Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ଓ ଭିଏତ୍‌ନାମର ଭିନ୍‌ ଲଙ୍ଗ୍‌ ରାଜ୍ୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସହ ଭିଏତ୍‌ନାମ୍‌ର ଭିନ୍‌ ଲଙ୍ଗ ରାଜ୍ୟ ମଧ୍ୟରେ ବ୍ୟବସାୟଭିତ୍ତିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଇଡ୍‌କୋ ସମ୍ମିଳନୀ କକ୍ଷରେ ଉଭୟ ରାଜ୍ୟର ଏମ୍‌ଏସ୍‌ଏମ୍‌ଇ/ଶିଳ୍ପ ବିଭାଗର କର୍ତ୍ତୃପକ୍ଷ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।

ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ ବୃହତ୍ତମ ନିବେଶର ମାନ୍ୟତା ପାଇସାରିଛି। ସୁଦୃଢ଼ ପଲିଟି, ଉତ୍ତମ ପଲିସି, ଡେମୋଗ୍ରାଫି, ଜିଓଗ୍ରାଫି ଏବଂ ଅର୍ଥନୀତି ଦ୍ୱାରା ଓଡ଼ିଶା ଏପରି ମାନ୍ୟତା ପାଇଛି। କୃଷି, ପର୍ଯ୍ୟଟନ, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଧାତୁ ଓ ଧାତବ ଆଦି ୬ ଗୋଟି ସେକଫର ଉପରେ ଗୁରୁତ୍ୱ ଦିଆଯାଉଛି ।

ଏମ୍‌ଏସ୍‌ଏମ୍‌ଇର ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କ ପାଇଁ ସୁସ୍ଥ ଓ ଅନୁକୂଳଧର୍ମୀ ପଲିସି ଓ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ଏବେ ଏମ୍‌ଏସ୍‌ଏମ୍‌ଇ ଅଧୀନରେ କେମିକାଲସ୍‌, ଫାର୍ମାସୁ୍ୟଟିକାଲ, ପ୍ଲାଷ୍ଟିକ, ସି-ଫୁଡ୍‌ ଆଦି ବିଭାଗକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ଭିନ୍‌ ଲଙ୍ଗ୍‌ ରାଜ୍ୟକୁ ରପ୍ତାନୀ ପାଇଁ ଓଡ଼ିଶା ସର୍ବଦା ପ୍ରସ୍ତୁତ ଅଛି। ଓଡ଼ିଶାର ରପ୍ତାନୀ ନୀତି ମଧ୍ୟ ଦେଶୀୟ ରାଜ୍ୟସମୂହ ଓ ବିଦେଶକୁ ଖୁବ୍‌ ସୁହାଇଲା ଭଳି ପ୍ରସ୍ତୁତ ହୋଇଛି।

ଭୁବନେଶ୍ୱରସ୍ଥ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଶାଖାର ପ୍ରତିନିଧି ଶ୍ରୀ ରାଜେନ୍‌ ପାଢ଼ୀ କହିଥିଲେ ଯେ ଭିଏତ୍‌ନାମ୍‌ ସହ ଓଡ଼ିଶାର ସଂପର୍କ ବହୁତ ପୁରୁଣା । ପୂର୍ବରୁ ଓଡ଼ିଶାରୁ ଭିଏତ୍‌ନାମ୍‌କୁ ଲୁହା, ଇସ୍ପାତ ଓ ଧାତବ ପଦାର୍ଥ ରପ୍ତାନୀ ହେଉଥିଲା। ଏବେ ସେଠାରେ ଆମର ଖାଦ୍ୟ ଓ ସାମୁଦି୍ରକ ଖାଦ୍ୟର ଚାହିଦା ବଢ଼ିଛି।

ଅନ୍ୟମାନଙ୍କ ମଧ୍ୟରେ ଇଡ୍‌କୋ, ଇପିକଲ୍‌ ଏବଂ ବାଣିଜ୍ୟ ଓ ରପ୍ତାନୀ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭିନ୍‌ ଲଙ୍ଗ୍‌ର ପ୍ରତିନିଧିମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିଥିଲେ।

ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ବିଭାଗ ନିଜର ରପ୍ତାନୀ ନୀତି, ଉତ୍ପାଦ ଓ ସମ୍ପୂର୍ଣ୍ଣ ବିଭାଗ ଉପରେ ଏକ ଭିଡ଼ିଓ ଉପସ୍ଥାପନା କରିଥିଲେ। ସେମାନେ ମଧ୍ୟ ସେମାନଙ୍କର ଏକ ଭିଡ଼ିଓ ଉପସ୍ଥାପନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏମଏସଏମଇ କୁ ପ୍ରୋତ୍ସାହନ ପାଇଁ ଉଦଘାଟିତ ହେଲା ଏକ ପୋର୍ଟାଲ, ଜାଣନ୍ତୁ ଏହା କଣ

ଭୁବନେଶ୍ବର: ୨୦୨୨ ମସିହା ନଭେମ୍ବର ୩୦ ତାରିଖରେ ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌ରେ ଓଡ଼ିଶା ଏକ୍ସପୋର୍ଟ ପଲିସି-୨୦୨୨ ଅନୁମୋଦିତ ହୋଇଥିଲା। ଏହି ପଲିସି ଅନୁସାରେ ଯେଉଁ ରପ୍ତାନୀକାରୀମାନେ ସାତଗୋଟି ବିଷୟ ଉପରେ ରପ୍ତାନିକ କାର୍ଯ୍ୟ କରିଥିବେ, ସେମାନଙ୍କର ଖର୍ଚ୍ଚ ସରକାର ବହନ କରିବେ। ସରକାର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। ଯୁବକଯୁବତୀମାନଙ୍କୁ ଆତ୍ମନିଯୁକ୍ତି ପ୍ରୋତ୍ସାହନ ଦେବା ପାଇଁ ସରକାର ଏହିପରି ଯୋଜନା ପ୍ରଣୟନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟଠାରେ ଏକ୍ସପୋର୍ଟ ଇନ୍‌ସେନ୍‌ଟିଭ୍‌ ରିଅମ୍ବର୍ସମେଣ୍ଟ ପୋର୍ଟାଲ (http://eirp_depm.odisha.gov.in) ଉଦ୍‌ଘାଟିତ ହୋଇଯାଇଛି। ରପ୍ତାନୀକାରୀମାନେ ଅନ୍‌ଲାଇନ୍‌ରେ ଆବେଦନ କଲେ ସେମାନଙ୍କ ଖର୍ଚ୍ଚ ଅନୁମୋଦନ ହେବ ଓ ସେମାନେ ଗାଇଡ୍‌ଲାଇନ୍‌ ଅନୁଯାୟୀ ବହନ କରିଥିବା ସରକାରୀ ରାଶି ପିଛିଲା ଭାବେ ଫେରିପାଇବେ।

ଏହି ସାତଗୋଟି ବିଷୟ ହେଲା ଆନ୍ତର୍ଜାତିକ ସ୍ତରରେ ବାଣିଜ୍ୟ ମେଳାରେ ଭାଗ ନେବା ପାଇଁ ଫ୍ଲାଇଟ୍‌ ଖର୍ଚ୍ଚ ୫୦ ପ୍ରତିଶତ ସରକାର ବହନ କରିବେ। ତେବେ ୫୦ ହଜାର ଭିତରେ ସୀମିତ ରହିବ। ଷ୍ଟଲ୍‌ ଖର୍ଚ୍ଚ ସରକାର ବହନ କରିବେ। ସେହିପରି ରପ୍ତାନୀ ଉନ୍ନୟନ ପରିଷଦରେ ସଭ୍ୟ ହେବା ପାଇଁ ଯେଉଁ ଖର୍ଚ୍ଚ, ସେଥିରୁ ସରକାର କିଛି ଅଂଶ ବହନ କରିବେ। ତାହା ସର୍ବାଧିକ ୪୦ ହଜାର ଟଙ୍କା ଅଟେ।

ୱାନ୍‌ ଟାଇମ୍‌ ଅର୍ଗାନିକ୍‌ ସାର୍ଟିଫିକେଟ୍‌ ହାସଲ ପାଇଁ ଯେଉଁ ଖର୍ଚ୍ଚ କରିବାକୁ ପଡ଼ିବ ତା’ର ୫୦ ପ୍ରତିଶତ ଓ ସର୍ବାଧିକ ୧୦ ଲକ୍ଷ ସରକାର ବହନ କରିବେ। ମୁଖ୍ୟତଃ ବିଦେଶକୁ ରପ୍ତାନୀ କରୁଥିବା ବ୍ୟକ୍ତି ବା କମ୍ପାନୀ ଏହି ସାର୍ଟିଫିକେଟ୍‌ ହାସଲ କରିବା ଜରୁରୀ ହୋଇଥାଏ। ସେହିପରି କଣ୍ଟ୍ରି ସାର୍ଟିଫିକେଟ୍‌, ଏକ୍ସପୋର୍ଟ ଇନ୍‌ସ୍ପେକନ୍‌ ଏଜେନ୍ସି ଦ୍ୱାରା ଅନୁମୋଦିତ ସାର୍ଟିଫିକେଟ୍‌, କ୍ୱାଲିଟି ସାର୍ଟିଫିକେଟ୍‌ ପାଇଁ ସର୍ବାଧିକ ରାଶି ସରକାର ବହନ କରିବେ।

ସେହିପରି ରପ୍ତାନୀ ଦ୍ରବ୍ୟର ଷ୍ଟାଣ୍ଡାର୍ଡ ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ପଞ୍ଜିକୃତ ସରକାର ସଂସ୍ଥା ଦ୍ୱାରା ଟେକ୍‌ନୋଲୋଜି ଆଡ୍‌ଭାନ୍ସମେଣ୍ଟ କନ୍‌ସଲ୍‌ଟାନ୍ସି ପାଇଁ ଖର୍ଚ୍ଚ ଯାହାକି ୫ ଲକ୍ଷ ଅଟେ, ପଛୁଆ ଭାବେ ପ୍ରାପ୍ତି ହୋଇପାରିବ। ଏହି ପୋର୍ଟାଲ ବ୍ୟବହାର କରି ରପ୍ତାନୀକାରୀ ବ୍ୟକ୍ତି ବା ସଂସ୍ଥା ୨୦୨୨ ନଭେମ୍ବର ୩୦ ତାରିଖଠାରୁ ପିଛିଲା ଭାବେ ପାଇପାରିବେ। କିନ୍ତୁ ଏଥିରେ ଥିବା ବିଭିନ୍ନ ସର୍ତ୍ତାବଳୀ ପରିପୂରଣ ହେବା ଆବଶ୍ୟକ। ଏହି ସମସ୍ତ ସର୍ତ୍ତାବଳୀ ପୋର୍ଟାଲରେ ଲିଖିତ ଅଛି ଓ ୨୦୨୨ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନୀତିରେ ଉଲ୍ଲିଖିତ ଅଛି।

