ପାଟନା : ବିହାର ବିଧାନସଭାରେ ବାଚସ୍ପତି ପଦ ହାତେଇଛି ବିଜେପି । ବିଜେପି ବିଧାୟକ ବିଜୟ ସିହ୍ନା ବିହାର ବିଧାନସଭାର ବାଚସ୍ପତି ରୂପେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ପଦ ପାଇଁ ନିର୍ବାଚନରେ ମହାମେଣ୍ଟର ତଥା ଆରଜେଡି ବିଧାୟକ ଅବଧ ବିହାରୀ ଚୌଧୁରୀ ପରାସ୍ତ ଲାଭ କରିଛନ୍ତି । ବାଚସ୍ପତି ଚୟନ ପାଇଁ ଭୋଟିଂ ହୋଇଥିଲା । ଏହି ଭୋଟିଂ ପ୍ରକ୍ରିୟାରେ 240ଜଣ ସଦସ୍ୟ ସାମିଲ୍ ହୋଇଥିଲେ । ଏଥିରେ 126ଜଣ ବିଧାୟକ ବିଜୟ କୁମାର ସିହ୍ନାଙ୍କୁ ସମର୍ଥନ କରିଥିବାବେଳେ ଅବଧ ବିହାରୀଙ୍କୁ 114ଜଣ ଭୋଟ୍ ଦେଇଥିଲେ ।
ସୂଚନାଯୋଗ୍ୟ, 1967 ଜୁନ୍ 5ରେ ଜନ୍ମଗ୍ରହଣ କରିଥିବା ବିଜୟ ସିହ୍ନା ସରକାରୀ ପଲିଟେକ୍ନିକ୍ କଲେଜରୁ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଛନ୍ତି। ବର୍ତ୍ତମାନ ବିଜୟ ସିହ୍ନା ବିହାରର ଲାଖାଇସରାଇ ବିଧାନସଭା ଆସନରୁ ବିଧାୟକ ହୋଇଛନ୍ତି। ସେ ଲଗାତାର ତୃତୀୟ ଥର ପାଇଁ ଏହି ନିର୍ବାଚନରେ ଜିତିଛନ୍ତି।
ଚଳିତ ନିର୍ବାଚନରେ ବିଜୟ ସିହ୍ନା ଦଶ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ମହାମେଣ୍ଟ ପ୍ରାର୍ଥୀ ଭାବରେ କଂଗ୍ରେସ ପ୍ରାର୍ଥୀ ଅମୃତ କୁମାରଙ୍କୁ ପରାସ୍ତ କରିଛନ୍ତି। ଜଣେ ବିଧାୟକ ହେବା ବ୍ୟତୀତ ତାଙ୍କର ସରକାରୀ କ୍ଷେତ୍ରରେ ମଧ୍ୟ ସମ୍ପୂର୍ଣ୍ଣ ଅଭିଜ୍ଞତା ରହିଛି। ପୂର୍ବ ସରକାରରେ ସେ ବିହାରର ଶ୍ରମ ସମ୍ବଳ ମନ୍ତ୍ରୀ ଥିଲେ। (ଏଜେନ୍ସି)