
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କରୋନା କାଳରେ କୋଟି କୋଟି ଲୋକ ବେରୋଜଗାର ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୁଲ ନୀତି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ଲୋକଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି।
ଶ୍ରମ ଆଇନର ସଂଶୋଧନ କରି ସରକାର ମାଲିକଙ୍କ ବୋଲକରା ସାଜିଛନ୍ତି। କରୋନା ସଂକ୍ରମଣ ସମୟରେ ଶ୍ରମିକ ମାନେ ନିଜ ମାତୃଭୂମିକୁ ଫେରିଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ କାମ ଯୋଗାଇବାରେ ବିଫଳ ହୋଇଛନ୍ତି। ରାଜ୍ୟ ସରକାର ବିଦ୍ୟୁତ ଶୁଳ୍କ ଛାଡ଼ କରିବା ପରିବର୍ତ୍ତେ ବୃଦ୍ଧି କରିବା ବିଦ୍ୟୁତ କଂପାନୀର ଏଜେଣ୍ଟ ପରି କାମ କରୁଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ବଡ଼ ବଡ଼ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଂଜି ପ୍ରତ୍ୟାହାର କରି ସେହି ସବୁ ଉଦ୍ୟୋଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଠିକା କର୍ମଚାରୀଙ୍କୁ ତ ସ୍ଥାୟୀ ନିଯୁକ୍ତି ଦେଉନାହାନ୍ତି ବରଂ ସରକାର ଶ୍ରମିକ ଆଇନ ସଂଶୋଧନ କରି ଶ୍ରମିକ ଓ ଖଟିଖିଆ ଶ୍ରେଣୀଙ୍କର ମୌଳିକ ଅଧିକାରକୁ ହରଣ କରିବାକୁ ଯାଉଥିବା ମଜଦୂର କଂଗ୍ରେସ ଅଭିଯୋଗ କରିଛି। ତେଣୁ ରାଷ୍ଟ୍ରପତି ମହୋଦୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ସେମାନେ ଜନ ବିରୋଧୀ ନୀତିରୁ ଯେପରି କ୍ଷାନ୍ତ ରହିବେ।
ଏହି ଦାବିପତ୍ର ପ୍ରଦାନ ସମୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ପୀତବାସ ପଣ୍ଡା, କାହ୍ନୁ ନାୟକ, ଭୋକାଲି ସେଠୀ, ବାବୁଲା ବେଗ୍, ଉଦୀୟନାଥ ପାଣିଗ୍ରାହୀ, ପଫୁଲ ପଟ୍ଟନାୟକ, ପଦ୍ମଚରଣ ସାହୁ, ସୁବ୍ରତ ପାଳ, ପ୍ରଶାନ୍ତ ସାହୁ, ଅନିରୁଦ୍ଧ ପାତ୍ର, ଆରତି ପଟ୍ଟନାୟକ, ସାରା ମିଶ୍ର, ସିଲ୍ପି ପ୍ରଦାନ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।