ବୃଦ୍ଧି ପାଇଲା ନଡିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟ, ଜାଣନ୍ତୁ କ୍ବିଣ୍ଟାଲ ପିଛା ହେଲା କେତେ

Published: Jan 28, 2021, 7:21 am IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ୨୦୨୧ ଋତୁ ପାଇଁ ନଡିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ମଂଜୁରୀ ୨୦୨୧ ଋତୁ ପାଇଁ ଉଦ୍ଦିଷ୍ଠ। ମିଲିଂ ନିମନ୍ତେ ଉପଯୁକ୍ତ ଉତ୍ତମ ହାରାହାରୀ ମାନ (ଏଫଏକ୍ୟୁ) ଥିବା ନଡିଆ ଶସର ଏମଏସପିର ୩୭୫ ଟଙ୍କା ବୃଦ୍ଧି କରାଯାଇଛି, ଯାହାକି ୨୦୨୦ରେ କ୍ବିଣ୍ଟାଲ ପ୍ରତି ୯୯୬୦ ଟଙ୍କାରୁ ବୃଦ୍ଧି ପାଇ ୧୦୩୩୫ ଟଙ୍କା ପ୍ରତି କ୍ବିଣ୍ଟାଲରେ ପହଞ୍ଚିଛି।

ଗୋଲ ନଡିଆ ଶସର ଏମଏସପିରେ ମଧ୍ୟ କ୍ବିଣ୍ଟାଲ ପ୍ରତି ୩୦୦ ଟଙ୍କା ବୃଦ୍ଧି କରାଯାଇଛି, ଯାହାକି ୨୦୨୦ରେ କ୍ବିଣ୍ଟାଲ ପ୍ରତି ଦର ୧୦୩୦୦ ଟଙ୍କାରୁ ବୃଦ୍ଧି ପାଇ ୨୦୨୧ ଋତୁ ପାଇଁ ୧୦୬୦୦ ଟଙ୍କାରେ ପହଞ୍ଚିଛି। ଏହି ନୂତନ ଏମଏସପି ନିର୍ଦ୍ଧାରଣ କରାଯିବା ଫଳରେ ସର୍ବ ଭାରତୀୟ ସ୍ତରରେ ମିଲିଂ ପାଇ ଉପଯୁକ୍ତ ନଡିଆ ଶସ ଉତ୍ପାଦନ ପାଇଁ ହେଉଥିବା ଖର୍ଚ୍ଚ ତୁଳନାରେ ଏମଏସପି ମୂଲ୍ୟ ୫୧.୮୭ ପ୍ରତିଶତ ଅଧିକ ହୋଇଛି। ସେହିପରି ଗୋଲ ନଡିଆ ଶସ କ୍ଷେତ୍ରରେ ଉତ୍ପାଦନ ବ୍ୟୟଠାରୁ ୫୫.୭୬ ପ୍ରତିଶତ ଅଧିକ ମୂଲ୍ୟପ୍ରାପ୍ତି ସୁନିଶ୍ଚିତ କରାଯାଇଛି। ଏହି ମଞ୍ଜୁରି, କୃଷି ବ୍ୟୟ ଏବଂ ମୂଲ୍ୟ (ସିଏସିପି) ଆୟୋଗର ସୁପାରିସ ଉପରେ ଆଧାରିତ।

ଏମଏସପିକୁ ଉତ୍ପାଦନ ବ୍ୟୟର ଦେଢ଼ଗୁଣା କରିବା ଲାଗି ସରକାର ୨୦୧୮-୧୯ ବଜେଟରେ ଘୋଷଣା କରିଥିଲେ। ଏହାକୁ ଆଧାର କରି ୨୦୨୧ ଋତୁ ପାଇଁ କୋପ୍ରାର ଏମଏସପିରେ ଏହି ବୃଦ୍ଧି କରାଯାଇଛି। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ବିଗୁଣିତ କରିବା ଦିଗରେ ସର୍ବନିମ୍ନ ୫୦ ପ୍ରତିଶତ ଲାଭ ସୁନିଶ୍ଚିତ କରିବା ଏକ ଗୁରୁତ୍ବପୂର୍ଣ୍ଣ ଏବଂ ପ୍ରଗତିଶୀଳ ପଦକ୍ଷେପ। ନଡ଼ିଆ ଉତ୍ପାଦନ କରୁଥିବା ରାଜ୍ୟଗୁଡ଼ିକରେ ଭାରତୀୟ ଜାତୀୟ କୃଷି ସହକାରୀ ବିପଣନ ସଂଘ ଲିମିଟେଡ (ନାଫେଡ) ଏବଂ ଭାରତୀୟ ଜାତୀୟ ସହକାରୀ ଉପଭୋକ୍ତା ସଂଘ (ଏନସିସିଏଫ) କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଭାବେ ଏମଏସପି କାର‌୍ୟ୍ୟକାରୀ
କରିଥାଏ।

Related posts