ଭୁବନେଶ୍ୱର, କଦଳୀ ପଟରୁ ଉନ୍ନତ ମାନର ଦଉଡ଼ି, ଆକର୍ଷଣୀୟ ମ୍ୟାଟ୍ ଓ ଡିସ୍ପୋଜେବୁଲ କପ୍ ପ୍ରଭୃତି ପ୍ରସ୍ତୁତ କରିବା କଦଳୀ ଚାଷୀମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିଛି । ଏହା ଉଦ୍ୟାନ କୃଷିକୁ ନେଇ ଏକ ଅର୍ଥନୈତିକ ବିପ୍ଳବ ଆଣିପାରିବ । ଏଥିସହିତ କଦଳୀ ମଞ୍ଜାରୁ ଆଚାର ଏବଂ ପାମ୍ପଡ଼ ପ୍ରସ୍ତୁତ ହେବା ଭଳି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି ।
ଆଚାର ଓ ପାମ୍ପଡ଼ ପ୍ରସ୍ତୁତ ପରେ ଅବଶିଷ୍ଟ ବର୍ଜ୍ୟରୁ ଉଦ୍ୟାନ ପାଇଁ ବ୍ୟବହୃତ ଯୋଗ୍ୟ ଜିଆ ଖତ (ଭର୍ମି-କମ୍ପୋଷ୍ଟ) ପ୍ରସ୍ତୁତ ହୋଇପାରୁଛି । ଏହାକୁ ସମ୍ଭବ କରି ପାରିଛନ୍ତି ‘ସ୍ପୁର୍ତ୍ତି’ କ୍ଲଷ୍ଟରରେ କାର୍ଯ୍ୟରତ ଉଦ୍ୟୋଗ ‘ଜୟଦେବ ବନାନା ଫାଇବର ଏକ୍ସଷ୍ଟ୍ରାକ୍ସନ୍’ । ଏହି ଉଦ୍ୟୋଗ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାଠାରେ ପ୍ରତିଷ୍ଠା କରିଥିବା ଶିଳ୍ପାନୁଷ୍ଠାନରେ ଏହି ଉତ୍ପାଦଗୁଡ଼ିକ ଉତ୍ପାଦନ କରିବାକୁ ଯାଉଛି ।
ଏହି ଧରଣର ଉତ୍ପାଦନ ଓଡ଼ିଶାରେ ପ୍ରଥମ ହେବ । ପୂର୍ବରୁ କଦଳୀ ଗଛରୁ କଦଳୀ ବାହାରିବା ପରେ ଗଛକୁ ସଂପୂର୍ଣ୍ଣ ନଷ୍ଟ କରି ଦିଆଯାଉଥିଲା । କାଁ ଭାଁ ଏହାର ମଞ୍ଜାକୁ ପରିବା ଭାବେ ଖିଆ ଯାଉଥିଲା । ଏ ଧରଣର ଉଦ୍ୟୋଗ ହେବା ଏବଂ ନୂତନ ଜ୍ଞାନକୌଶଳ ଯୋଗୁଁ ଏବେ କଦଳୀ ଏକ ବହୁ ଅର୍ଥକରୀ ଫସଲ ଭାବେ ସାବ୍ୟସ୍ତ ହୋଇପାରିବ ଏବଂ ଅଧିକ କଦଳୀ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହ ଯୋଗାଇପାରିବ ।
ସ୍ପୁର୍ତ୍ତି ଯୋଜନାରେ ଏହି ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି ଏବଂ ଏଥିରେ ୩୫୦ ଜଣ ସଦସ୍ୟଙ୍କୁ ନେଇ ଏକ ଗୋଷ୍ଠୀଗତ ଶିଳ୍ପାନୁଷ୍ଠାନ ଭାବେ ଆରମ୍ଭ କରାଯାଇଛି । ଖୁବ୍ଶୀଘ୍ର ଏହା ତା’ର ଉତ୍ପାଦନ ଆରମ୍ଭ କରିବ । ଆଜି ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ଏକ ସମୀକ୍ଷାରୁ ଜଣାପଡ଼ିଛି ଯେ ଏହି ଉଦ୍ୟୋଗ ପାଇଁ ୨ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ଏବଂ ଏହାର ସତ୍ତ୍ୱାଧିକାରୀ ସମାଜ କଲ୍ୟାଣ ଫାଉଣ୍ଡେସନ୍ ରହିଛି ।