ପୋର୍ଟାଲକୁ ଉଦ୍‌ଘାଟନ କରି ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ କହିଲେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଉନ୍ନୟନ ପରେ ଯୁବକଯୁବତୀଙ୍କ ଆତ୍ମନିଯୁକ୍ତି ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ସେଥିପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି। ରପ୍ତାନୀ, ବାଣିଜ୍ୟ, ଷ୍ଟାର୍ଟଅପ୍‌ ଏବଂ ଦକ୍ଷତା ବିକାଶ ପରସ୍ପର ସଂଯୋଗୀକରଣ ସୂତ୍ରରେ ବନ୍ଧା।

ଯୁବକଯୁବତୀମାନେ ସରକାରଙ୍କ ଦ୍ୱାରା ପ୍ରଣୀତ ହେଉଥିବା ବିଭିନ୍ନ ନୀତି ଓ ଯୋଜନା ସଂପର୍କରେ ସଚେତନ ହୋଇ ଏହି ସେକଫର ପ୍ରତି ଆଗଭର ହେଲେ ଆତ୍ମନିଯୁକ୍ତି ପରିପୂର୍ଣ୍ଣ
ହୋଇପାରିବ। କିନ୍ତୁ ରକ୍ଷଣଶୀଳତା ଯୋଗୁ ମାନସିକ ଦୃଢ଼ତା ବଜାୟ ଓ ସଠିକ୍‌ ନିଷ୍ପତ୍ତି ନେବାରୁ ସେମାନେ ବିରତ ହେଉଛନ୍ତି ଯାହା ଚିନ୍ତାଜନକ ଅଟେ। କୃଷି ପରେ ଏମ୍‌ଏସ୍‌ଏମ୍‌ଇ ବର୍ତ୍ତମାନ ପୁଞ୍ଜିନିବେଶ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ଲାଭ କରିସାରିଲାଣି।

ବିଭାଗୀୟ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପୋର୍ଟାଲ ସମ୍ବନ୍ଧରେ ବିସ୍ତୃତ ଭାବେ କହିଥିଲେ।  ଏକ୍ସପୋର୍ଟ ପଲିସିର ଅପରେସନାଲ୍‌ ଗାଇଡ୍‌ଲାଇନ୍‌ ସମ୍ବନ୍ଧରେ ସଚେତନତା ବୃଦ୍ଧି ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ପୋର୍ଟାଲ ସହଜ, ସରଳ ଅଟେ। ଆଜିଠାରୁ ଅନ୍‌ଲାଇନ୍‌ ଭାବରେ କାର୍ଯ୍ୟକରିବ ବୋଲି ସେ ସୂଚନା ଦେଇଥିଲେ। ଖୁବ୍‌ ନିକଟରେ ୨୦୨୦-୨୧ ଓ ୨୦୨୧-୨୨ ମସିହା ପାଇଁ ରପ୍ତାନୀକାରୀ ସଂସ୍ଥା ଓ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସେ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଏମ୍‌. ସାଦ୍ଦିକ୍‌ ଆଲାମ୍‌, ସ୍ୱତନ୍ତ୍ର ସଚିବ ବିଭୂତି ଭୂଷଣ ନାୟକ, ନିର୍ଦ୍ଦେଶକ, ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଏଥର ଏମଏସଏମଇ ପାଇଁ ରାଜ୍ୟ ସରକାର ଦେଲେ ୫୭୦ କୋଟି ଟଙ୍କା

ଭୁବନେଶ୍ୱର: ଏମ୍‌ଏସ୍‌ଏମ୍‌ଇ ଦ୍ୱାରା ଅଧିକ ନିଯୁକ୍ତି, ଆତ୍ମନିଯୁକ୍ତି ସୃଷ୍ଟି କରାଯାଇପାରିବ ବୋଲି ଅନୁଭବ କରି ଖଦୀ ଗ୍ରାମୋଦ୍ୟୋଗ ଓ କତାଶିଳ୍ପ ସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉନ୍ନତି ନିମନ୍ତେ ୨୦୧୧ ମସିହାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ଶିଳ୍ପ ବିଭାଗରୁ ପୃଥକ କରାଗଲା। ଆର୍ଥିକ ବର୍ଷ ୨୦୧୭-୧୮ ର ବଜେଟ ୯୬ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ ରେ ୫୭୦ କୋଟିରେ ପହଞ୍ଚିବା ବିଭାଗର ଗୁରୁତ୍ୱ ଦର୍ଶାଉଛି ବୋଲି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି।

ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍‌ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ କୃଷି ପରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏମ୍‌ଏସ୍‌ଏମ୍‌ଇ ରାଜ୍ୟରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ଏଥି ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ଏମ୍‌ଏସ୍‌ଏମ୍‌ଇ ଡେଭଲପମେଣ୍ଟ ଯୋଜନା ଅନ୍ତର୍ଗତ ସବସିଡି ଚଳିତ ଆର୍ଥିକ ବର୍ଷରେ ୯୮ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକୁ ୨୦ କୋଟି ଟଙ୍କାର ସବସିଡି ଦିଆଯାଇଛି।

ଓଡିଶା ଫୁଡ ପ୍ରୋସେସିଂ ପଲିସି ଅନ୍ତର୍ଗତ ସବସିଡି ୨୦୨୨-୨୩ ଆର୍ଥିକ ବର୍ଷରେ ୬୯ଟି ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥାକୁ ୧୯ କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଛି। ଶିଳ୍ପ ନୀତି ଅନ୍ତର୍ଗତ ପ୍ରୋତ୍ସାହନ ଯୋଜନାରେ ଲୋନ ସବସିଡି, ଏସ୍‌ଜିଏସ୍‌ଟି ରିଇମ୍‌ବର୍ସମେଣ୍ଟ (SGST Reimbursement) ଇତ୍ୟାଦିରେ ୨୭୨ଟି ଯୋଗ୍ୟ ସଂସ୍ଥାଙ୍କୁ ୧୦.୮୭ କୋଟି ଟଙ୍କା ବଣ୍ଟନ କରାଯାଇଛି।

ଅଣୁ ଏବଂ କ୍ଷୁଦ୍ର ଉତ୍ପାଦନକାରୀ ଉଦ୍ୟୋଗଗୁଡିକ ଦ୍ୱାରା ରପ୍ତାନି ପାଇଁ କାର୍ଯ୍ୟ କରୁଥିବା ପୁଞ୍ଜି ସମେତ ବ୍ୟାଙ୍କଗୁଡିକରୁ ପ୍ରାପ୍ତ କାର୍ଯ୍ୟର ପୁଞ୍ଜି ଋଣର ସୁଧ ଭାର ହ୍ରାସ କରିବାକୁ, ‘ଏମ୍‌ଏସ୍‌ଏମ୍‌ଇ ଏବଂ ରପ୍ତାନିକାରୀଙ୍କ ପାଇଁ ୱାର୍କିଂ କ୍ୟାପିଟାଲ୍‌ ଉପରେ ସୁଧ ସବଭେନ୍ସନ୍‌’ ନାମରେ ନୂତନ ଯୋଜନା ପ୍ରସ୍ତାବ ଦିଆଯାଇଛି।

ବ୍ୟାଙ୍କଗୁଡିକରୁ ପ୍ରାପ୍ତ ପୁଞ୍ଜି ଋଣ ଯେଉଁଠାରେ ନଗଦ କ୍ରେଡିଟ୍‌ (ରପ୍ତାନି କ୍ଷେତ୍ରରେ ପ୍ରାକ୍‌ – ଶିପମେଣ୍ଟ / ପ୍ୟାକିଂ କ୍ରେଡିଟ୍‌) ୧୦ ଲକ୍ଷ ଟଙ୍କା ସୀମା ପର୍ଯ୍ୟନ୍ତ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଫେରସ୍ତ କରାଯିବ ଏବଂ ଯେଉଁଠାରେ ରପ୍ତାନି କ୍ଷେତ୍ରରେ ନଗଦ କ୍ରେଡିଟ୍‌ (ରପ୍ତାନି କ୍ଷେତ୍ରରେ ପ୍ରାକ – ଶିପମେଣ୍ଟ / ପ୍ୟାକିଂ କ୍ରେଡିଟ୍‌) ୧୦ ଲକ୍ଷ ଟଙ୍କାରୁ ୩ କୋଟି ଟଙ୍କା ସୀମା ପର୍ଯନ୍ତ , ୨୫% ହାରରେ ଫେରସ୍ତ କରାଯିବ।

ଏହି ନୂତନ ଯୋଜନା ଅନ୍ତର୍ଗତ ବାର୍ଷିକ ଖର୍ଚ୍ଚ ୨୦୦ କୋଟି ହେବ। କ୍ଷତିପୂରଣ ରାଶି ହିତାଧିକାରୀ ଶିଳ୍ପ ୟୁନିଟଗୁଡିକର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଡିବିଟି ମୋଡରେ ଅଧା ବର୍ଷରେ କ୍ରେଡିଟ୍‌ ହେବ। ଏହି ଯୋଜନା ନିମନ୍ତେ ଖର୍ଚ୍ଚ ଆକଳନ ୧୫୦-୨୦୦ କୋଟି ଟଙ୍କା ମଧ୍ୟରେ କରାଯାଇଛି। ଆର୍ଥିକ ବର୍ଷ ୨୩-୨୪ ରେ ଏଥି ନିମନ୍ତେ ୧୦ କୋଟି ର ବ୍ୟୟ ଅଟକଳ କରାଯାଇଛି। ଅବଶିଷ୍ଟ ପାଣ୍ଠି ପାଇଁ ବ୍ୟବସ୍ଥା ଅତିରିକ୍ତ ବଜେଟ ମାଧ୍ୟମରେ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ଷ୍ଟାର୍ଟଅପ୍‌ ପଲିସି ଅନ୍ତର୍ଗତ ଆର୍ଥିକ ସହାୟତା ଯୋଜନାରେ ୧୦.୯୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସମୁଦାୟ ୩୧୧ ଟି ଷ୍ଟାର୍ଟଅପ୍‌ ଚିହ୍ନଟ କରାଯାଇ ୫୪ ଟି ଚିହ୍ନିତ ଷ୍ଟାର୍ଟଅପ୍‌କୁ ମାସିକ ଭତ୍ତା ଦିଆଯାଇଛି। ୨୦ଟି ଷ୍ଟାର୍ଟଅପ୍‌କୁ ପିଡିଏମ୍‌ଏ (PDMA) ଅନୁଦାନ ଏବଂ ୨ଟି କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଇଛି।

ଷ୍ଟାର୍ଟଅପ୍‌ଗୁଡିକର ଉନ୍ନତି ନିମନ୍ତେ ଅନେକଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଓ-ହବ୍‌ ଟାୱାର-ଏ ର ପ୍ରଥମ ପାଞ୍ଚ ମହଲା କ୍ରୟ କରିବା ନିମନ୍ତେ ୪୬.୮୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଟାୱାର ‘ଏ’ ଓ ‘ବି’ ର ସମସ୍ତ ମହଲକୁ କ୍ରୟ କରିବା ନିମନ୍ତେ ୧୫୦ କୋଟିର ବ୍ୟବସ୍ଥା ରଖାଯାଇଛି । ଷ୍ଟାର୍ଟଅପ୍‌ଗୁଡିକର ଉନ୍ନତି ନିମନ୍ତେ ଓ-ହବ୍‌ ପଥ ପ୍ରଦର୍ଶକ ହେବ।

ଏମ୍‌ଏସ୍‌ଏମ୍‌ଇ ମଲଫିପ୍ରଡକଫ ପାର୍କ (Multiproduct Park) ୩୦ ଟି ଯାକ ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ପ୍ରତିଷ୍ଠା ନିମନ୍ତେ ୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଅଛି ଖୋର୍ଦ୍ଧାର ଛତାବର, ସୁନ୍ଦରଗଡର ରେଉଣା, ଅନୁଗୋଳ ଜିଲ୍ଲାର ତଳମୂଳ ଶାସନ, ସମ୍ବଲପୁରର ବସନ୍ତପୁର, ଗଞ୍ଜାମର ବରପାଲି – ହିଞ୍ଜିଳି, କଳାହାଣ୍ଡିର କୁରଲୁପଡା -କେଶିଙ୍ଗା, କଟକର ରାମଦାସପୁର, ବୌଦ୍ଧର ଗାନ୍ଧୀଗ୍ରାମ, ଯାଜପୁରର କଳିଙ୍ଗନଗର ଓ ନବରଙ୍ଗପୁରର ଦାମନୀ ଠାରେ ପାର୍କ ପ୍ରତିଷ୍ଠା ନିମନ୍ତେ ଅନୁମୋଦିତ ହୋଇଛି ଏବଂ ଇଡ୍‌କୋ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି। ସୁବର୍ଣ୍ଣପୁରର ତରେଇକେଲା ନୟାଗଡର ନିରାକରପୁର, ଝାରସୁଗୁଡାର ପଞ୍ଚପଡା ଓ ବଲାଙ୍ଗିରର ସଡେଇପାଲିଠାରେ ଇଡ୍‌କୋ ମାଧ୍ୟମରେ ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି।

ଏସ୍‌ଆଇଡିବିଆଇ କ୍ଲଷ୍ଟର ((SIDBI Cluster) ଉନ୍ନୟନ ପାଣ୍ଠି ମାଲକାନାଗିରିର ତିତିବେରୁ, ମୟୂରଭଞ୍ଜର ରାଇରଙ୍ଗପୁର, ନୂଆପଡାର କୋମନା ଏବଂ ରାୟଗଡାର ଡମ୍ବସରା ବ୍ଲକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏହି ପାଣ୍ଠିରୁ ୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ଏସ୍‌ଆଇଡିବିଆଇ (SIDBI)ର ୯୦% ଓ ଅଣୁ କ୍ଷୁଦ୍ର ଓ ମଧ୍ୟମ ବିଭାଗର ୧୦% ଯୋଗଦାନ ରହିବ। ଏହି ପ୍ରକଳ୍ପ ଗୁଡିକ ଇଡ୍‌କୋ ମାଧ୍ୟମରେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ଦେବ ପ୍ରକାଶ କରିଛନ୍ତି।

ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ବିଭାଗ ଦ୍ୱାରା ଓଡ଼ିଶା ଫୁଡ୍‌ ପ୍ରୋ (Odisha Food Pro))-୨୦୨୨ ଆୟୋଜିତ ହୋଇଥିଲା। ଖାଦ୍ୟପ୍ରକ୍ରିୟକରଣ ପ୍ରସାର ନିମନ୍ତେ ଅନ୍ନପୂର୍ଣ୍ଣା, ଏସ୍‌ଆଇଏଏଲ୍‌ (SIAL) -୨୦୨୨ ଭଳି କାର୍ଯ୍ୟକ୍ରମମାନ ଆୟୋଜନ କରଯାଇଥିଲା । ଏଥିରେ ୯.୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଶିଳ୍ପ ମେଳା, ପ୍ରଦର୍ଶନୀ ଇତ୍ୟାଦି ପାଇଁ ଏବଂ ୱାର୍କସପ ଇତ୍ୟାଦି ଆୟୋଜନ କରିବା ନିମନ୍ତେ ୯ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା, ସେଥିରୁ ପ୍ରାୟ ୪୫ ଲକ୍ଷ ଟଙ୍କା ଅନ୍ୟସୂତ୍ରରୁ ଯୋଗାଡ କରାଯାଇଛି ।

୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ଏଥିପାଇଁ ୧୧.୪୦ କୋଟି ଟଙ୍କାର ବ୍ୟବସ୍ଥା ରଖାଯାଇଛି । ବାଲେଶ୍ୱର ଠାରେ ଚାଉଳ ମିଲ ଓ କଟକ ଠାରେ ଇଂଜିନିୟରିଂ କ୍ଲଷ୍ଟର (Engineering Cluster) ପାଇଁ ଓଏସ୍‌ଆଇସି (OSIC) ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସହାୟତା ନେଇ କାର୍ଯ୍ୟ କରୁଛି ।
ତାଳଗୁଡ ଶିଳ୍ପର ପ୍ରସାର ୨୦୨୩-୨୪ ଆର୍ଥିକ ବର୍ଷରେ ତାଳଗୁଡର ରପ୍ତାନି ନିମନ୍ତେ ପ୍ରଶିକ୍ଷଣ କାରିଗରଙ୍କର ପ୍ରେରଣା, ପରୀକ୍ଷାଗାର ସ୍ଥାପନ ଏବଂ ପ୍ରଚାର-ପ୍ରସାର ନିମନ୍ତେ ୨ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଉଦ୍ୟୋଗୀ ଉନ୍ନତି କରଣ କାର୍ଯ୍ୟକ୍ରମ ଅଧିନରେ ଉଦ୍ୟୋଗୀ ସପ୍ତାହ ପାଳନ ନିମନ୍ତେ ୨୦୨୨-୨୩ ଆର୍ଥିକ ବର୍ଷରେ ୨୦୨୩ ମସିହା ମାର୍ଚ୍ଚ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଓ ନୀତି ନେଇ ଆଲୋଚନା ଚକ୍ର ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ୨୦୧ ଗୋଟି ଉଦ୍ୟୋଗୀ ଉନ୍ନତିକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ରାଜ୍ୟରେ ୬୧୭୧ ଜଣ ସମ୍ଭାବ୍ୟ ଉଦ୍ୟୋଗୀ ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

କତା ଶିଳ୍ପର ପ୍ରସାର ନିମନ୍ତେ କତା ବୋର୍ଡ ସହାୟତାରେ ୨୦୨୨-୨୩ ଆର୍ଥିକ ବର୍ଷରେ ମହିଳା କତା କାରିଗରମାନଙ୍କର ୧୩ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଚାରୋଟି କ୍ଲଷ୍ଟର ମାଧ୍ୟମରେ ଦକ୍ଷତା ଉନ୍ନତି କରଣ ପ୍ରଶିକ୍ଷଣ ଦିଆଯାଇଛି। ପୁରୀ, କଟକ ଓ ଢେଙ୍କାନାଳରେ ପ୍ରଦର୍ଶନୀ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି ପାଇଁ ୨ ଲକ୍ଷ ୧୦ ହଜାର ଟଙ୍କା ଦିଆଯାଇଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ମିଶ୍ର  କହିଛନ୍ତି।

ଏହି ସାମ୍ବାଦିକ ସମ୍ମଳନୀରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ୍‌ଙ୍କ ସମେତ ଏମ୍‌ଏସ୍‌ଏମ୍‌ଇ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଷ୍ଟାର୍ଟଅପ୍ସ ଏବଂ ଏମଏସଏମଇଗୁଡ଼ିକୁ ୨୦୨୪ ଜାନୁଆରୀ ପର୍ଯ୍ୟନ୍ତ ମାଗଣାରେ ୫ ଜି ଟେଷ୍ଟ ବେଡ୍‌ ସୁବିଧା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ବାରା ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ସ ଏବଂ ଏମଏସଏମଇଗୁଡ଼ିକ ପାଇଁ ଆସନ୍ତା ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ମାଗଣାରେ ୫ ଜି ଟେଷ୍ଟ ବେଡ୍‌ ସୁବିଧା ଯୋଗାଇ ଦେବା ଲାଗି ସଞ୍ଚାର ମନ୍ତ୍ରଣାଳୟ ଅଧୀନରେ ଦୂରସଞ୍ଚାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ସେବା ପ୍ରଦାନକାରୀ, ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ସରକାରୀ ସଂସ୍ଥା, ବିଭିନ୍ନ ଉପକରଣ ନିର୍ମାତା ଆଦି ବିଭିନ୍ନ ୫ ଜି ଅଂଶୀଦାରମାନେ ଅତି ନାମମାତ୍ର ଦରରେ ଏହି ସୁବିଧାକୁ ଉପଯୋଗ କରିପାରିବେ। ଟେଷ୍ଟ ବେଡ୍‌ ସୁବିଧାର ଉପଯୋଗକୁ ପ୍ରୋତ୍ସାହିତ କରିବା ଏବଂ ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଅନୁରୂପ ସ୍ବଦେଶୀ ଜ୍ଞାନକୌଶଳ/ଉତ୍ପାଦ ବିକାଶରେ ସହାୟତା କରିବା ଲାଗି ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ବିଭିନ୍ନ ଷ୍ଟାର୍ଟଅପ୍ସ ଓ କମ୍ପାନୀମାନେ ସେମାନଙ୍କର ଉତ୍ପାଦ ଓ ସେବାର ପରୀକ୍ଷଣ ନିମନ୍ତେ ପୂର୍ବରୁ ଟେଷ୍ଟ ବେଡ୍‌ ସୁବିଧାକୁ ଉପଯୋଗ କରି ଆସୁଛନ୍ତି।

ମାର୍ଚ୍ଚ ୨୦୧୮ରେ, ଭାରତର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ୫ ଜି ସେବା ନିୟୋଜନକୁ ଆଗକୁ ବଢ଼ାଇବା ଲାଗି, ଦୂରସଞ୍ଚାର ବିଭାଗ ପକ୍ଷରୁ ୨୨୪ କୋଟି ଟଙ୍କା ବ୍ୟୟବରାଦ ସହିତ ଭାରତରେ ‘ସ୍ବଦେଶୀ ୫ ଜି ଟେଷ୍ଟ ବେଡ’ ସୁବିଧା ଆରମ୍ଭ କରିବା ଲାଗି ବହୁମୁଖି ସଂସ୍ଥାନ ସହଭାଗୀ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଥିଲା। ଏହି ପ୍ରକଳ୍ପରେ ଆଠଟି ସହଭାଗୀ ପ୍ରତିଷ୍ଠାନ ଥିଲେ ଆଇଆଇଟି ମାଡ୍ରାସ, ଆଇଆଇଟି ହାଇଦ୍ରାବାଦ, ଆଇଆଇଟି ବମ୍ବେ, ଆଇଆଇଟି କାନପୁର, ଆଇଆଇଏସସି ବାଙ୍ଗାଲୋର, ସୋସାଇଟୀ ଫର ଆପ୍ଲାଏଡ୍‌ ମାଇକ୍ରୋୱେଭ୍‌ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଏଣ୍ଡ ରିସର୍ଚ୍ଚ (ସମୀର) ଏବଂ ସେଣ୍ଟର ଅଫ ଏକ୍ସେଲେନ୍ସ ଇନ୍‌ ୱେରଲେସ ଟେକ୍ନୋଲୋଜି (ସିୱିଟ)।

