ବିଦ୍ୟାଳୟ ସ୍ଥାନାନ୍ତର ନକରିବାକୁ ଦାବିପତ୍ର

Published: Dec 3, 2020, 9:45 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବୁଗୁଡ଼ା ବାଲିପଦର ପଞ୍ଚାୟତ ଅନ୍ତର୍ଗତ ସଦାଶିବପୁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରତିବାଦରେ ଆଜି ଗ୍ରାମ ପରିଚାଳନା କମିଟିର ସଦସ୍ୟମାନେ ତୁରନ୍ତ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ପାଇଁ ବୁୁଗୁଡ଼ା ବିଇଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଚଳିତ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରେ ନାମ ନ ଲେଖାଇବାକୁ ବିଇଓ ରସାନନ୍ଦ କର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବାରଣ କରିଥିଲେ। ଫଳରେ ଏଯାବତ୍ ୨୫ ଜଣ ଛାତ୍ରଛାତ୍ରୀ ନାମଲେଖାରୁ ବଂଚିତ ହୋଇଛନ୍ତି। ପୂର୍ବରୁ ବିଦ୍ୟାଳୟରେ ଥିବା ୧୩ ଜଣ ଛାତ୍ରଛାତ୍ରୀଙ୍କ ଟିସିକୁ ଜବରଦସ୍ତ ନେଇ ନିକଟସ୍ଥ ଦଶିପୁର ବିଦ୍ୟାଳୟକୁ ନେଇଯାଇଛନ୍ତି। ସଦାଶିବପୁରରୁ ଦଶିପୁର ସ୍କୁଲ ଯିବାକୁ ବିଭିନ୍ନ ପ୍ରତିବନ୍ଧକ ରହିଛି ଯଥା-ରାସ୍ତାଟି ନିଛାଟିଆ ସହ କଚ୍ଚା, ବର୍ଷା ଦିନେ ପିଲାମାନେ ଯିବା ଅସମ୍ଭବ। ରାସ୍ତା ନିକଟରେ ଏକ ଶ୍ମଶାନ ଓ ଏକ ପୁଷ୍କରିଣୀ ରହିଛି ଯାହା ଛାତ୍ରଛାତ୍ରୀଙ୍କ ମନରେ ଭୟର କାରଣ, ରାସ୍ତା ପାଶ୍ୱର୍ରେ ଦୁଇଟି ବିଦ୍ୟୁତ ସବ୍‌ଷ୍ଟେସନ ବିପଦପୂର୍ଣ୍ଣ ରହିଛି, ଏହି ରାସ୍ତାଟି ନିଛାଟିଆ ଏବଂ ଜଂଗଲିଆ ସହ ଦଶିପୁର ଅନ୍ୟ ପଞ୍ଚାୟତରେ ଅବସ୍ଥିତ।

ତେଣୁ ଗ୍ରାମବାସୀମାନେ ଜିଦ୍ କରି ଦୃଢ଼ ସଂକଳ୍ପ ନେଇଛନ୍ତି ଯେ ସେମାନଙ୍କ ପିଲାକୁ ଦଶିପୁର ସ୍କୁଲକୁ ଛାଡ଼ିବେ ନାହିଁ। ଏତାଦୃଶ ମନୋମୁଖୀ ଓ ବେପାରୁଆ ଭାବେ ବିନା ଅନୁସନ୍ଧାନ କରି ବିଇଓ ରସାନନ୍ଦ କର କିପରି ସ୍କୁଲ ସ୍ଥାନାନ୍ତର ପାଇଁ ସୁପାରିଶ କରିଛନ୍ତି ତାହା ପ୍ରଶ୍ନାବାଚୀ ସୃଷ୍ଟି କରିଛି। ଏଣୁ ସ୍କଲକୁ ସ୍ଥାନାନ୍ତର ନ କରିବାକୁ ୨୬ଟି ପିଲାଙ୍କ ନାମ ଲେଖାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି।

ଦାବିପତ୍ର ପ୍ରଦାନ ସମୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୋଷ କୁୁମାର ରଥ, ଚେୟାରପର୍ସନ ଟୁନି କୁମାରୀ ଖାଡ଼ଙ୍ଗା, ଗ୍ରାମ୍ୟ ଉନ୍ନୟନ ସମିତି ସଭାପତି ଚିରଞ୍ଜିବି ଖାଡ଼ଙ୍ଗା, ସଂପାଦକ ପ୍ରଭାକର ରଥ, ସରୋଜ କୁମାର, ଗୋପବନ୍ଧୁ, ସତ୍ୟନାରାୟଣ ଖାନଙ୍ଗା, ରାଜେଶ କୁମାର ଖାଡ଼ଙ୍ଗା, ହରମୋହନ ଖାଡଙ୍ଗା ପ୍ରମୁଖଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Related posts