ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ ସମୀକ୍ଷା ବୈଠକ କରିଥିବା ବେଳେ ଏହି ବୈଠକରେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବୈଠକରେ ଶାହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ତିନି ସୂତ୍ରୀ ଟାର୍ଗେଟ ଦେଇଥିଲେ । ଏହି ଟାର୍ଗେଟଗୁଡ଼ିକ ହେଉଛି, ନୂଆ ସଂକ୍ରମଣ ମାମଲାକୁ 5 ପ୍ରତିଶତରୁ କମ୍ ସ୍ଥିତିକୁ ଆଣିବା ଏବଂ ମୃତ୍ୟୁ ହାର ଏକ ପ୍ରତିଶତରୁ କମ ରଖିବା । ତେବେ କଣ୍ଟେନମେଣ୍ଟ ଜୋନ ଉପରେ ସ୍ୱତନ୍ତ୍ର ଫୋକସ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାପାଇଁ ଶାହ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ।
ଶାହ କହିଛନ୍ତି ପ୍ରତି ସପ୍ତାହରେ ଅଧିକାରୀମାନେ ରେଡ ଜୋନ ବୁଲନ୍ତୁ ଏବଂ ସଂଗ୍ରହ କରୁଥିବା ତଥ୍ୟ ଆଧାରରେ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଷ୍ଟାଟସ ପରିବର୍ତ୍ତନ କରିବା ଉଚିତ । ବିର୍ତ୍ତମାନ ସମୟରେ ପ୍ରତି 15 ଦିନରେ ଥରେ କଣ୍ଟେନମେଣ୍ଟ ଜୋନର ତଥ୍ୟ ସଂଗ୍ରହ ହେଉଛି । ତେବେ ଏହାକୁ ଏକ ସପ୍ତାହକୁ ଆଣିବା ପାଇଁ ଶାହ କହିଛନ୍ତି । ଏହି ତିନୋଟି ଟାର୍ଗେଟ ହାସଲ କରିବା ପାଇଁ ବିଭିନ୍ନରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ କ୍ଷମତା ଅନୁଯାୟୀ ବିଭିନ୍ନ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶାହ କହିଛନ୍ତି ।