୧୭ ମେ, ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବଦେଶୀ ୫ ଜି ଟେଷ୍ଟ ବେଡକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଟେଷ୍ଟ ବେଡର ଆକ୍ସେସ ଏବଂ ବ୍ୟବହାର ପାଇଁ ଏକ ୱେବପୋର୍ଟାଲ  ଆଇଆଇଟି ମଧ୍ୟ ଡିଜାଇନ କରାଯାଇଛି।

୫ ଜି ଟେଷ୍ଟ ବେଡ ପାଞ୍ଚଟି ସ୍ଥାନ ଯଥା : ଆଇଆଇଟି ମାଡ୍ରାସ/ସିୱିଟ୍‌ ଠାରେ ଥିବା ଏକୀକୃତ ଟେଷ୍ଟ ବେଡ ଏବଂ ଆଇଆଇଟି ଦିଲ୍ଲୀ, ଆଇଆଇଟି ହାଇଦ୍ରାବାଦ, ଆଇଆଇଟି କାନପୁର ଏବଂ ଆଇଆଇଏସସି ବାଙ୍ଗାଲୋର ଠାରେ ଉପଲବ୍ଧ ରହିଛି। ଆଇଆଇଟି ମାଡ୍ରାସ/ସିୱିଟ୍‌ ଠାରେ ଥିବା ଏକୀକୃତ ଟେଷ୍ଟ ବେଡରେ ଆରଏଏନ ଲେଭଲ, ପିଏଚୱାଇ ଲେଭଲ ଆଦି ବିଭିନ୍ନ ଏଣ୍ଡ ଟୁ ଏଣ୍ଡ ଟେଷ୍ଟ ବେଡ ସୁବିଧା ମିଳିଥାଏ। ଆଇଆଇଟି ହାଇଦ୍ରାବାଦ ଠାରେ ଜିଏନବି ଟେଷ୍ଟିଂ, ୟୁଇ ଟେଷ୍ଟିଂ ଏଣ୍ଡ ଟୁ ଏଣ୍ଡ ଇଣ୍ଟରଅପରେବଲିଟୀ ଟେଷ୍ଟିଂ ଏବଂ ଏନବି-ଆଇଓଟି ଟେଷ୍ଟିଂ ସୁବିଧା ଉପଲବ୍ଧ ରହିଛି। ଅନ୍ୟପଟେ ଆଇଆଇଏସସି ବାଙ୍ଗାଲୋର ଠାରେ ଭିଟୁଏକ୍ସ ଏବଂ ୫ ଜି ଓପନସୋର୍ଟ ଟେଷ୍ଟବେଡ୍‌ ସୁବିଧା ସୁବିଧା ଉପଲବ୍ଧ। ଆଇଆଇଟି କାନପୁରରେ ବେସ ବ୍ୟାଣ୍ଡ ଟେଷ୍ଟ ବେଡ୍‌ ଏବଂ ଆଇଆଇଟି ଦିଲ୍ଲୀରେ ଏନବି-ଆଇଓଟି ଏବଂ ଭିଏଲସି ଟେଷ୍ଟ ବେଡ୍‌ ସୁବିଧା ରହିଛି।

ଏଣ୍ଡ ଟୁ ଏଣ୍ଡ ଟେଷ୍ଟ ବେଡ୍‌ ବୈଶ୍ବିକ 3ଜିପିପି ମାନକ ଏବଂ ଓରାନ୍‌ ମାନକକୁ ଅନୁପାଳନ କରିଥାଏ। ସ୍ବଦେଶୀ ୫ ଜି ଟେଷ୍ଟ ବେଡ୍‌ ଏକ ଓପନ ୫ ଜି ଟେଷ୍ଟ ସୁବିଧା ଯୋଗାଇ ଦେଇଥାଏ ଯାହାକି ଭାରତୀୟ ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପାନୁଷ୍ଠାନମାନଙ୍କର ଗବେଷଣା ଓ ବିକାଶ ଦଳକୁ ସେମାନଙ୍କର ଉତ୍ପାଦ, ପ୍ରୋଟୋଟାଇପ, ଆଲଗୋରିଦିମର ପ୍ରମାଣିକରଣ କରିବା ଏବଂ ବିଭିନ୍ନ ସେବାକୁ ପ୍ରଦର୍ଶିତ କରିବା ପାଇଁ ସକ୍ଷମ କରିଥାଏ। ଆହୁରି, ଏହା ଅଭିନବ ବିଚାର/ଉପାୟ ଉପରେ କାର୍ଯ୍ୟ କରିବା ଲାଗି ଗବେଷଣା ଦଳକୁ ସମ୍ପୂର୍ଣ୍ଣ ସୁବିଧା ଦେଇଥାଏ ଯେଉଁଥିରେ ଭାରତରେ ଏବଂ ବିଶ୍ବ ସ୍ତରରେ ମାନକୀକରଣର ସମ୍ଭାବନା ରହିଥାଏ। ଗ୍ରାମୀଣ ବ୍ରଡବ୍ୟାଣ୍ଡ, ସ୍ମାର୍ଟ ସିଟୀ ଏପ୍ଲିକେସନ ଏବଂ ଇଣ୍ଟେଲିଜେଣ୍ଟ ଟ୍ରାନ୍ସଫୋର୍ଟ ସିଷ୍ଟମ (ଆଇଟିଏସ) ଭଳି ଭାରତୀୟ ସମାଜ ପାଇଁ ଗୁରୁତ୍ବପୂର୍ଣ୍ଣ ବିଭିନ୍ନ ସୁବିଧାର ପ୍ରୟୋଗ/ବ୍ୟବହାର  ନିମନ୍ତେ ପରୀକ୍ଷଣ ଓ ପ୍ରଦର୍ଶନ ଲାଗି ଏହା ୫ଜି ନେଟୱର୍କ ସୁବିଧା ଯୋଗାଇ ଦେଇଥାଏ। ଏହା ଭାରତୀୟ ଅପରେଟରମାନଙ୍କୁ ୫ ଜି ପ୍ରଯୁକ୍ତି ଉପରେ କାମ କରିବାର ଉପାୟକୁ ବୁଝିବା ଏବଂ ସେମାନଙ୍କ ଭବିଷ୍ୟତ ନେଟୱର୍କକୁ ନେଇ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ।

ଏହି ସ୍ବଦେଶୀ ଟେଷ୍ଟ ବେଡ୍‌ର ବିକାଶ ଭାରତ ୫ଜି ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଏବଂ ଏବେ ୫ଜି ଆତ୍ମନିର୍ଭର ଭାରତ ଦିଗରେ ଅଗ୍ରସର ହେବା ଦିଗରେ ଏକ ପ୍ରମୁଖ ସଫଳ ପଦକ୍ଷେପ। ଏହି ଟେଷ୍ଟ ବେଡ୍ ଭାରତୀୟ ଷ୍ଟାର୍ଟଅପ୍ସ, ଏମଏସଏମଇ, ଆରଏଣ୍ଡଡି, ଶିକ୍ଷାନୁଷ୍ଠାନ ଓ ଶିଳ୍ପ ବ୍ୟବହାରକାରୀମାନଙ୍କ ଦ୍ବାରା ବିକଶିତ ଓ ନିର୍ମାଣ କରାଯାଉଥିବା ୫ ଜି ଉତ୍ପାଦର ପରୀକ୍ଷଣ ଏବଂ ପ୍ରାମାଣୀକରଣ ନିମନ୍ତେ ସ୍ବଦେଶୀ କ୍ଷମତା ଯୋଗାଇ ଦେଉଛି। ଫଳରେ ଖର୍ଚ୍ଚ କମିବା ସହିତ ଡିଜାଇନ ପାଇଁ ଲାଗୁଥିବା ସମୟ ହ୍ରାସ ପାଇଛି। ଏଥିଯୋଗୁ ଭାରତୀୟ ୫ ଜି ଉତ୍ପାଦଗୁଡ଼ିକର ବିଶ୍ବସ୍ତରରେ ଅଧିକ ବଜାର ପ୍ରତିଦ୍ବନ୍ଦ୍ବୀ ହୋଇପାରିବ ବୋଲି ଆଶା କରାଯାଉଛି।

ଏହି ଟେଷ୍ଟ ବେଡର ବିକାଶ ଫଳରେ ବିଭିନ୍ନ ୫ ଜି ପ୍ରଯୁକ୍ତି/ଆଇପିର ବିକାଶ ସମ୍ଭବ ହୋଇପାରିଛି ଯାହାକି ଏବେ ଶିଳ୍ପାନୁଷ୍ଠାନଗୁଡ଼ିକୁ ପ୍ରଯୁକ୍ତି ହସ୍ତାନ୍ତର ପାଇଁ ଉପଲବ୍ଧ ରହିଛି। ଏସବୁ ଏବେ ଶିଳ୍ପାନୁଷ୍ଠାନଗୁଡ଼ିକୁ ଭାରତରେ 5ଜିର ସୁଗମ ଏବଂ ଦ୍ରୁତ ନିୟୋଜନରେ ସହାୟକ ହୋଇପାରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ଓଡ଼ିଶା ଷ୍ଟାର୍ଟଅପ୍‌ ଟାସ୍କ ଫୋର୍ସ ପକ୍ଷରୁ ୧.୫୩ କୋଟି ମଞ୍ଜୁର

ଭୁବନେଶ୍ୱର: ଷ୍ଟାର୍ଟଅପ୍‌ ଓଡ଼ିଶା ଟାସ୍କ ଫୋର୍ସ ରାଜ୍ୟରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମର ବିକାଶ ଦିଗରେ ୨୩ଟି ଷ୍ଟାର୍ଟଅପ୍‌କୁ ୧.୫୩ କୋଟି ଟଙ୍କା ଏବଂ ୨ଟି ଇନକ୍ୟବେଟରକୁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛି।

ଓଡ଼ିଶା ଷ୍ଟାର୍ଟଅପ୍‌ ନୀତି ୨୦୧୬ ଅଧାରରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ନିମନ୍ତେ ଏସିଏସ, ଏମ୍‌ଏସ୍‌ଏମ୍‌ଇ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଏହି ପ୍ରୋତ୍ସାହନ ଷ୍ଟାର୍ଟଅପ୍‌ଗୁଡ଼ିକୁ ସେମାନଙ୍କର ଉତ୍ପାଦର ବିକାଶ ଏବଂ ଏହାକୁ ବଜାରକୁ ନେବାରେ ସାହାଯ୍ୟ କରିବ କହିଥିଲେ । ଏଥି ସହିତ ଷ୍ଟାର୍ଟଅପ୍‌ ଓଡ଼ିଶାକୁ ଷ୍ଟାର୍ଟଅପ୍‌ ପର୍ଯ୍ୟନ୍ତ ବିସ୍ତାରିତ ଆର୍ଥିକ ସହାୟତା ସୁବିଧା ସଂଖ୍ୟା ୨୬୯କୁ ବୃଦ୍ଧି ପାଇଛି ବୋଲି ସେ ପ୍ରକାଶ କରିଥିଲେ ।

ଯେଁଉ ଷ୍ଟାର୍ଟଅପ୍‌ଗୁଡ଼ିକ ଏହି ଅର୍ଥରୁ ଲାଭଦାୟକ ହେବେ ସେଗୁଡ଼ିକ ମଧ୍ୟରେ ଏୟୁୟୁଏମ୍‌ ପ୍ଲାଟଫର୍ମ ଯାହା ଏସୱାସନର ନାମକ ପିପିଇ କିଟ୍‌ର ଏକ ଅଭିନବ ମଡେଲ୍‌ ଉପରେ କାର୍ଯ୍ୟ କରୁଛନ୍ତି, ସେହିଭଳି ଅମଳ ପରବର୍ତ୍ତୀ ବୈଷୟିକ ଉପରେ କାର୍ଯ୍ୟ କରୁଥିବା ମାଟି ଫାର୍ମସ୍‌ ନାମକ ଷ୍ଟାର୍ଟଅପ୍‌ ଉତ୍ପାଦ ବିକାଶ ଏବଂ ମାର୍କେଟିଂ ସହାୟତା ଦିଗରେ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇଥିଲେ, ଓଡିକାଷ୍ଟ ଡିଜିଟାଲ୍‌ ଭାରତର ସର୍ବବୃହତ ସ୍ୱାସ୍ଥ୍ୟ ମିଡିଆ ନେଟୱାର୍କ ଉପରେ କାମ କରନ୍ତି, ଟିଏସ୍‌ ଓରିଜିନାଲ୍ସ ପିଭିଟି ଲିମିଟେଡ୍‌ ବିକାଶ ଉପରେ ଧ୍ୟାନ ଦେଇ ସ୍ୱଦେଶୀ, ସମସ୍ତ ହାତରେ ମିଶ୍ରିତ, ହର୍ବାଲ୍‌ ଚା ଉତ୍ପାଦନ କରନ୍ତି।

ସେହିପରି କୋଡିଗେରାଓ ଇନନୋଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାନୋପାର୍ଟିକାଲ୍‌ ସହିତ ଜୈବିକ ବ୍ୟବହାର କରି ସୂତା ଉତ୍ପାଦନ କରୁଛି, ମିଓର୍ଗ୩୬୦ ଇନୋଭେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୱାନ୍‌ ଷ୍ଟପ୍‌, ମାଗଣା କ୍ଲାଉଡ୍‌-ଆଧାରିତ ମାନବ ସମ୍ବଳ ସଫଫେୱୟାର୍‌ ଯାହା ନିଯୁକ୍ତି, ଦକ୍ଷତା, ଅନୁପାଳନ, ବେତନ ଏବଂ ଅନ୍ୟାନ୍ୟ ସେବା ଯୋଗାଉଛି, କ୍ଲାଭିକଫର ଏକାଡେମୀ, ଶିକ୍ଷା ବୈଷୟିକ ଷ୍ଟାର୍ଟଅପ୍‌ ଏଆଇ-ଆଧାରିତ ପରାମର୍ଶ ଏବଂ ମାର୍ଗଦର୍ଶନ ପ୍ଲାଟଫର୍ମ ପ୍ରସ୍ତୁତ କରୁଅଛି ।

ଅନ୍ୟ ଷ୍ଟାର୍ଟଅପ୍‌ଙ୍କ ମଧ୍ୟରେ ଆଇଓନୋକ୍ସ ସଫଫେୱୟାର୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଏମ୍‌ପିବିଏସ୍‌ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଡିଜାଇନ୍‌ ଏଲ୍‌ଏଲ୍‌ପି, ଥିଙ୍କ୍‌-ଜେନିକ୍ସ ବାୟୋଟେକ୍‌, ପ୍ୟìରିପେଟାଲ୍‌ ଆଲାଏନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ପ୍ରାୟଓରିଟିଜ୍‌ ମେଡ୍‌ ଇଜି ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ , ଲାପି ସ୍ୱାସ୍ଥ୍ୟ କେୟାର୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ୫ଷ୍ଟାର୍‌ ଅପ୍ନିସେବା ପ୍ରାଇଭେଟ୍‌ ଲିମିଟେଡ୍‌, କୋଏଲ୍‌ ଫ୍ରେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ୟୋଶିନୋ ଏନର୍ଜି ପ୍ରାଇଭେଟ୍‌ ଲିମିଟେଡ୍‌, ୱେଟୁୱର୍ଥ ଏଲ୍‌ ପି, ହଳଦୀ ତତ୍ତ୍ୱ ପ୍ରାଇଭେଟ୍‌ ଲିମିଟେଡ୍‌, କିଓମସ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ କେଡଟେକ୍ମାଟିକ୍‌ ଟେକ୍ନୋଲୋଜିସ୍‌ ।

ସ୍ଥାୟୀ ଜୀବନଶୈଳୀ, ଜୈବସାର, ଜୈବଖାଦ୍ୟ, ଇଭି ଯାନ, ଏଆର /ଭିଆର ଉପରେ କାର୍ଯ୍ୟ କରୁଥିବା ଅନ୍ୟ ଷ୍ଟାର୍ଟଅପ୍‌ ଓଏସପି ୨୦୧୬ ଅଧୀନରେ ଆର୍ଥିକ ପ୍ରୋତ୍ସାହନ ପାଇଥିଲା ।
ଏହି ବୈଠକରେ ଶ୍ରୀ ବିଭୁତି ଭୂଷଣ ଦାଶ, ସ୍ୱତନ୍ତ୍ର ସଚିବ, ଏମ୍‌ଏସ୍‌ଏମ୍‌ଇ ବିଭାଗ, ସାଦିକ୍‌ ଆଲାମ, ଶିଳ୍ପ ନିର୍ଦ୍ଦେଶକ, ଶ୍ରୀମତୀ ସ୍ମିତା ରାଉତ, ଅର୍ଥ ବିଭାଗର ଉପସଚିବ, ରଜେନ୍‌ ପାଢ଼ୀ, ୟୁସିସିଆଇ, ଜୟଶ୍ରୀ ମହାନ୍ତି, ଲୁମିନୌସ ଇନ୍‌ଫାେୱସ୍‌, ଶ୍ରୀ ଐଶକାନ୍ତ ମହାନ୍ତି, ଏମ୍‌ଡି, ତତୱା ଟେକ୍ନୋଲୋଜି, ଡକଫର ଏସ ଏମ ମୁସ୍ତାକିମ, ଆଇଏମଏମଟି ଭୁବନେଶ୍ୱର ଏବଂ ଡକଫର ସଂଯୁକ୍ତା ବଢ଼ାଇ, ଇଭାନ୍‌ଜେଲିଷ୍ଟ, ଷ୍ଟାର୍ଟଅପ୍‌ ଓଡ଼ିଶା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏକ କୋଟିରେ ପହଞ୍ଚିଲା ଏମଏସଏମଇ ଉଦ୍ୟମ ପୋର୍ଟାଲ୍ ପଞ୍ଜୀକରଣ

ନୂଆଦିଲ୍ଲୀ : ଏମଏସଏମଇ ମନ୍ତ୍ରଣାଳୟ ଆଜି ଏହାର ଉଦ୍ୟମ ପୋର୍ଟାଲରେ ୧ କୋଟି ପଞ୍ଜୀକରଣ ମାଇଲଖୁଣ୍ଟକୁ ହାସଲ କରିଛି । ଉଦ୍ୟମ ପଞ୍ଜୀକରଣ ପୋର୍ଟାଲକୁ ୧ ଜୁଲାଇ ୨୦୨୦ ରେ ଶୁଭାରମ୍ଭ କରାଯାଇଛି। ସଂଶୋଧିତ ସଂଜ୍ଞା ନିର୍ମାଣ ଓ ସେବା ଉଦ୍ୟୋଗ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଛି।

ଉଦ୍ୟମ ପୋର୍ଟାଲ୍ ସିବିଡିଟି ଏବଂ ଜିଏସଟିଏନ୍ ଡାଟାବେସ୍ ସହିତ ସଂପୃକ୍ତ ଅଟେ। ଏହା ସମ୍ପୂର୍ଣ୍ଣ ଭାବରେ ଅନଲାଇନ ଅଟେ, ଏଥିପାଇଁ କୌଣସି କାଗଜପତ୍ର ପ୍ରକ୍ରିୟାର ଆବଶ୍ୟକତା ନାହିଁ ଏବଂ ଏହା ଏମଏସଏମଇ ପାଇଁ ବ୍ୟବସାୟକୁ ସୁଗମ କରିବା ଦିଗରେ ଏକ ପଦକ୍ଷେପ ଅଟେ।

ଏହି ଅବସରରେ ସୂଚନା ପ୍ରଦାନ କରି, ଏମଏସଏମଇ ର କେନ୍ଦ୍ର ମନ୍ତ୍ରୀ ଶ୍ରୀ ନାରାୟଣ ରାଣେ ଓ ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭାନୁ ପ୍ରତାପ ସିଂହ ବର୍ମା ଉଦ୍ୟମ ପଞ୍ଜୀକରଣର ଆବଶ୍ୟକତାକୁ ଦର୍ଶାଇଥିଲେ ଓ ଏମଏସଏମଇ ର ଏକ ପରିଚୟ ଭାବରେ ଏହାର ଆବଶ୍ୟକତା ବିଷୟରେ ସୂଚନା ପ୍ରଦାନ କରିଥିଲେ।

ଏହା ସହାୟତାରେ ଏମଏସଏମଇ ମନ୍ତ୍ରଣାଳୟ ଏବଂ ବ୍ୟାଙ୍କମାନଙ୍କର ସ୍କିମ୍ ଅଧୀନରେ ଏମଏସଏମଇ ଗୁଡ଼ିକ ସୁବିଧା ଲାଭ କରିପାରିବେ। ଶ୍ରୀ ରାଣେ ମଧ୍ୟ ଜିଡିପିର ଅଭିବୃଦ୍ଧି, ରପ୍ତାନୀ ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏମଏସଏମଇ ର ଅବଦାନକୁ ଗୁରୁତ୍ବ ପ୍ରଦାନ କରିଥିଲେ।

୨୫ ମାସର ଅବଧି ମଧ୍ୟରେ, ସ୍ବେଚ୍ଛାକୃତ ଭାବରେ ଉଦ୍ୟମ ପୋର୍ଟାଲରେ ୧ କୋଟି ଏମଏସଏମଇ ପଞ୍ଜୀକରଣ କରି ସାରିଛନ୍ତି ଓ ଏହା ଘୋଷଣା କରିଛନ୍ତି ଯେ ସେମାନେ ୭.୬ କୋଟି ଲୋକମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଯେଉଁଥିରେ ୧.୭ କୋଟି ମହିଳା ରହିଛନ୍ତି।

