ଭୁବନେଶ୍ବର : ରାତି ପାହିଲେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ପାଇଁ କରାଯାଇଥିବା ସ୍ବତନ୍ତ୍ର ବ୍ୟବସ୍ଥା ବିଷୟରେ ଅବଗତ କରାଇଛନ୍ତି । ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ତେବେ ଏହା ପୂର୍ବରୁ ପୋଲିଂ ବୁଥଗୁଡ଼ିକ ସାନିଟାଇଜ କରାଯାଉଛି ଏବ୍ଂ ଭୋଟରଙ୍କ ସୁବିଧା ପାଇଁ ବୁଥ ସଂଖ୍ୟା ବଢ଼ାଯାଇଛି। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମତଦାନ ପାଇଁ ମତଦାତାମାନେ ନିଜର ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଦେଖାଇ ପାରିବେ। କରୋନା ଆକ୍ରାନ୍ତଙ୍କୁ ମତଦାନ କେନ୍ଦ୍ରକୁ ନଆସିବା ପାଇଁ କୁହାଯାଇଥିବା ବେଳେ ଥଣ୍ଡା, ଛିଙ୍କ ଓ କାଶ ହେଉଥିଲେ ଟୋକନ ନେଇ ଶେଷ ସମୟରେ ଭୋଟ ଦେବାକୁ କୁହାଯାଇଛି। ମତଦାନ ସମୟରେ ବୁଥରେ ଆଶାକର୍ମୀ ଓ ସ୍ବେଚ୍ଛାସେବୀ ଉପସ୍ଥିତ ରହିବେ।
ସାମାଜିକ ଦୂରତା ରକ୍ଷା କରି ସମସ୍ତ କରୋନା ଗାଇଡଲାଇନ ପାଳନ କରି ଭୋଟରଙ୍କୁ ଭୋଟ ଦେବାକୁ କୁହାଯାଇଛି। ଏଥିସହ ମତଦାନ କେନ୍ଦ୍ରକୁ ଆସୁଥିବା ସମସ୍ତ ମତଦାତାଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ। ଯଦି କାହାର ଶରୀରର ଉତ୍ତାପ ସାଧାରଣ ଠାରୁ ଅଧିକ ଥାଏ କିମ୍ବା କୋଭିଡ୍ ଲକ୍ଷଣ ପ୍ରକାଶ ପାଉଥାଏ ତେବେ ତାଙ୍କୁ ଏକ ଟୋକନ୍ ଦିଆଯାଇ ଫେରାଇ ଦିଆଯିବ। ସେମାନେ ମତଦାନ ଶେଷ ପର୍ୟ୍ୟାୟରେ ଆସି ଏକାକୀ ଭୋଟ୍ ଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି।