କୋଭିଡ୍‌ କଟକଣା ଭାଙ୍ଗିବା ପଡିଲା ମହଙ୍ଗା : ବିଜେପି ନେତା ଗିରଫ

Published: Dec 3, 2020, 5:56 pm IST

ଗାନ୍ଧିନଗର  : କରୋନା ମାମଲା ହ୍ରାସ ପାଇବା ପରେ ଗତ କିଛି ଦିନ ହେଲା ପୁଣି ବଢ଼ିବାରେ ଲାଗିଛି। ପୁଣି କରୋନା ମାମଲା ବୃଦ୍ଧି ପାଉଥିବା ଦେଖି ଅନେକ ରାଜ୍ୟରେ ରାତ୍ରି କର୍ଫ୍ୟୁ ଜାରି କରାଯାଇଛି। କିଛି ରାଜ୍ୟରେ କୋଭିଡ ନିୟମ କଡାକଡି କରାଯାଇଛି। କରୋନା ନିୟମ ଉଲ୍ଲଂଘନ କଲେ କଡା ଜରିମାନା ଆଦାୟ ସହ ଦଣ୍ଡ ମଧ୍ୟ ଦିଆଯାଉଛି । ଗୁଜୁରାଟର ଜଣେ ବିଜେପି ନେତା କୋଭିଡ୍‌ ନିୟମ ଭାଙ୍ଗି ଗିରଫ ହୋଇଛନ୍ତି । ଗୁଜୁରାଟ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା କାନ୍ତି ଗାମିତ୍‌ କରୋନା କଟକଣା ଭାଙ୍ଗିଛନ୍ତି । ତାଙ୍କ ନାତୁଣୀଙ୍କ ନିର୍ବନ୍ଧରେ 6 ହଜାରରୁ ଅଧିକ ଲୋକ ସାମିଲ୍‌ ରହିଥିଲେ । ତାଙ୍କନାତୁଣୀଙ୍କ ନିର୍ବନ୍ଧର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବାପରେ ସେ ମଧ୍ୟ ନିଜ ଦୋଷ ସ୍ୱୀକାର କରିଥିଲେ।

କୋଭିଡ-19 ନିୟମ ଉଲଙ୍ଘନ ଅଭିଯୋଗରେ ପୋଲିସ କାନ୍ତି ଗାମିତଙ୍କୁ ଗିରଫ କରିଛି। ନିର୍ବନ୍ଧ ସମାରୋହରେ ସାମିଲ ହୋଇଥିବା ଦୁଇ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।  ବିଜେପି ନେତାଙ୍କ ନାତୁଣୀଙ୍କ ନିର୍ବନ୍ଧ ଭିଡିଓ ଭାଇରାଲ ହେବାପରେ ଗୁଜରାଟ ହାଇକୋର୍ଟ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ମାମଲାରେ ମତ ଦେବାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କାନ୍ତି ଗାମ୍‌ତିଙ୍କ ସମେତ ତାଙ୍କ ପୁତ୍ର ଓ ଅନ୍ୟ 18ଜଣଙ୍କୁ ପୋଲିସ୍‌ ଗିରଫ କରିଛି ।(ଏଜେନ୍ସି)

Related posts