ହାଇଦ୍ରାବାଦ, ଆଜି ଅପରାହ୍ନରେ ହାଇଦ୍ରାବାଦ ପୋଲିସ ଏକ କାର ଭିତରୁ ଏକ କୋଟି ଟଙ୍କା ଜବତ କରିଛି। ଏହି ଟଙ୍କା ତେଲଙ୍ଗାନା ଡୁବୁକା ବିଧାନସଭାର ବିଜେପି ପ୍ରାର୍ଥୀ ଏମ ରଘୁନନ୍ଦନ ରାଓଙ୍କ ଶଳାଙ୍କ ଗାଡିରୁ ଜବତ କରାଯାଇଛି। ତାଙ୍କ ନାମ ହେଉଛି ଶ୍ରୀନିବାସ ରାଏ। ଡୁବୁକାରେ ଆସନ୍ତା ନଭେମ୍ବର 3 ତାରିଖରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ।
ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନୀ କୁମାର କହିଛନ୍ତି ଯେ, ଏହି ବିପୁଳ ପରିମାଣର ଟଙ୍କା ଭୋଟରମାନଙ୍କୁ ବାଣ୍ଟିବା ପାଇଁ ନିଆଯାଉଥିଲା। ପୋଲିସ ଏକ ଖବର ପାଇ ଏହି କାରର ପିଛା କରି ବେଗମପେଟ୍ ଫ୍ଲାଏଓଭରରୁ ଧରିଥିଲା। ପୋଲିସକୁ ଶ୍ରୀନିବାସ କହିଛନ୍ତି ଯେ ଏହି ଟଙ୍କା ବିଶାଖା ଇନଣ୍ଡଷ୍ଟ୍ରୀର ମାଲିକ ଜି ବିବେକଙ୍କଠାରୁ ଅଣାଯାଇଥିଲା। ଜି ବିବେକ ହେଉଛନ୍ତି ଜଣେ ପୂର୍ବତନ ବିଜେପି ସାଂସଦ। ଭୋଟ ପ୍ରଚାର ସରିବାର ମାତ୍ର କେଇ ମିନିଟ ମଧ୍ୟରେ ଏପରି ଟଙ୍କା ଜବତ ହେବା ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି।