ନଭେମ୍ବର ଶେଷ ସୁଦ୍ଧା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ

Published: Nov 21, 2020, 2:16 pm IST

ଭୁବନେଶ୍ୱର: ନଭେମ୍ବର ଶେଷ ସୁଦ୍ଧା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଉଭୟ ରାତି ଓ ଦିନର ତାପମାତ୍ରା ଆଖିଦୃଶିଆ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି । କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବାରୁ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିବ ନାହିଁ । ଦୁଇ ଦିନ ପରେ ଅର୍ଥାତ 22 ତାରିଖଠାରୁ ତାପମାତ୍ରା ହ୍ରାସ ଘଟିବ । 3 ରୁ 4 ଦିନରେ ପାରଦ 4 ଓ 5 ଡିଗ୍ରୀ ଖସିବା ସହ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ପ୍ରବଳ ଶୀତ ଅନୁଭୂତ ହେବ । ଅପରପକ୍ଷେ କେନ୍ଦ୍ରର ପୂର୍ବ ଆକଳନ ଅନୁଯାୟୀ ସକାଳେ କଟକ, ଅନୁଗୁଳ, ଢେ଼ଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଯାଇଥିଲା ।

ବଙ୍ଗୋପସାଗର ଉପରେ ଥିବା ଗୁରୁଚାପର ପ୍ରଭାବ କମିବା ଫଳରେ ରାଜ୍ୟରେ ବିଶେଷ କୁହୁଡ଼ି ଦେଖାଯିବ ନାହିଁ । କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି 22 ତାରିଖ ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମତେ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଏହି ଦୁଇ ଦିନ ରାଜ୍ୟର ରାତ୍ରି ତାପମାତ୍ରାରେ ଅପରିବର୍ତ୍ତିତ ରହିବ । ବର୍ଷା ଛାଡ଼ିଲେ ତାପମାତ୍ରା ଖସିବା ଆରମ୍ଭ ହୋଇଯିବ ଓ 26 ତାରିଖ ସୁଦ୍ଧା ପ୍ରାୟ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସି ଶୀତ ପଡ଼ିବା ଆରମ୍ଭ ହେବ । ଅନ୍ୟପଟେ ବର୍ତ୍ତମାନ ଭାରତ ମହାସାଗର ବିଷୁବରେଖା ଆଖପାଖ ତଥା ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା 23 ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରରେ ସୃଷ୍ଟି ହେବାର ସମ୍ଭାବନା ରହିଛି ।

Related posts