
ରମେଶ ମହାନ୍ତି
ଜଗତସିଂହପୁର: କିଛି ମଦ୍ୟପ ଓ ଅସାଧୁ ପୋଲିସ୍ ଅଫିସରଙ୍କ ଯୋଗୁଁ ପୋଲିସ ପ୍ରଶାସନ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଧୀରେ ଧୀରେ କମୁଥିବା କୁହାଯାଉଛି। ଏପରିକି ପୋଲିସ ବାବୁ ମାନେ କୋଉଠି ମହିଳାଙ୍କୁ ଅସଦାଚରଣ କଲେଣି ତ ପୁଣି କୋଉଠି ଦୁର୍ବୁତ୍ତ ସାଜି ଲୁଟ କରିବାକୁ ପଛଉନାହାନ୍ତି। ଏମିତିକି “ମାଲ୍ ଫେକୋ ତାମାସା ଦେଖୋ” ନୀତିରେ ଚାଲିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା ବୋଲି ଚର୍ଚ୍ଚା ହେବା ସହିତ ମଦ, ଚୋରି ରାହାଜାନି ଡକାଇତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ସବୁ କେବଳ କେତେଜଣ ଅସାଧୁ ପୋଲିସ ମାନଙ୍କ ପାଇଁ ସମଗ୍ର ଡିପାର୍ଟମେଣ୍ଟକୁ ସମସ୍ତଙ୍କ ଆଗରେ ନିନ୍ଦିତ ହେବାକୁ ପଡ଼ୁଛି।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ପୋଲିସ ଷ୍ଟେସନ ବାରାକ ମଧ୍ୟରେ। ଉକ୍ତ ଥାନାର ଏସ୍ ଆଇ ବିବେକାନନ୍ଦ ସାହୁ ଡିଉଟିରେ ଥିବା ବେଳେ ଖୋଲାଖୋଲି ଭାବେ ପୋଲିସ ପୋଷାକରେ ବସି ପେସାଦାର ମାଦୁଆଙ୍କ ଭଳି ଫିଲ୍ମ ଷ୍ଟାଇଲରେ ମଦ ପିଉଥିବା ଘଟଣାର ଭିଡିଓ ଫଟୋ ସାମାଜିକ ଗଣମାଧ୍ୟମରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏପରି ଘଟଣା ଜିଲ୍ଲା ପୋଲିସ୍ ପ୍ରଶାସନର ଦୃଷ୍ଟି ଗୋଚର ହେବା ପରେ ଉକ୍ତ ପୋଲିସ୍ ଏସ୍.ଆଇ ଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି।