ପ୍ରମୋଦିନି ହତ୍ୟାକାଣ୍ଡ ଘଟଣା: ଡ଼ିଆଇଜି ଏବଂ ଏସ୍‌ପିଙ୍କ ଘଟଣାସ୍ଥଳ ପରିଦର୍ଶନ

Published: Dec 9, 2020, 9:43 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର ହୋଇଥିବା ହରିଜନ ଯୁବତୀ ପ୍ରମୋଦିନି ହତ୍ୟାକାଣ୍ଡ ଘଟଣାରେ ୨୧୦ ବିତିଗଲା ପରେ ଆଜି ପୋଲିସ୍ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଆଜି ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଏବଂ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ମେ ୧୦ ତାରିଖ ଦିନ ପ୍ରମୋଦିନି ନଦୀକୁ ଲୁଗା ସଫା କରିବାକୁ ଯାଇ ଆଉ ଫେରିନଥିଲେ। ଖୋଜାଖୋଜି କରିବା ପରେ ପ୍ରମୋଦିନିଙ୍କ କ୍ଷତବିକ୍ଷତ, ଅର୍ଦ୍ଧଉଲଗ୍ନ ଶବ ନଦୀ ପଠାରୁ ପାଇଥିଲେ। ତେଣୁ ପ୍ରମୋଦିନିକୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ନେଇ ପୀଡ଼ିତାର ମା’ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ ପ୍ରଶାସନ ଠିକ୍ ରୂପେ ତଦନ୍ତ ନକରିବାର ପୀଡ଼ିତାର ମା’ ରମା ନାୟକ ବାରମ୍ବାର ଉପରିସ୍ଥ ଅଧିକାରଙ୍କୁ ନ୍ୟାୟ ପାଇଁ ଗୁହାରି କରିଥିଲ। ଶେଷରେ ଡ଼ିସେମ୍ବର ୨ ତାରିଖ ଦିନ ପୁଣିଥରେ ଡ଼ିଆଇଜି ସତ୍ୟବ୍ରତଙ୍କୁ ଦାବିପତ୍ର ଦେଇଥିଲେ। ଏଥିରେ ଯଦି ନ୍ୟାୟ ନମିଳେ ତେବେ ପରିବାର ବର୍ଗ ନବୀନ ନିବାସ ଆଗରେ ଆତ୍ମହତ୍ୟା କରିବା ଧମକ ମଧ୍ୟ ଦେଇଥିଲେ।

ଫଳରେ ଡ଼ିଆଇଜି ଏବଂ ଏସ୍‌ପି ତତ୍ପର ହେବା ସହ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଆଜି ମୃତକର ମା’ ଡ଼ିଆଇଜି ଏବଂ ଏସ୍‌ପି ନିକଟରେ ସମସ୍ତ ତଥ୍ୟ ରଖିଥିଲେ। କେସକୁ ଅନୁସନ୍ଧାନ କରୁଥିବା ତଦନ୍ତକାରୀ ଅଧିକାରୀ ଓ ସୁପରଭିଜନ ଅଫିସରଙ୍କୁ ଶୀଘ୍ର ଅପରାଧୀଙ୍କୁ ଧରିବାକୁ ଡ଼ିଆଇଜି ଏବଂ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀ ଯେତେ ବି ବଳଶାଳୀ ବା ବାହୁବଳି ହେଉ ପୋଲିସ୍ ହାତରୁ ଖସିପାରିବନି ବୋଲି ପ୍ରମୋଦିନୀର ମା’ଙ୍କୁ ସେମାନେ କହିଥିଲେ। ଘଟଣାସ୍ଥଳ ପରିଦର୍ଶନ ପରେ ହତ୍ୟାକାଣ୍ଡର ସମସ୍ତ ବିବରଣୀକୁ ତର୍ଜମା କରିବା ସହ ବହୁ ତଥ୍ୟ ହାସଲ ହୋଇଛି। ତେଣୁ ଖୁବଶୀଘ୍ର ଅପରାଧୀମାନେ ଧରାପଡ଼ିବା ନେଇ ଆଶା ସଂଚାର ହୋଇଛି।

Related posts