ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିହାର ନିର୍ବାଚନ ପରାଜୟ ପରେ ସାମାନ୍ୟ ରକ୍ଷଣାତ୍ମକ ଭୂମିକା ଆପଣେଇଥିବା ରାହୁଲ ଆଜି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଚନ୍ତି । ଦିନକୁ ଦିନ ବଢୁଥିବା ମୂଲ୍ୟବୃଦ୍ଧି ଏବଂ ବେରୋଜଗାରୀ ଭଳି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲ ଆକ୍ରମଣ କରିଥିଲେ । ଟ୍ୱିଟ କରି ରାହୁଲ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ଦେଶର ଘରୋଇ ଅଭିବୃଦ୍ଧି ହାର (ଜିଡିପି) ରସାତଳଗାମୀ ହୋଇଥିବା ବେଳେ ବର୍ତ୍ତମାନ ବ୍ୟାଙ୍କ ସମୂହ ଅତ୍ୟନ୍ତ କଷ୍ଟକର ପରସ୍ଥିତିରେ ଗତି କରୁଛନ୍ତି । ମୂଲ୍ୟବୃଦ୍ଧିକୁ ନେଇ ସାଧାରଣ ଜନତା ଅତ୍ୟନ୍ତ ଆତଙ୍କିତ । କୌଣସି ଜିନିଷର ଦରଦାମ ନିୟନ୍ତ୍ରଣରେ ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳ ବୋଲି ରାହୁଲ କହିଛନ୍ତି। ଚାକିରିର ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ବେକାରୀରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସାଧାରଣ ଜନତାଙ୍କ ମନୋବଳ ଭାଙ୍ଗୁଥିବା ବେଳେ ସାମାଜିକ ନ୍ୟାୟ ବ୍ୟବସ୍ଥାର ପ୍ରତିଦିନ କଣ୍ଠରୋଧ କରାଯାଉଛି ।
ଉଲ୍ଲେଖଯୋଗ୍ୟ ଯେ, ଲକଡାଉନ କାରଣରୁ ଭାରତୀୟ ଜିଡିପି ଋଣାତ୍ମକ 23.9 ପ୍ରତିଶତରେ ପହଞ୍ଚିଛି । ଏହା ସହିତ 2020ଶେଷ ସୁଦ୍ଧା ଭାରତୀୟଙ୍କ ବାର୍ଷିକ ଆୟ ବାଂଲାଦେଶୀଙ୍କ ଠାରୁ କମ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ପକ୍ଷରୁ ଆକଳନ କରାଯାଇଥିଲା । ଏହାକୁ ନେଇ ବିରୋଧୀ ଦଳ ମାନଙ୍କ ପକ୍ଷରୁ ସରକାରଙ୍କୁ ଟାର୍ଗେଟ କରାଯାଇଥିବା ବେଳେ ବିଜେପି ସରକାର ପ୍ରତି ଆକ୍ରମଣ ଶାଣିତ କରିଥିଲେ ରାହୁଲ ଗାନ୍ଧୀ ।