ଜାତୀୟ ସଙ୍ଗୀତରେ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସ୍ବାମୀଙ୍କର ଚିଠି

Published: Dec 3, 2020, 6:04 pm IST

ନୂଆଦିଲ୍ଲୀ: ଭାରତର ଜାତୀୟ ସଙ୍ଗୀତ “ଜନଗଣ ମନ” ରେ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ । ସଙ୍ଗୀତର ପ୍ରଥମ ତିନିଟି ଶବ୍ଦ (ଜନ-ଗଣ-ମନ) କୁ ପରିବର୍ତ୍ତନ କରିବାକୁ ସେ ଅନୁରୋଧ କରିଛନ୍ତି । ଏହି ଚିଠିର ଏକ ନକଲ ସେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିଛନ୍ତି । ସ୍ୱାମୀ ଏଥିରେ ଲେଖିଛନ୍ତି ଯେ 1943 ଅକ୍ଟୋବର 21 ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଇଣ୍ଡିଆନ ନ୍ୟାସନାଲ ଆର୍ମି ମଣିପୁର ଦଖଲ କରିବା ପରେ ‘ଜନଗଣମନ’କୁ ରାଷ୍ଟ୍ରୀୟ ଗାନ ବା ଜାତୀୟ ସଙ୍ଗୀତ ମାନ୍ୟତା ଦେଇ ଗାନ କରିଥିଲା ।

ସେତେବେଳେ ନେତାଜୀ ମୂଳ କବିତାରେ ସାମାନ୍ୟ ପରିବର୍ତ୍ତନ କରିଥିଲେ । ସାମ୍ପ୍ରତିକ ପରିପ୍ରେକ୍ଷୀରେ ନେତାଜୀ ଓ ଆଇଏନଏ ଦ୍ୱାରା ଗାନ କରାଯାଇଥିବା ସଂଶୋଧିକ ଗୀତଟି ଅଧିକ ପ୍ରଯୁଜ୍ୟ ମନେ ହୁଏ । ତା ଛଡ଼ା ସମ୍ବିଧାନ ସଭାରେ ଜନ ଗଣ ମନ କୁ ଜାତୀୟ ସଙ୍ଗୀତର ସ୍ୱୀକୃତି ପ୍ରଦାନ କରାଯିବା ସମୟରେ ଆବଶ୍ୟକ ସ୍ଥଳେ ଏହାର ସଂଶୋଧନ କରାଯାଇପାରିବ ବୋଲି ଧାର୍ଯ୍ୟ ହୋଇଥିଲା । ଏହି ପରିପ୍ରେକ୍ଷୀରେ ‘ଜନ-ଗଣ-ମନ’ ରେ ଆବଶ୍ୟକ ସଂଶୋଧନ ଅଣାଯାଉ ବୋଲି ସ୍ୱାମୀ ଯୁକ୍ତି ଦର୍ଶାଇଛନ୍ତି ।

ସୂଚନା ଯୋଗ୍ୟ ଯେ ଜନ-ଗଣ-ମନ ର ରଚୟିତା ହେଉଛନ୍ତି ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର । ଏହି କବିତାକୁ 1911 ଡିସେମ୍ବର 27ରେ କଲିକତାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ପ୍ରଥମେ ଗାନ କରାଯାଇଥିଲା । ବିଶ୍ୱକବିଙ୍କ ‘ଭାରତ ଭାଗ୍ୟବିଧାତା’ କବିତାର 13 ଟି ଧାଡ଼ିରୁ ଏହା ଉଦ୍ଧୃତ କରାଯାଇଥିଲା । ତେବେ କବିତାରେ ଜନ-ଗଣ-ମନ ଅଧିନାୟକ କାହାକୁ ସମ୍ବୋଧିତ କରାଯାଇଛି ତାହା ସ୍ପଷ୍ଟ ହୋଇ ନଥିବାରୁ ଅନେକ ସମୟରେ ବିବାଦ ଦେଖାଦେଇଛି । ଏବେ ଏହି ସନେ୍ଦହ ଦୂର କରିବା ପାଇଁ ନେତାଜୀ ସୁଭାଷଙ୍କ ଦ୍ୱାରା ଗାନ କରାଯାଇଥିବା ଗୀତକୁ ଗ୍ରହଣ କରିବା ଲାଗି ସ୍ୱାମୀ ପ୍ରସ୍ତାବ ଦେଇଛନ୍ତି ।

Related posts