ଏମଏସଏମଇ ମନ୍ତ୍ରଣାଳୟ, ପର୍ଯ୍ୟଟନ ମନ୍ତ୍ରଣାଳୟ ଓ ଏନଏସଆଇସି ସହିତ ଉଦ୍ୟମ ଡାଟାକୁ ସେୟାର କରିବା ପାଇଁ ଏମଓୟୁ ସ୍ବାକ୍ଷର କରିଛନ୍ତି। ଏହି ଅବସରର ଉଦ୍ୟମ ପଞ୍ଜୀକରଣ ପାଇଁ ଡିଜିଲକର ସୁବିଧାକୁ ମଧ୍ୟ ଶୁଭାରମ୍ଭ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡ଼ିଶାକୁ ୪୪ ଗୋଟି କ୍ଷେତ୍ରରେ ଜାତୀୟ ଏମ୍‌ଏସ୍‌ଏମ୍‌ଇ ଆୱାର୍ଡ-୨୦୨୨

ଭୁବନେଶ୍ୱର:  ଭାରତ ସରକାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନ ଉଦ୍ୟୋଗ, ସେବା ଉଦ୍ୟୋଗ, ସ୍ୱତନ୍ତ୍ର ଉଦ୍ୟୋଗ ଏବଂ ପ୍ରତିଷ୍ଠାନ ସହାୟତା କ୍ଷେତ୍ର ଭଳି ସର୍ବମୋଟ ୪୪ ଗୋଟି କ୍ଷେତ୍ରରେ ପୁରସ୍କାର ନିମନ୍ତେ ବିବେଚିତ ହୋଇଛନ୍ତି । ଏଥିରେ ଓଡ଼ିଶା ଜାତୀୟ ଏମ୍‌ଏସ୍‌ଏମ୍‌ଇ ଆୱାର୍ଡ-୨୦୨୨ ପୁରସ୍କାର ପାଇ ଦେଶରେ ପ୍ରଥମ ରାଜ୍ୟ ଭାବେ ବିବେଚିତ ହୋଇଛି । ଏହା ରାଜ୍ୟର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଦିଗରେ ନେଇଥିବା ପଦକ୍ଷେପ ପାଇଁ ପୁରସ୍କୃତ କରାଯିବ ।

ସେହିଭଳି ଆକାଂକ୍ଷୀ ଜିଲ୍ଲାମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାକୁ ତୃତୀୟ ଜିଲ୍ଲା ଭାବେ ବିବେଚିତ ହୋଇଛି । ଏଥି ସହିତ ସେବା ଉଦ୍ୟୋଗ ବର୍ଗରେ ଭୁବନେଶ୍ୱରର ମେସର୍ସ ସେଫେରିକ୍‌ ଇନ୍‌ସୁରାନ୍ସ ବ୍ରୋକରସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ପ୍ରଥମ ପୁରସ୍କାର ଏବଂ କଟକର ମେସର୍ସ ଅମରନାଥ ପେଷ୍ଟ ମ୍ୟାନେଜ୍‌ମେଣ୍ଟ ଟେକ୍‌ନୋଲୋଜିକୁ ତୃତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ଏହି ପୁରସ୍କାର ରାଜ୍ୟ ସରକାରଙ୍କର ଏମ୍‌ଏସ୍‌ଏମ୍‌ଇ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଯଥା ନୂଆ ଉଦ୍ୟୋଗକୁ ସୁଯୋଗ ପ୍ରଦାନ କରିବା, ଅଭିଯୋଗ ଶୁଣାଣି, ବଜେଟ୍‌ ବୃଦ୍ଧି, ଋଣ ପ୍ରଦାନ ଅଭିବୃଦ୍ଧି, କ୍ଳଷ୍ଟର ଆପ୍ରୋଚ୍‌ କାର୍ଯ୍ୟକାରିତା, ଉଦ୍ୟମ ପଂଜୀକରଣ, ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ସଚେତନତା ସୃଷ୍ଟି ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ ।

ଏହି ପୁରସ୍କାର ପାଇଁ ଉଦ୍ୟୋଗଗୁଡ଼ିକଠାରୁ ଦରଖାସ୍ତ ଆହ୍ୱାନ କରାଯାଇ ପ୍ରଥମେ ରାଜ୍ୟସ୍ତରରେ ଓ ପରେ ଜାତୀୟ ସ୍ତରୀୟ କମିଟି ଦ୍ୱାରା ଉଦ୍ୟୋଗରେ ବିନିଯୋଗ ଅର୍ଥ ଏବଂ ଯନ୍ତ୍ରପାତି, ବାର୍ଷିକ ସରଞ୍ଜାମ, ଆସେଟ୍‌ ଓ ଲାଏବିଲିଟି, ବେତନ ଖର୍ଚ୍ଚ ଏବଂ କର୍ମଚାରୀ କଲ୍ୟାଣ ଇତ୍ୟାଦି ମାନଦଣ୍ଡ ପ୍ରଭୃତିର ତର୍ଜମା କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି ।

Categories
ବିଶେଷ ଖବର ବ୍ୟବସାୟ

ଏମଏସଏମଇ ଲାଗି ୮୦୮ ନିୟୁତ ଆମେରିକୀୟ ଡଲାର ଅର୍ଥ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍‌

ନୂଆଦିଲ୍ଲୀ: ‘‘ଏମଏସଏମଇ ପ୍ରଦର୍ଶନ ବଢ଼ାଇବା ଏବଂ ତ୍ୱରାନ୍ୱିତ କରିବା(ଆରଏଏମପି)’’ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୮୦୮ ନିୟୁତ ଆମେରିକୀୟ ଡଲାର, ଅର୍ଥାତ୍‌ ୬୦୬୨ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ବିଶ୍ବ ବ୍ୟାଙ୍କ ସହାୟତା କାର୍ଯ୍ୟକ୍ରମ ଅଧୀନରେ ଆରଏଏମପି ଯୋଜନାକୁ ମଞ୍ଜୁରି ମିଳିଛି। ୨୦୦୨୨-୨୩ ଆର୍ଥିକ ବର୍ଷରେ ଏକ ନୂଆ ଯୋଜନା ଆକାରରେ ଆରଏଏମପି ଯୋଜନାର ଶୁଭାରମ୍ଭ କରାଯିବ।

ଯୋଜନାରେ ନିହିତ ବ୍ୟୟ:

ଏହି ଯୋଜନାରେ ମୋଟ  ୮୦୮ ନିୟୁତ ଆମେରିକୀୟ ଡଲାର, ଅର୍ଥାତ୍‌ ୬୦୬୨ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏଥିମଧ୍ୟରୁ ୩୭୫୦ କୋଟି ଟଙ୍କା ବା ୫୦୦ ନିୟୁତ ଆମେରିକୀୟ ଡଲାର ବିଶ୍ବ ବ୍ୟାଙ୍କରୁ ଋଣ ଆକାରରେ ନିଆଯିବ ଏବଂ ଅବଶିଷ୍ଟ ୨୩୧୨.୪୫ କୋଟି ଟଙ୍କା ବା ୩୦୮ ନିୟୁତ ଆମେରିକୀୟ ଡଲାର ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ଯୋଗାଇ ଦେବେ।

ବିନ୍ଦୁ ୱାରୀ ବିବରଣୀ:

‘‘ଏମଏସଏମଇ ପ୍ରଦର୍ଶନ ବଢ଼ାଇବା ଏବଂ ତ୍ୱରାନ୍ୱିତ କରିବା(ଆରଏଏମପି)’’ କାର୍ଯ୍ୟକ୍ରମ ବିଶ୍ବ ବ୍ୟାଙ୍କ ସହାୟତାପ୍ରାପ୍ତ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଓଏମଏସଏମଇ)ର ବିଭିନ୍ନ କରୋନା ଭୂତାଣୁ ରୋଗ ୨୦୧୯ (କୋଭିଡ) ସହନଶୀଳ ଏବଂ ସୁଧାର ହସ୍ତକ୍ଷେପ ସହାୟତା ଯୋଗାଇ ଦିଆଯିବ।

ବଜାର ଏବଂ ଋଣ ସୁବିଧା ପ୍ରଦାନରେ ସୁଧାର, କେନ୍ଦ୍ର ଏବଂ ରାଜ୍ୟରେ ସଂସ୍ଥାଗତ ଏବଂ ପ୍ରଶାସନିକ ଦୃଢ଼ତା, କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ ସହଭାଗିତାରେ ସୁଧାର ଆଣିବା, ବିଳମ୍ବିତ ପଇଠ ଏବଂ ଗ୍ରିନିଂ ଭଳି ସମସ୍ୟାର ସମାଧାନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ଏହାଛଡ଼ା ଜାତୀୟ ସ୍ତରରେ ଏମଏସଏମଇ ମନ୍ତ୍ରଣାଳୟର କ୍ଷମତା ନିର୍ମାଣ କରିବା ସହିତ ଆରଏଏମପି କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାରିତା କ୍ଷମତା ବୃଦ୍ଧି ଏବଂ ରାଜ୍ୟରେ ଏମଏସଏମଇ କଭରେଜ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ।

ନିଯୁକ୍ତି ସୁଯୋଗ ବୃଦ୍ଧି ସମ୍ଭାବନା ଏବଂ ହିତାଧିକାରୀଙ୍କ ସଂଖ୍ୟା ସମେତ ବୃହତ ପ୍ରଭାବ: 

ବର୍ତ୍ତମାନର ଏମଏସଏମଇ ଯୋଜନାର ପ୍ରଭାବ ବିସ୍ତାର ମାଧ୍ୟମରେ ଏମଏସଏମଇ କ୍ଷେତ୍ରରେ ରହିଥିବା କୋଭିଡ ଏବଂ ସାଧାରଣ ସମସ୍ୟାଗୁଡ଼ିକ ସମାଧାନ ପାଇଁ ଆରଏଏମପି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରାଯିବ। ବିଶେଷ କରି ପ୍ରତିଯୋଗିତାମୂଳକ କ୍ଷମତା ବଢ଼ାଇବା ପାଇଁ ପଦକ୍ଷେପ ନିଆଯିବ। ଆହୁରି, ଏହି କାର୍ଯ୍ୟକ୍ରମ ଜରିଆରେ ଅପହଞ୍ଚ କ୍ଷେତ୍ର ବିଶେଷ କରି କ୍ଷମତା ନିର୍ମାଣ, ହ୍ୟାଣ୍ଡ ହୋଲ୍ଡିଂ, କୌଶଳ ବିକାଶ, ଗୁଣବତ୍ତା ସମୃଦ୍ଧି, ବୈଷୟିକ ଉନ୍ନତିକରଣ, ଡିଜିଟାଲକରଣ, ଜନସମ୍ପର୍କ ଏବଂ ମାର୍କେଟିଂ ପ୍ରୋତ୍ସାହନ ଆଦି ଅନ୍ୟାନ୍ୟ ଆବଶ୍ୟକତା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯିବ।

