ଗତ 24 ଘଣ୍ଟାରେ 43 ହଜାର 893 ଆକ୍ରାନ୍ତ ଚିହ୍ନଟ,  508 ମୃତ

Published: Oct 28, 2020, 10:03 am IST

ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ 43 ହଜାର 893 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 508ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 20 ହଜାର 10କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ମୋଟ୍‌ ଆକ୍ରାନ୍ତଙ୍କସଂଖ୍ୟା 79 ଲକ୍ଷ 90 ହଜାର 322କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 6 ଲକ୍ଷ 10 ହଜାର 803 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 72 ଲକ୍ଷ 59 ହଜାର 509 ରହିଛି ।

ସୂଚନାଯୋଗ୍ୟ ପ୍ରାୟ ତିନି ମାସ ପରେ ଗତକାଲି 40 ହଜାର ତଳକୁ କରୋନା ମାମଲା ଚିହ୍ନଟ ହୋଇଥିଲା । କିନ୍ତୁ ଆଜି ଏହା 40 ହଜାର ଉପରକୁ ରହିଛି । ଆଇସିଏମ୍‌ଆର ସୂଚନା ଅନୁସାରେ ଗତକାଲି ସୁଦ୍ଧା ଦେଶରେ ମୋଟ୍‌ 10 କୋଟି 54 ଲକ୍ଷ 87 ହଜାର 680 ନମୁନା ପରୀକ୍ଷଣ ହୋଇଛି । ଗତକାଲି 10 ଲକ୍ଷ 66 ହଜାର 786 ନମୁନା ପରୀକ୍ଷଣ ହୋଇଥିଲା ।  ତେବେ ଦେଶରେ କରୋନା ମୃତ୍ୟୁ ହାର ଲଗାତାର ଭାବରେ ହ୍ରାସ ପାଉଛି । ସେହିପରି ଦେଶରେ ସୁସ୍ଥ ହାର ବଢିବାରେ ଲାଗିଛି । ଏବେ ଦେଶରେ କରୋନା ମୃତ୍ୟୁହାର 1.5% ରହିଥିବାବେଳେ ସୁସ୍ଥ ହାର 90.62% ରହିଛି । (ଏଜେନ୍ସି)

Related posts