ଜେକେସିଏ ଦୁର୍ନୀତି ମାମଲାରେ ଫାରୁକ ଅବଦୁଲ୍ଲାଙ୍କୁ ଇଡିର ଜେରା

Published: Oct 19, 2020, 5:13 pm IST

ଶ୍ରୀନଗର : ଜମ୍ମୁ କାଶ୍ମୀର କ୍ରିକେଟ ସଂଘର ଏକ ଦୁର୍ନୀତି ମାମଲାରେ ଫାରୁକ ଅବଦୁଲ୍ଲାଙ୍କୁ ପଚରା ଉଚୁରା କରିଛି ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ । ଶ୍ରୀନଗର ସ୍ଥିତ ଇଡି କାର୍ଯ୍ୟାଳୟରେ ଅବଦୁଲ୍ଲାଙ୍କୁ ଜେରା କରାଯାଉଥିବା ବେଳେ ଓମାର ଅବଦୁଲ୍ଲା ଏହି ଘଟଣାକୁ ନିନ୍ଦା କରିଛନ୍ତି । ଜମ୍ମୁ କାଶ୍ମୀରରେ କ୍ରିକେଟର ବିକାଶ ପାଇଁ 112 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଏହା ମଧ୍ୟରୁ 43 କୋଟି ହେରଫେର ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏହି ଦୁର୍ନୀତି ମାମଲାକୁ ନେଇ 2019ରୁ ଇଡି ପକ୍ଷରୁ ପଚରାଉଚୁରା କରାଯାଉଛି । 2002ରୁ 2011 ମଧ୍ୟରେ ଅବଦୁଲ୍ଲା କ୍ରିକେଟ ବୋର୍ଡର ଚେୟାରମ୍ୟାନ ରହିଥିବା ସମୟରେ ଏହି ହେରଫେର ହୋଇଥିବା ଜଣାପଡିଛି । ତେବେ ଫାରୁକଙ୍କ ପୁଅ ଓମାର ଅବଦୁଲ୍ଲା ଏହି ଘଟଣାରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୁପକାର ରାଜିନାମାରେ ଭୟଭୀତ ହୋଇ କେନ୍ଦ୍ର ସରକାର ଇଡି ଜରିଆରେ ପ୍ରତିଶୋଧପରାୟଣ ରାଜନୀତି କରୁଛି ବୋଲି ଓମାର ଟ୍ୱିଟ କରିଛନ୍ତି ।

Related posts