ରାଜ୍ୟମାନଙ୍କ ସହିତ ବିସ୍ତୃତ ସହଯୋଗ ମାଧ୍ୟମରେ ଆରଏଏମପି କାର୍ଯ୍ୟକ୍ରମ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ବଜାର ଆଗକୁ ବଢ଼ାଇବ, ଆର୍ଥିକ ସୁବିଧା ପ୍ରଦାନ କରିବ ଏବଂ ଦୁର୍ବଳ ବର୍ଗ ତଥା ସବୁଜ ପ୍ରୟାସକୁ ସମର୍ଥନ ଯୋଗାଇ ଦେବା କ୍ଷେତ୍ରରେ ପ୍ରଭାବୀ ସାବ୍ୟସ୍ତ ହେବ।

ଯେଉଁସବୁ ରାଜ୍ୟରେ ଏମଏସଏମଇର ଉପସ୍ଥିତି କମ ରହିଛି, ଆରଏଏମପି ଅଧୀନରେ କଭର କରାଯାଉଥିବା ଯୋଜନାର ଉଚ୍ଚ ପ୍ରଭାବ ଫଳରେ, ଅଧିକ ସଂଖ୍ୟାରେ ଔପଚାରିକ ଏମଏସଏମଇ ଉଦ୍ୟୋଗ ଆରମ୍ଭ ହେବ। ଏକ ଉନ୍ନତ ଏମଏସଏମଇ କ୍ଷେତ୍ରର ବିକାଶ ଲାଗି ଏସବୁ ରାଜ୍ୟ ପକ୍ଷରୁ ବିକଶିତ ଏସଆଇପି, ରୋଡମ୍ୟାପ ଆକାରରେ କାର୍ଯ୍ୟ କରିବେ।

ଉଦ୍ୟୋଗ ମାପଦଣ୍ଡ, କାର୍ଯ୍ୟ ପଦ୍ଧତିରେ ନବସୃଜନ ଏବଂ ବୃଦ୍ଧିକୁ ପ୍ରୋତ୍ସାହନ ଦେବା ମାଧ୍ୟମରେ ଆରଏଏମପି କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ ମିଶନକୁ ସମର୍ଥନ ଯୋଗାଇ ଦେବ ତଥା ଏମଏସଏମଇ କ୍ଷେତ୍ରକୁ ପ୍ରତିଯୋଗିତାମୂଳକ ତଥା ଆତ୍ମନିର୍ଭରଶୀଳ କରିବ। ରପ୍ତାନି ବୃଦ୍ଧି କରିବା, ଆମଦାନୀ ହ୍ରାସ କରିବା ଏବଂ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଆବଶ୍ୟକ ବୈଷୟିକ ଇନପୁଟ୍‌ ପ୍ରଦାନ କରିବ।

ଆରଏଏମପି ଯୋଜନାର ଲାଭ:

ପ୍ରତିଦ୍ବନ୍ଦ୍ବିତା ଏବଂ ବ୍ୟବସାୟିକ ସ୍ଥିରତାର ସ୍ଥିତିକୁ ଉନ୍ନତ କରିବା ଲାଗି ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ସହ ଜଡ଼ିତ ଅଧିକ ପ୍ରଭାବୀ ଏବଂ ଦୀର୍ଘସ୍ଥାୟୀ ଉପାୟଗୁଡ଼ିକର ବିତରଣ ସମ୍ଭବ କରିବା ଉଦ୍ଦେଶ୍ୟରେ ସାକ୍ଷ୍ୟ ଆଧାରିତ ନୀତି ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଲାଗି ବର୍ଦ୍ଧିତ କ୍ଷମତା ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଏକ ‘‘ନୀତି ନିର୍ମାତା’’ ସାବ୍ୟସ୍ତ ହେବ। ଅନ୍ତର୍ଜାତୀୟ ଅଭିଜ୍ଞତାର ଲାଭ ଉଠାଇ ମାନକ ନିର୍ଦ୍ଧାରିତ କରିବା, ସର୍ବୋତ୍ତମ ପ୍ରଚଳନ/ସଫଳତା କାହାଣୀ ଶେୟାର କରିବା ଏବଂ ଏହାର ପ୍ରଦର୍ଶନ କରିବା ମାଧ୍ୟମରେ ଏକ ‘‘ଜ୍ଞାନ ପ୍ରଦାତା’’ ସାବ୍ୟସ୍ତ ହେବ। ଏବଂ ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ଆନାଲିଟିକ୍ସ, ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ (ଆଇଓଟି), ମେସିନ ଲର୍ଣ୍ଣିଂ ଆଦି ଉଚ୍ଚତମ ସ୍ତରର ପ୍ରଯୁକ୍ତି ମାଧ୍ୟମରେ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର ଡିଜିଟାଲ ଏବଂ ବୈଷୟିକ ରୂପାନ୍ତରଣ ହୋଇଥାଏ। ତେଣୁ ଏହି ପ୍ରଯୁକ୍ତିର ଲାଭ ପାଇବା ଲାଗି କାର୍ଯ୍ୟକ୍ରମ ଏକ ‘‘ପ୍ରଯୁକ୍ତି ପ୍ରଦାନକାରୀ’’ ସାବ୍ୟସ୍ତ ହେବ।

ସାରା ଦେଶରେ ନିଜର ପ୍ରଭାବ ସହିତ ଆରଏଏମପି ଯୋଜନା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସେସବୁ ୬୩ ନିୟୁତ ଉଦ୍ୟୋଗକୁ ଲାଭାନ୍ବିତ କରିବ ଯେଉଁ ଉଦ୍ୟୋଗଗୁଡ଼ିକ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର  ଯୋଗ୍ୟତା ଲାଭ କରିଛନ୍ତି।

ତେବେ ମୋଟ ୫,୫୫,୦୦୦ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ଉନ୍ନତ ପ୍ରଦର୍ଶନ କରିବା ଲାଗି ସକ୍ଷମ କରିବା ଲାଗି ଏହି କାର୍ଯ୍ୟକ୍ରମ ଅଧୀନରେ ପରିକଳ୍ପନା କରାଯାଇଛି। ଏହାବ୍ୟତୀତ, ଏହି ଯୋଜନା ଅଧୀନରେ ସେବା କ୍ଷେତ୍ରକୁ ସାମିଲ କରିବା ଲାଗି ନିର୍ଦ୍ଦିଷ୍ଟ ଲକ୍ଷିତ ବଜାରକୁ ସମ୍ପ୍ରସାରିତ କରିବା ଏବଂ ପାଖାପାଖି ୭୦,୫୦୦ ମହିଳା ଏମଏସଏମଇ ବୃଦ୍ଧି କରିବା ପାଇଁ ପରିକଳ୍ପନା କରାଯାଇଛି।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ପ୍ରାରମ୍ଭିକ ମିଶନ ଏବଂ ଅଧ୍ୟୟନ ପରେ କାର୍ଯ୍ୟକ୍ରମ ଦୁଇଟି ପରିଣାମ କ୍ଷେତ୍ର ଚିହ୍ନଟ କରିଛି : (୧) ଏମଏସଏମଇ କାର୍ଯ୍ୟକ୍ରମର ସଂସ୍ଥାନ ଏବଂ ପ୍ରଶାସନକୁ ସୁଦୃଢ଼ କରିବା ଏବଂ (୨) ବଜାର ପହଞ୍ଚ, କମ୍ପାନୀର କ୍ଷମତା ଏବଂ ପୁଞ୍ଜି ଉପଲବ୍ଧତା ଯୋଗାଇ ଦେବା ନିମନ୍ତେ ସହଯୋଗ କରିବା ।

ବଜାର ପ୍ରସାର ଏବଂ ପ୍ରତିଯୋଗିତାରେ ସୁଧାର ଉପରେ ଧ୍ୟାନ କେନ୍ଦ୍ରିତ କରି, ଏମଏସଏମଇ ମନ୍ତ୍ରଣାଳୟର ବର୍ତ୍ତମାନର କାର୍ଯ୍ୟକ୍ରମଗୁଡ଼ିକୁ ସମର୍ଥନ କରିବା ଲାଗି ଅର୍ଥ ପଇଠ ସହ ଜଡ଼ିତ ସଙ୍କେତକ (ଡିଏଲଆଇ)ରୁ ପୃଥକ ଅନ୍ୟ ମନ୍ତ୍ରଣାଳୟର ବଜେଟରେ ଆରଏଏମପି ମାଧ୍ୟମରେ ପାଣ୍ଠି ଯୋଗାଇ ଦିଆଯିବ।

ବିଶ୍ବ ବ୍ୟାଙ୍କରୁ ଆରଏଏମପି ଯୋଜନାକୁ ପାଣ୍ଠି ଯୋଗାଣ ନିମ୍ନୋକ୍ତ ବିତରଣ ଆଧାରିତ ସଙ୍କେତକ ଉପରେ କରାଯିବ:

ଜାତୀୟ ଏମଏସଏମଇ ସୁଧାର ଏଜେଣ୍ଡାକୁ ଲାଗୁ କରିବା

ଏମଏସଏମଇ କ୍ଷେତ୍ରରେ କେନ୍ଦ୍ର-ରାଜ୍ୟ ସହଯୋଗକୁ ତ୍ବରାନ୍ବିତ କରିବା

ପ୍ରଯୁକ୍ତି ଉନ୍ନୟନ ଯୋଜନା (ସିଏଲସିଏସ-ଟିୟୁଏସ)ର ପ୍ରଭାବକୁ ବଢ଼ାଇବା

ଏମଏସଏମଇ ପାଇଁ ପ୍ରାପ୍ୟ ଅର୍ଥ ପୋଷଣ ବଜାରକୁ ମଜବୁତ କରିବା

ସୂକ୍ଷ୍ମ ଏବଂ ଲଘୁ ଉଦ୍ୟୋଗ (ସିଜିଟିଏମଏସଇ) ଏବଂ ‘‘ଗ୍ରିନିଂ ଏଣ୍ଡ ଜେଣ୍ଡର’’ ଡିଲିଭରୀ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ଟ୍ରଷ୍ଟର ପ୍ରଭାବକୁ ବଢ଼ାଇବା

ବିଳମ୍ବରେ ଅର୍ଥ ପଇଠ ମାମଲା ହ୍ରାସ କରିବା

ରଣନୈତିକ ନିବେଶ ଯୋଜନା (ଏସଆଇପି) ପ୍ରସ୍ତୁତ କରିବା ଆରଏଏମପିର ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ, ଏଥିରେ ସବୁ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶକୁ ଆମନ୍ତ୍ରିତ କରାଯିବ।

