ମେଡ଼ିକାଲ୍ ସମ୍ମୁଖରେ କୋଭିଡ଼୍ ଯୋଦ୍ଧାଙ୍କ ଶାନ୍ତିପୂର୍ଣ୍ଣ ଧାରଣା

Published: Dec 7, 2020, 10:20 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍ କଲେଜ ହସ୍‌ପିଟାଲ୍ ମୁଖ୍ୟରାସ୍ତା ନିକଟରେ କୋଭିଡ଼୍ ଡ଼୍ୟୁଟିରେ ନିୟୋଜିତ ଥିବା ଷ୍ଟାଫ୍‌ନର୍ସମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। ସେମାନଙ୍କ କହିବା କଥା ସରକାର ବର୍ତ୍ତମାନ ୬୭୦୦ ଷ୍ଟାଫ୍‌ନର୍ସ ପଦବୀ ପୂରଣ ପାଇଁ ବିଜ୍ଞାପନ ବାହାର କରିଛନ୍ତି।

ସେହି ପରିପ୍ରେକ୍ଷୀରେ ଏମ୍‌କେସିଜିରେ ମଧ୍ୟ ପଦବୀ ପୂରଣ କରାଯିବ। କିନ୍ତୁ ଏମାନେ ଦୀର୍ଘ ୯ ମାସ କାଳ କରୋନା ଡ଼୍ୟୁଟି କରୁଥିବା ଯୋଗୁଁ ଏମାନଙ୍କୁ ପ୍ରଥମେ ବିଚାରକୁ ନିଆଯାଇ ଚାକିରି ସ୍ଥାୟୀ କରାଯାଉ। ଏହି ବିଷୟ ନେଇ ସେମାନେ ସୁପରିଟେଣ୍ଡଣ୍ଟ୍‌ଙ୍କୁ ମଧ୍ୟ ଅବଗତ କରାଇଛନ୍ତି।

ସୂଚନାଯୋଗ୍ୟ କରୋନା ସମୟରେ ମାସିକ ଭତ୍ତା ହିସାବରେ ଏମାନଙ୍କୁ ସରକାର ବିଭିନ୍ନ ହସ୍‌ପିଟାଲ୍‌ଗୁଡ଼ିକରେ ନିଯୁକ୍ତି ଦେଇଥିଲେ। କିନ୍ତୁ କରୋନାର ପ୍ରକୋପ କମିବା ପରେ ଏମାନଙ୍କୁ ଛଟେଇ କରାଯିବା ସହ ସ୍ଥାୟୀ ନିଯୁକ୍ତିର କୌଣସି ପ୍ରତିଶ୍ରୁତି ଦେଲେ ନାହିଁ। ସେମାନେ ଦିନରାତି ଏକକରି କରୋନା ରୋଗୀଙ୍କ ସେବା କରିଥିବାବେଳେ ବର୍ତ୍ତମାନ ପରୀକ୍ଷା ଦେଇ ଚାକିରିରେ ନିଯୁକ୍ତି କରିବା ପରିସ୍ଥିତିରେ ନାହାନ୍ତି।

କେତେକ ଷ୍ଟାଫନର୍ସ ବିଭିନ୍ନ ସ୍ଥାନରୁ ଚାକିରି ଛାଡ଼ି ଆସି ସ୍ଥାୟୀ ନିଯୁକ୍ତି ଆଶାରେ ଏଠାରେ କାମ କରୁଥିବାବେଳେ ସରକାର ସମସ୍ତଙ୍କ ପାଇଁ ପରୀକ୍ଷା ବ୍ୟବସ୍ଥା କରି ନିଯୁକ୍ତି ପ୍ରଦାନ କରିବାକୁ ସ୍ଥିର କରିଛନ୍ତି। ତେଣୁ ସେମାନଙ୍କୁ ପ୍ରଥମେ ଚୟନ କରାଯାଉ ବୋଲି ଦାବି କରି ଆଜି ନୀରବ ପ୍ରତିବାଦ କରିଥିଲେ।

Related posts