ଗୋଆ : ଗୋଆର ପୂର୍ବତନ ରାଜ୍ୟପାଳ ତଥା ସୁପ୍ରତିଷ୍ଠିତ ଲେଖିକା ମୃଦୁଳା ସିହ୍ନାଙ୍କ ପରଲୋକ ହୋଇଛି । ମୃଦୁଳା ପ୍ରାରମ୍ଭରୁ ଜନସଂଘ ସହ ଜଡିତ ଥିବା ସହିତ ବିଜେପିର ଜଣେ ପ୍ରଭାବଶାଳୀ ନେତା ଥିଲେ । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଶୋକ ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମୃଦୁଳାଙ୍କ ନିଧନରେ ଶୋକ ବ୍ୟକ୍ତ କରିବାସହିତ ସେ ସର୍ବଦା ଜନସେବା ଉତ୍ସର୍ଗୀକୃତ ଥିଲେ ବୋଲି କହିଛନ୍ତି । ଜଣେ ସୁଲେଖିକା ଭାବରେ ମୃଦୁଳାଜୀ ସଂସ୍କୃତି ସହିତ ସହିତ୍ୟର ଦୁନିଆରେ ବିଶେଷ ଯୋଗଦାନ ରଖିଥିଲେ ବୋଲଇ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ରାଷ୍ଟ୍ର, ସମାଜ ଏବଂ ସଙ୍ଗଠନ ପାଇଁ କାର୍ଯ୍ୟ କରିଥିଲେ । ସେ ଏପରି ଜଣେ ଲେଖିକା ଥିଲେ, ଯାହାକୁ ତାଙ୍କ ଲେଖନୀ ସର୍ବଦା ଅମର ରଖିବ ବୋଲି ଶାହା ଟ୍ୱିଟ କରିଛନ୍ତି ।
Smt. Mridula Sinha Ji will be remembered for her efforts towards public service. She was also a proficient writer, making extensive contributions to the world of literature as well as culture. Anguished by her demise. Condolences to her family and admirers. Om Shanti. pic.twitter.com/EmYWcFEb5g
— Narendra Modi (@narendramodi) November 18, 2020
ସୂଚନାଯୋଗ୍ୟ, ନଭେମ୍ବର 27, 1942ରେ ବିହାରର ମୁଜାଫର ପୁରରେ ଜନ୍ମ ଗ୍ରହଣ କରିଥିଲେ ମୃଦୁଳା । ବିବାହ ପରେ ମଧ୍ୟ ମନସ୍ତତ୍ତ୍ୱରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ ମୃଦୁଳା । ଏହାପରେ ଏକାଧିକ କ୍ଷୁଦ୍ର ଗଳ୍ପ ଲେଖିବା ଆରମ୍ଭ କରିଥିଲେ । ମୁଖ୍ୟତଃ ହିନ୍ଦି ଭାଷାରେ ଲେଖୁଥିବା ମୃଦୁଳା ରାଜମାତା ବିଜୟା ରାଜ ସିନ୍ଧିଆଙ୍କ ଉପରେ ‘ଏକ ରାନୀ ଐସା ଭି’ ନାମକ ପୁସ୍ତକ ଲେଖିଥିଲେ । ପରବର୍ତ୍ତୀ ସମୟରେ ସମାନ ନାମରେ ଏକ ଫିଲ୍ମ ନିର୍ମାଣ କରାଯାଇଥିଲା । ମୃଦୁଳାଙ୍କ ସ୍ବାମୀ ଆର କେ ସିହ୍ନା ବିହାରରେ କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ସେ 2014 ପର୍ଯ୍ୟନ୍ତ ବିଜେପିର ଜଣେ ସାଧାରଣ କର୍ମୀ ରହିଥିଲେ । ତେବେ 2014ରେ ତାଙ୍କୁ ବିଜେପି ମହିଳା ମୋର୍ଚ୍ଚାର ଦାୟିତ୍ୱ ପ୍ରଦାନ କରାଯିବା ସହିତ ଅଗଷ୍ଟ 25, 2014ରେ ଗୋଆର ରାଜ୍ୟପାଳ ଭାବରେ ନିଯୁକ୍ତ କରା ଯାଇଥିଲା । ବାଜପେୟୀଙ୍କ ସରକାରରେ ମୃଦୁଳା କେନ୍ଦ୍ରୀୟ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରହିଥିଲେ।
ସେ ତାଙ୍କ ଜୀବନକାଳ ମଧ୍ୟରେ 46ରୁ ଉର୍ଦ୍ଧ୍ବ ପୁସ୍ତକ ରଚନା କରିଛନ୍ତି । ପୁସ୍ତକ ଏବଂ କ୍ଷୁଦ୍ର ଗଳ୍ପ ଲେଖିଥିବା ମୃଦୁଳାଙ୍କୁ ବାବାସାହେବ ଆମ୍ବେଦକର ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେକ୍ଟ ପ୍ରଦାନ କରାଯାଇଥିଲା । 2017 ମସିହାରେ ଭାରତୀୟ ତେରପନ୍ଥ ମହିଳା ମଣ୍ଡଳ ପକ୍ଷରୁ ତାଙ୍କୁ ଆଚାର୍ଯ୍ୟ ତୁଳସୀ କୃତିତ୍ୱ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ମୃଦୁଳାଙ୍କ ଏକାଧିକ କାହାଣୀ ବିଭିନ୍ନ ଭାଷାରେ ମଧ୍ୟ ଅନୁବାଦିତ ହୋଇଛି ।