ଆସନ୍ତା 20ରୁ ଶୀତକାଳୀନ ବିଧାନସଭା ଅଧିବେଶନ : ଅଧିବେଶନ ପୂର୍ବରୁ ହେବ କୋଭିଡ ଟେଷ୍ଟ

Published: Nov 10, 2020, 3:12 pm IST

ଭୁବନେଶ୍ବର : ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିବେଶନ ପୂର୍ବରୁ ବିଧାନସଭାର ସମସ୍ତ ସଦସ୍ୟ, ବ୍ୟକ୍ତିଗତ ସଚିବ ଓ କର୍ମଚାରୀମାନଙ୍କ କୋଭିଡ୍ ଟେଷ୍ଟ କରାଯିବ। ସମ୍ପୂର୍ଣ୍ଣ କରୋନା କଟକଣା ସହିତ ଅଧିବେଶନ ହେବ। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ବାଚସ୍ପତିଙ୍କ ସୂଚନା ଅନୁଯାୟୀ, ମୌସୁମୀ ଅଧିବେଶନ ଭଳି ଏଥର ମଧ୍ୟ କରୋନାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା 17, 18 ଓ 19 ତାରିଖରେ ବିଧାନସଭା ସଦସ୍ୟ ଓ ବ୍ୟକ୍ତିଗତ ସଚିବମାନଙ୍କର କରୋନା ଟେଷ୍ଟ ହେବ। ଏହାପରେ ବିଧାୟକମାନଙ୍କ ସହାୟକ ଓ ବିଧାନସଭା କର୍ମଚାରୀମାନଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ ବୋଲି ବାଚସ୍ପତି କହିଛନ୍ତି। ଶୀତ ଅଧିବେଶନ ରିପୋର୍ଟିଂ ପାଇଁ ବିଧାନସଭା ଯିବାକୁ ଥିବା ସାମ୍ବାଦିକମାନଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ। ସାମ୍ବାଦିକମାନଙ୍କୁ ମାସ୍କ ଓ ସାନିଟାଇଜର ମଧ୍ୟ ପ୍ରଦାନ କରାଯିବ। ଅଧିବେଶନ ଚାଲିଥିବା ସମୟରେ ଦ୍ଵିତୀୟ ପର୍ଯ୍ୟାୟ ଟେଷ୍ଟ କରାଯିବ। ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ୍ କରାଯିବ ବୋଲି ବାଚସ୍ପତି କହିଛନ୍ତି। ଗତ ଅଧିବେଶନ ପରି ଏଥର ମଧ୍ୟ ସଦସ୍ୟମାନେ ଭିଡିଓ କନଫରେନ୍ସିଂ ଜରିଆରେ ଭାଗ ନେଇପାରିବେ। ତେବେ ପ୍ରଶ୍ନକାଳ ବାତିଲ ହେବ କି ନାହିଁ ସେନେଇ କିଛି ଆଲୋଚନା ହୋଇନଥିବା ବାଚସ୍ପତି ସୂଚନା ଦେଇଛନ୍ତି।

Related posts