତସିଂହପୁର ତହସିଲଦାର ମାନସ ରଞ୍ଜନ ଭୋଇ, ବାଲିକୁଦା ତହସିଲଦାର ସିଦ୍ଧାର୍ଥ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କୋଭିଡ୍-୧୯ ମାର୍ଗଦର୍ଶିକାକୁ କଡାକଡି ପାଳନ କରିବାକୁ ପ୍ରଶିକ୍ଷଣାର୍ଥି ମାନଙ୍କୁ ପରାମର୍ଶ ଦେଉଛନ୍ତି। ଏମିତିକି ପ୍ରତ୍ୟେକ ହଲରେ ଥର୍ମାଲ ସ୍କାନିଙ୍ଗ ସହିତ ହାତ ସାନିଟାଇଜ୍ କରାଯାଉଛି ।ଏଥିସହିତ ଗତକାଲି ପ୍ରଥମ ଦିନରେ ୨୭୧ଜଣ ପ୍ରିଜାଇଡିଂ ଅଫିସର ଓ ଫାଷ୍ଟ ପୋଲିଂ ଅଫିସର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Related posts