ଆଜିର ସମୀକ୍ଷା ବୈଠକରେ ୭ଟି ବିଭିନ୍ନ କ୍ଲଷ୍ଟର ଉପରେ ଟିକିନିଖି ସମୀକ୍ଷା କରାଯାଇଥିଲା। ଏଥିରେ ଚାନ୍ଦୁଆ ତିଆରି, ପଥର ଖୋଦେଇ କାମ, ନଡ଼ିଆ କତା, ବେଲ୍ ମେଟାଲ୍ ଓ କାଠ କାମ, ମହୁଆ ପ୍ରକ୍ରିୟାକରଣ, ଶୁଖୁଆ ମାଛ ପ୍ରସ୍ତୁତି ପ୍ରଭୃତି ଅନ୍ତର୍ଭୁକ୍ତ । ତେବେ ଏସବୁ କ୍ଲଷ୍ଟର ଉଦ୍ୟୋଗଗୁଡ଼ିକୁ ଯଥାସମ୍ଭବ ତାଙ୍କର ଉତ୍ପାଦନ ଆରମ୍ଭ ଦିଗରେ ବାକିଆ ରହିଥିବା କାର୍ଯ୍ୟ ତୁରନ୍ତ ସାରିବାକୁ କୁହାଯାଇଛି ।
ଏଥି ସହିତ ସମସ୍ତ କ୍ଲଷ୍ଟରଗୁଡ଼ିକ ଯେଉଁ ଜମି ଉପରେ ତାଙ୍କର ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି, ସେହି ଜମିର ବୈଧତା ଯାଞ୍ଚ ନିମନ୍ତେ ସପ୍ତାହ ମଧ୍ୟରେ ବିଭାଗରେ ତାଙ୍କର ଜମି ରେଜିଷ୍ଟ୍ରେସନ୍ କାଗଜାତ୍ ଦାଖଲ କରିବାକୁ କୁହାଯାଇଛି । ତା’ଛଡ଼ା ଏସବୁ ଉଦ୍ୟୋଗ ବିଦୁ୍ୟତ ସଂଯୋଗ ବିଳମ୍ବ ଯୋଗୁଁ ଉତ୍ପାଦନ ଆରମ୍ଭ କରିବାରେ ସମସ୍ୟା ଉପୁଜୁଥିବା ଦର୍ଶାଇବାରୁ ସେ ଦିଗରେ ବିଭାଗ ତରଫରୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦିଆଯାଇଛି ।
ପ୍ରମୁଖ ଶାସନ ସଚିବ ଉତ୍ପାଦଗୁଡ଼ିକର ଆକର୍ଷଣୀୟ ପ୍ୟାକେଜ୍ ବ୍ୟବସ୍ଥା ସହିତ ଅନ୍ଲାଇନ୍ ମାର୍କେଟିଂ ଉପରେ ଗୁରୁତ୍ୱାରୋପ କରିଥିଲେ । କେତେକ କ୍ଲଷ୍ଟର ଅହେତୁକ ଭାବେ ନିର୍ମାଣ କାର୍ଯ୍ୟରେ ଧିମେଇ ଯାଇଥିବା ଯୋଗୁଁ ଯଦି ସେ ଦିଗରେ ସଂପୃକ୍ତ ଅନୁଷ୍ଠାନଗୁଡ଼ିକ ତତ୍ପରତା ପ୍ରକାଶ ନ କରିବେ ତେବେ ସେମାନଙ୍କ ସଂସ୍ଥାକୁ ଅନ୍ୟ ଆଗ୍ରହୀ ଅନୁଷ୍ଠାନକୁ ପ୍ରଦାନ କରାଯିବ ବୋଲି ତାଗିଦ୍ କରିଥିଲେ ।
ଏସବୁ କ୍ଲଷ୍ଟର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଏହା ରାଜ୍ୟର ଅର୍ଥନୀତିରେ ଏକ ବିରାଟ ପରିବର୍ତ୍ତନର ସୂତ୍ରପାତ କରିବ ଏବଂ ଏଥିରେ ସଂପୃକ୍ତ ଲୋକଙ୍କ ଆୟ ବୃଦ୍ଧି ହେବା ସହ କର୍ମସଂସ୍ଥାନ ସୃଷ୍ଟି ହୋଇପାରିବ । କିଛି ନୂଆ ପ୍ରସ୍ତାବ ଥିଲେ ତୁରନ୍ତ ଏଗୁଡ଼ିକୁ ଶିଳ୍ପ ନିର୍ଦ୍ଦେଶକଙ୍କ ପାଖକୁ ପଠାଇବାକୁ କୁହାଯାଇଛି । ସେ ଆଗକୁ ସରଳ ଓ ସହଜ ସମୀକ୍ଷା ନିମନ୍ତେ ଏକ ଉନ୍ନତ ଫର୍ମାଟ ବିକଶିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।