ପ୍ରାକ୍‌ ନିର୍ବାଚନୀ ହିଂସା : ପୂର୍ବତନ ଆନନ୍ଦପୁର ବ୍ଲକ୍‌ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା

Published: Mar 26, 2019, 12:23 pm IST
preelection violence in ghashipura, kendrapada district

ନିର୍ବାଚନ ପୂର୍ବରୁ ପ୍ରାକ୍‌ ନିର୍ବାଚନୀ ହିଂସା ଆରମ୍ଭ ହୋଇ ଗଲାଣି। କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଘରୁ ଡାକି ନେଇ ନେତାଙ୍କ ଦୁଇ ହାତ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ଜଣକ ହେଲେ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ତଥା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା। ତାଙ୍କୁ ରାଜନୈତିକ ଆକ୍ରୋଶରୁ ନୃଶଂସ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ କିଛି ଦୁର୍ବୃତ୍ତ ରାମଚନ୍ଦ୍ରଙ୍କୁ  ତାଙ୍କ ବାସଭବନରୁ ଡାକି ନେଇଥିଲେ। ଏହାପରେ ସଂଘବନ୍ଧ ଭାବେ ଖଣ୍ଡା ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଘଷିପୁରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଛନ୍ତି। ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଥିବାବେଳେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Related posts