ଲଭ୍‌ ଜିହାଦ ବିରୋଧରେ ଅଧ୍ୟାଦେଶ ଆଣିଲେ ଯୋଗୀ ସରକାର

Published: Nov 25, 2020, 1:08 pm IST

ଲକ୍ଷ୍ନୌ: ଲଭ ଜିହାଦ୍‌କୁ ନେଇ ଜାତୀୟ ସ୍ତରରେ ବିତର୍କ ଜାରି ରହିଥିବା ବେଳେ ପ୍ରଥମ ରାଜ୍ୟ ଭାବରେ ଉତ୍ତର ପ୍ରଦେଶ ସରକାର ଏହା ବିରୋଧରେ ଆଇନ ପ୍ରଣୟନ କରିଛନ୍ତି। ମଙ୍ଗଳବାର ଯୋଗୀ ସରକାରଙ୍କ ପକ୍ଷରୁ ଲଭ ଜିହାଦ୍‌ ବିରୋଧରେ ଅଧ୍ୟାଦେଶ ଅଣାଯାଇଛି। ଲଭ ଜିହାଦ୍‌ କାରଣରୁ ଅନୈତିକ ଭାବରେ କରାଯାଉଥିବା ଧର୍ମ ପରିବର୍ତ୍ତନ ବିରୋଧରେ ଏହି ଆଇନ ପ୍ରଣୟନ କରାଯାଇଛି। ଯେଉଁ ଲଭ ଜିହାଦରେ ଝିଅର ଧର୍ମ ପରିବର୍ତ୍ତନ କରାଯାଏ ତାହାକୁ ଆଇନତଃ ଅପରାଧ ବୋଲି ବିବେଚନା କରାଯିବ।

ଯୋଗୀ ସରକାରଙ୍କ ପକ୍ଷରୁ ପ୍ରଣୀତ ଏହି ନୂତନ ଆଇନରେ ଏହି ଅପରାଧ ପାଇଁ ଦଶ ବର୍ଷର ଜେଲର ବ୍ୟବସ୍ଥା କରାଯାଇଛି। ଏପରି ବିବାହକୁ ଅବୈଧ ଘୋଷଣା କରାଯିବା ସହିତ ଧର୍ମପରିବର୍ତ୍ତନକାରୀଙ୍କ ବିପକ୍ଷରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯିବ। ଲଭ ଜେହାଦ ତଥା ଏପରି ବିବାହ ଓ ଧର୍ମ ପରିବର୍ତ୍ତନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏହି ଆଇନର ମୁଖ୍ୟ ଲକ୍ଷ୍ୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ମାମଲାର ବିଚାର ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ନିକଟରେ କରାଯିବ। ସେହିପରି ନାବାଳିକାଙ୍କ ଧର୍ମ ପରିବର୍ତ୍ତନର ଚେଷ୍ଟା କରାଗଲେ ଏକରୁ 5 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ 15 ହଜାର ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇଛି।

ତେବେ ବିବାହ ପୂର୍ବରୁ ଜଣେ ଧର୍ମ ପରିବର୍ତ୍ତନ କରିବାକୁ ଚାହିଁଲେ ଜଣେ କରିପାରିବେ। ବିବାହର ଦୁଇ ମାସ ପୂର୍ବରୁ ଏ ସମ୍ପର୍କିତ ଆବେଦନ କରିବାକୁ ପଡିବ ବୋଲି ଅଧ୍ୟାଦେଶରେ ଉଲ୍ଲେଖ କରାଯାଇଛି। ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିନଥିଲେ 6 ମାସରୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ 10 ହଜାର ଟଙ୍କାର ଅର୍ଥ ଦଣ୍ଡ ପ୍ରଦାନ କରାଯିବ। ସେହିପରି ସାମୂହିକ ଧର୍ମ ପରିବର୍ତ୍ତନ କରାଗଲେ ତିନ ବର୍ଷରୁ 10 ବର୍ଷର କାରାଦଣ୍ଡ ସହିତ 50  ହଜାରର ଅର୍ଥଦଣ୍ଡ ବ୍ୟବସ୍ଥା କରାଯାଇଛି। (ଏଜେନ୍ସି)

Related posts