ମୁମ୍ବାଇ : ଫିଲ୍ମ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣି ରାଜନୀତିକୁ ଫେରିବେ। ସୋମବାର ସେ ଶିବସେନାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏବେ ସେ ଶିବସେନାରେ ଯୋଗଦେଇ ବିଧାନ ପରିଷଦ ସଦସ୍ୟ ହେବେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସରକାର ବିଧାନ ପରିଷଦକୁ ରାଜ୍ୟପାଳଙ୍କ କୋଟାରୁ ମନୋନୀତ ହେଉଥିବା 12 ଜଣ ସଦସ୍ୟଙ୍କ ମଧ୍ୟରେ ଉର୍ମିଳାଙ୍କ ନାମକୁ ସୁପାରିଶ୍ ପାଇଁ ପଠାଯାଇଥିଲା। ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କ ମଞ୍ଜୁରୀ ମିଳିଲେ ଉର୍ମିଳା ବିଧାନ ପରିଷଦ ସଦସ୍ୟ ହେବେ। ଏହା ପୂର୍ବରୁ ସେ ଶିବସେନାରେ ଯୋଗଦେବେ ବୋଲି କୁହାଯାଉଛି। 2019 ଲୋକସଭା ନିର୍ବାଚନ ପୂର୍ବରୁ ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ପକ୍ଷରୁ ସେ ଉତ୍ତର ମୁମ୍ବାଇରୁ ଲଢ଼ିଥିଲେ ମଧ୍ୟ ସଫଳ ହୋଇ ପାରି ନ ଥିଲେ।
ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପିର ମହା ଅଘାଡ଼ି ମହାମେଣ୍ଟ ରହିଛି। ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାର ରାଜ୍ୟପାଳଙ୍କୁ 12ଜଣଙ୍କ ତାଲିକା ପଠାଇଥିଲା । ତିନୋଟି ଯାକ ପାର୍ଟି ଚାରିଜଣ ଲେଖାଏ ନାଁ ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ। ଏନସିପି ଏକନାଥ ଖଡସେ, ରାଜୁ ସେଟ୍ଟୀ, ଯଶପାଲ୍ ଭିଙ୍ଗେ ଓ ଆନନ୍ଦ ଶିନ୍ଦେଙ୍କ ନାଁ ପଠାଇଥିଲା। ସେହିପରି କଂଗ୍ରେସ ରଜନୀ ପାଟିଲ୍, ସଚିନ୍ ସାୱନ୍ତ, ମୁଝଫର ହୁସେନ୍ ଓ ଅନିରୁଦ୍ଧ ବନକରଙ୍କ ନାଁ ପଠାଇଥିବା ବେଳେ ଶିବସେନା ଉର୍ମିଳାଙ୍କ ସମେତ ଚନ୍ଦ୍ରକାନ୍ତ ରଘୁବଂଶୀ, ବିଜୟ କରଞ୍ଜକର ଓ ନୀତୀନ ବାନଗୁଡ଼େ ପାଠିଲ୍ ନାଁ ପଠାଇଥିଲା। (ଏଜେନ୍ସି)