ଭୁବନେଶ୍ବର : ଆଜି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଭିଡିଓ କନଫରେନ୍ସିରେ କଥାବାର୍ତ୍ତା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାଭିମାନ ଅଞ୍ଚଳ ମୋ ହୃଦୟରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ସ୍ବାଭିମାନ ଅଂଚଳର ରାଜ୍ୟର ଅନ୍ୟତମ ଆଗୁଆ ଅଞ୍ଚଳ ଭାବେ ପରିଗଣିତ ହେବ । ଆଜି ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ସ୍ମାର୍ଟ ଫୋନ ବିତରଣ କାର୍ଯ୍ୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ସ୍ବାଭିମାନ ଅଂଚଳର ପ୍ରତିଟି ପରିବାରକୁ ମିଳିବ ସ୍ମାର୍ଟ ଫୋନ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମାଲକାନଗିରି ଜିଲ୍ଲାର ବିଚ୍ଛିନାଞ୍ଚଳବାସୀ ଏବେ ଆଉ ବିକାଶ ଠାରୁ ବିଚ୍ଛିନ୍ନ ହୋଇ ରହିନାହାଁନ୍ତି । ଏବେ ସେଠାରେ ଆରମ୍ଭ ହୋଇଛି ବିକାଶର ନୂଆ ଅଧ୍ୟାୟ । 2018ରେ ଗୁରୁପ୍ରିୟା ସେତୁ ଉଦଘାଟନ ପରେ ବିଚ୍ଛିନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ନାମିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ 100 କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ । ଏହି ପ୍ୟାକେଜ ଏବେ 215 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବିଚ୍ଛିନଞ୍ଚଳରେ ଯୋଡି ହୋଇଛି ବିଚ୍ଛିନ୍ନତା, ସ୍ବାଭିମାନ ଅଞ୍ଚଳବାସୀ ହୋଇଛନ୍ତି ପ୍ରଗତିର ସାଥି ।
ସ୍ବାଭିମାନ ଅଞ୍ଚଳର ପ୍ରତିଟି ପରିବାରକୁ ମିଳିବ ସ୍ମାର୍ଟ ଫୋନ । ଆଜି ଏହି ସ୍ମାର୍ଟ ଫୋନ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ 110 ଜଣଙ୍କୁ ସ୍ମାର୍ଟ ଫୋନ ଦିଆଯାଇଛି । ଏହା ଦ୍ବାରା ଲୋକେ ପରସ୍ପର ସହ ଯୋଡି ହେବେ ଏବଂ ପିଲାମାନେ ଅନଲାଇନରେ ପାଠ ପଢିପାରିବେ । କାରଣ ପୂର୍ବରୁ ସ୍ବାଭିମାନ ଅଂଚଳରେ 4ଟି ମୋବାଇଲ ଟାୱାର ପ୍ରତିଷ୍ଠା ହୋଇଥିବା ବେଳେ ଆଉ 4-ଜି ସେବା ସହ ଆଉ 3ଟି ଟାୱାର ପ୍ରତିଷ୍ଠା ହେବ ।
ସ୍ବାଭିମାନ ଅଞ୍ଚଳରେ ଚାଷ, ଜଳସେଚନ, ସ୍ବାସ୍ଥ୍ୟ, ଶିକ୍ଷା, ଯୋଗାଯୋଗକୁ ଗୁରୁତ୍ବ ଦିଆଯାଉଛି । ହଳଦୀ ଚାଷକୁ ପ୍ରୋତ୍ସାହନ ସହ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର 33/11 କେଭି ବିଦ୍ୟୁତ ଲାଇନ କାମ ମଧ୍ୟ ଖୁବଶୀଘ୍ର ଶେଷ ହେବ । କଂକ୍ରିଟ ରାସ୍ତା କାମ ଚାଲିଥିବା ବେଳେ 78 କିଲୋମିଟର ପିଚୁ ରାସ୍ତା କାମ ଚାଲିଛି । 7ଟି ସେତୁ ପାଇଁ 100 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସବୁ ଘରକୁ ପାଇପ ଯୋଗେ ପିଇବା ପାଣି ମିଳିବ । 32 କୋଟି ଟଙ୍କା ଖର୍ଚ୍ଚରେ ଜଳସେଚନ ପାଇଁ 43ଟି ଉଠା ଜଳସେଚନ ପ୍ରକଳ୍ପ ଏବଂ 419ଟି ଗଭୀର ନଳକୂପ ପ୍ରତିଷ୍ଠା କରାଯିବ। ଏହାଦ୍ବାରା 1700 ହେକ୍ଟର ଜମିକୁ ପାଣି ମିଳିପାରିବ । ସ୍ବାଭିମାନ ଅଞ୍ଚଳର 82ଟି ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।