ପାଟନା : ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ସହିତ ନୀତିଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତେବେ ନୀତିଶଙ୍କ କ୍ୟାବିନେଟରେ ଜଣେ ମଧ୍ୟ ମୁସଲିମ ମନ୍ତ୍ରୀ ନାହାନ୍ତି । ଏପରିକି ଏନଡିଏ ମେଣ୍ଟରେ ଜଣେ ହେଲେ ମୁସଲିମ ବିଧାୟକ ନାହାନ୍ତି । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହା ପ୍ରଥମ ଥର ହେବାକୁ ଯାଉଛି । ପ୍ରଥମ ଥର ପାଇଁ କୌଣସି କ୍ୟାବିନେଟରେ ଜଣେ ହେଲେ ମୁସଲିମ ସଦସ୍ୟ ନାହାନ୍ତି ।
ଏନଡିଏ ମେଣ୍ଟରେ ବିଜେପି, ଜେଡିୟୁ, ହାମ୍ସ ଏବଂ ଭିଆଇପି ରହିଥିବା ବେଳେ କୌଣସି ଦଳରେ ଜଣେ ହେଲେ ମୁସଲିମ ବିଧାୟକ ନାହାନ୍ତି । ବିହାରର 16 ପ୍ରତିଶତ ଜନସଂଖ୍ୟା ମୁସଲିମ ହୋଇଥିବା ବେଳେ ଶାସକ ଦଳରେ ଜଣେ ମଧ୍ୟ ମୁସଲିମ ବିଧାୟକ ନରହିବା ଆଶ୍ଚର୍ଯ୍ୟଜନକ । ଚଳିତ ନିର୍ବାଚନରେ ନୀତିଶ କୁମାରଙ୍କ ଦଳ ପକ୍ଷରୁ 11 ଜଣ ମୁସଲିମ ପ୍ରାର୍ଥୀଙ୍କୁ ଟିକଟ ଦିଆଯାଇଥିଲା । ତେବେ ସମସ୍ତ ପ୍ରାର୍ଥୀ ପରାଜୟ ବରଣ କରିଥିଲେ ।
ନୀତିଶଙ୍କ ସହିତ 14 ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଏହା ମଧ୍ୟରେ ଉଚ୍ଚ ଜାତିର ଏବଂ ପଛୁଆ ବର୍ଗର 4 ଜଣ ଲେଖାଏଁ ବିଧାୟକ ରହିଥିଲେ । ଏହା ବ୍ୟତିତ ଅତି ପଛୁଆ ବର୍ଗର 3 ଜଣ ଏବଂ ଅନୁସୂଚିତ ବର୍ଗର 3 ଜଣ ଲେଖାଏଁ ବିଧାୟକ ଶପଥ ଗ୍ରହଣ କରିଥିଲେ । କ୍ୟାବିନେଟରେ ସର୍ବାଧିକ 36 ବିଧାୟକଙ୍କୁ ସାମିଲ କରାଯାଇପାରିବ । ନିର୍ମଳ ଭାବମୂର୍ତ୍ତି ରକ୍ଷା କରିବା ଉଦେ୍ଧଶ୍ୟରେ ନୀତିଶ ଭବିଷ୍ୟତରେ ମୁସଲିମ ସମ୍ପ୍ରଦାୟର ଜଣେ ବିଧାୟକଙ୍କୁ କ୍ୟାବିନେଟରେ ସାମିଲ କରିପାରନ୍ତି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ନିର୍ବାଚନରେ ଆରଜେଡି ସର୍ବାଧିକ 75 ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି 74ଟି ଏବଂ ଜେଡିୟୁ 43 ଆସନରେ ବିଜୟୀ ହୋଇଥିଲେ । 125 ଆସନ ସହିତ ଏନଡିଏ ମେଣ୍ଟ ସରକାର ଗଠନ କରିଥିଲେ ।