ଆରଏଏମପି ଅଧୀନରେ ଏମଏସଏମଇର ଚିହ୍ନଟ ଏବଂ ଉନ୍ନତିକରଣ ପାଇଁ ଏକ ପ୍ରଚାରପ୍ରସାର ଯୋଜନା, ପ୍ରମୁଖ ବାଧା ଏବଂ ବ୍ୟବଧାନକୁ ଚିହ୍ନଟ କରିବା, ବିଶେଷ ଉପଲବ୍ଧି ଏବଂ ପ୍ରକଳ୍ପର ନିର୍ଦ୍ଧାରଣ ଏବଂ ଅକ୍ଷୟ ଶକ୍ତି, ଗ୍ରାମୀଣ ଏବଂ ଅଣ-କୃଷି ବ୍ୟବସାୟ, ପାଇକାରୀ ଏବଂ ଖୁଚୁରା ବ୍ୟବସାୟ, ଗ୍ରାମୀଣ ଏବଂ କୁଟୀର ଶିଳ୍ପ, ମହିଳା ଉଦ୍ୟୋଗ ଆଦି ସମେତ ପ୍ରାଥମିକତା କ୍ଷେତ୍ରରେ ପ୍ରୟାସ ପାଇଁ ଆବଶ୍ୟକ ବଜେଟ୍‌ ଉପସ୍ଥାପନ କରିବା ଆଦି ଏସଆଇପିରେ ସାମିଲ ରହିଛି।

ଏକ ଶୀର୍ଷ ଜାତୀୟ ଏମଏସଏମଇ ପରିଷଦ ମାଧ୍ୟମରେ ଆରଏଏମପିର ସାମଗ୍ରିକ ନିରୀକ୍ଷଣ ଏବଂ ନୀତିର ଅବଲୋକନ କରାଯିବ, ଏଥିରେ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧିମାନଙ୍କ ସହିତ ଏମଏସଏମଇ ମନ୍ତ୍ରୀ ସାମିଲ ରହିବେ। ଏହାକୁ ସମର୍ଥନ ଯୋଗାଇ ଦେବା ପାଇଁ ଏକ ସଚିବାଳୟ ରହିବ। ଆରଏଏମପି କାର୍ଯ୍ୟକ୍ରମ କମିଟି ଏମଏସଏମଇ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଗଠନ କରାଯିବ ଯାହାକି ଆରଏଏମପି ଯୋଜନାର ନିର୍ଦ୍ଦିଷ୍ଟ ବିତରଣଯୋଗ୍ୟ ଦିଗକୁ ଅନୁଧ୍ୟାନ କରିବ। ଆହୁରି ଦୈନନ୍ଦିନ କାର୍ଯ୍ୟକାରିତା ପାଇଁ ଜାତୀୟସ୍ତରରେ ଏବଂ ରାଜ୍ୟସ୍ତରରେ ଏକ କାର୍ଯ୍ୟକ୍ରମ ପରିଚାଳନା ୟୁନିଟ୍‌ ରହିବ। ଏଥିରେ ଆରଏଏମପି କାର୍ଯ୍ୟକ୍ରମର କାର୍ଯ୍ୟକାରିତା, ଅନୁଧ୍ୟାନ ଏବଂ ମୂଲ୍ୟାଙ୍କନ ପାଇଁ ଏମଏସଏମଇ ମନ୍ତ୍ରଣାଳୟ ଏବଂ ରାଜ୍ୟମାନଙ୍କୁ ସମର୍ଥନ ଯୋଗାଇ ଦେବା ନିମନ୍ତେ ଶିଳ୍ପ ବିଶେଷଜ୍ଞମାନେ ରହିବେ।

କେଉଁ ରାଜ୍ୟ/ଜିଲ୍ଲା ଯୋଜନା ପରିଧିରେ ରହିବେ:

ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶକୁ ଏସଆଇପି ପ୍ରସ୍ତୁତ କରିବା ଲାଗି ଆମନ୍ତ୍ରଣ କରାଯିବ ତଥା ଏସଆଇପି ଅଧୀନରେ ଦିଆଯିବାକୁ ଥିବା ପ୍ରସ୍ତାବକୁ ସେଗୁଡ଼ିକର ମୂଲ୍ୟାଙ୍କନ ଆଧାରରେ ପାଣ୍ଠି ଯୋଗାଇ ଦିଆଯିବ।

ଅର୍ଥ ପୋଷଣ ବସ୍ତୁନିଷ୍ଠ ଚୟନ ମାନଦଣ୍ଡ ଉପରେ ଆଧାରିତ ହେବ ଏବଂ ଏସଆଇପିର ମୂଲ୍ୟାଙ୍କନ ଏବଂ ଏହାର ମଞ୍ଜୁରି ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ପ୍ରତିଷ୍ଠିତ କଠୋର ପ୍ରକ୍ରିୟା ଜରିଆରେ କରାଯିବ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ପ୍ରଥମ: କଦଳୀ ପଟରୁ ଦଉଡି,ମ୍ୟାଟ, କପ ସହିତ ମଞ୍ଜାରୁ ପ୍ରସ୍ତୁତ ହେଉଛି ଆଚାର,ପାମ୍ପଡ

ଭୁବନେଶ୍ୱର, କଦଳୀ ପଟରୁ ଉନ୍ନତ ମାନର ଦଉଡ଼ି, ଆକର୍ଷଣୀୟ ମ୍ୟାଟ୍‌ ଓ ଡିସ୍‌ପୋଜେବୁଲ କପ୍‌ ପ୍ରଭୃତି ପ୍ରସ୍ତୁତ କରିବା କଦଳୀ ଚାଷୀମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିଛି । ଏହା ଉଦ୍ୟାନ କୃଷିକୁ ନେଇ ଏକ ଅର୍ଥନୈତିକ ବିପ୍ଳବ ଆଣିପାରିବ । ଏଥିସହିତ କଦଳୀ ମଞ୍ଜାରୁ ଆଚାର ଏବଂ ପାମ୍ପଡ଼ ପ୍ରସ୍ତୁତ ହେବା ଭଳି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି ।

ଆଚାର ଓ ପାମ୍ପଡ଼ ପ୍ରସ୍ତୁତ ପରେ ଅବଶିଷ୍ଟ ବର୍ଜ୍ୟରୁ ଉଦ୍ୟାନ ପାଇଁ ବ୍ୟବହୃତ ଯୋଗ୍ୟ ଜିଆ ଖତ (ଭର୍ମି-କମ୍ପୋଷ୍ଟ) ପ୍ରସ୍ତୁତ ହୋଇପାରୁଛି । ଏହାକୁ ସମ୍ଭବ କରି ପାରିଛନ୍ତି ‘ସ୍ପୁର୍ତ୍ତି’ କ୍ଲଷ୍ଟରରେ କାର୍ଯ୍ୟରତ ଉଦ୍ୟୋଗ ‘ଜୟଦେବ ବନାନା ଫାଇବର ଏକ୍ସଷ୍ଟ୍ରାକ୍ସନ୍‌’ । ଏହି ଉଦ୍ୟୋଗ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାଠାରେ ପ୍ରତିଷ୍ଠା କରିଥିବା ଶିଳ୍ପାନୁଷ୍ଠାନରେ ଏହି ଉତ୍ପାଦଗୁଡ଼ିକ ଉତ୍ପାଦନ କରିବାକୁ ଯାଉଛି ।

ଏହି ଧରଣର ଉତ୍ପାଦନ ଓଡ଼ିଶାରେ ପ୍ରଥମ ହେବ । ପୂର୍ବରୁ କଦଳୀ ଗଛରୁ କଦଳୀ ବାହାରିବା ପରେ ଗଛକୁ ସଂପୂର୍ଣ୍ଣ ନଷ୍ଟ କରି ଦିଆଯାଉଥିଲା । କାଁ ଭାଁ ଏହାର ମଞ୍ଜାକୁ ପରିବା ଭାବେ ଖିଆ ଯାଉଥିଲା । ଏ ଧରଣର ଉଦ୍ୟୋଗ ହେବା ଏବଂ ନୂତନ ଜ୍ଞାନକୌଶଳ ଯୋଗୁଁ ଏବେ କଦଳୀ ଏକ ବହୁ ଅର୍ଥକରୀ ଫସଲ ଭାବେ ସାବ୍ୟସ୍ତ ହୋଇପାରିବ ଏବଂ ଅଧିକ କଦଳୀ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହ ଯୋଗାଇପାରିବ ।

ସ୍ପୁର୍ତ୍ତି ଯୋଜନାରେ ଏହି ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି ଏବଂ ଏଥିରେ ୩୫୦ ଜଣ ସଦସ୍ୟଙ୍କୁ ନେଇ ଏକ ଗୋଷ୍ଠୀଗତ ଶିଳ୍ପାନୁଷ୍ଠାନ ଭାବେ ଆରମ୍ଭ କରାଯାଇଛି । ଖୁବ୍‌ଶୀଘ୍ର ଏହା ତା’ର ଉତ୍ପାଦନ ଆରମ୍ଭ କରିବ । ଆଜି ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ଏକ ସମୀକ୍ଷାରୁ ଜଣାପଡ଼ିଛି ଯେ ଏହି ଉଦ୍ୟୋଗ ପାଇଁ ୨ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ଏବଂ ଏହାର ସତ୍ତ୍ୱାଧିକାରୀ ସମାଜ କଲ୍ୟାଣ ଫାଉଣ୍ଡେସନ୍‌ ରହିଛି ।

ଆଜିର ସମୀକ୍ଷା ବୈଠକରେ ୭ଟି ବିଭିନ୍ନ କ୍ଲଷ୍ଟର ଉପରେ ଟିକିନିଖି ସମୀକ୍ଷା କରାଯାଇଥିଲା। ଏଥିରେ ଚାନ୍ଦୁଆ ତିଆରି, ପଥର ଖୋଦେଇ କାମ, ନଡ଼ିଆ କତା, ବେଲ୍‌ ମେଟାଲ୍‌ ଓ କାଠ କାମ, ମହୁଆ ପ୍ରକ୍ରିୟାକରଣ, ଶୁଖୁଆ ମାଛ ପ୍ରସ୍ତୁତି ପ୍ରଭୃତି ଅନ୍ତର୍ଭୁକ୍ତ । ତେବେ ଏସବୁ କ୍ଲଷ୍ଟର ଉଦ୍ୟୋଗଗୁଡ଼ିକୁ ଯଥାସମ୍ଭବ ତାଙ୍କର ଉତ୍ପାଦନ ଆରମ୍ଭ ଦିଗରେ ବାକିଆ ରହିଥିବା କାର୍ଯ୍ୟ ତୁରନ୍ତ ସାରିବାକୁ କୁହାଯାଇଛି ।

ଏଥି ସହିତ ସମସ୍ତ କ୍ଲଷ୍ଟରଗୁଡ଼ିକ ଯେଉଁ ଜମି ଉପରେ ତାଙ୍କର ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି, ସେହି ଜମିର ବୈଧତା ଯାଞ୍ଚ ନିମନ୍ତେ ସପ୍ତାହ ମଧ୍ୟରେ ବିଭାଗରେ ତାଙ୍କର ଜମି ରେଜିଷ୍ଟ୍ରେସନ୍‌ କାଗଜାତ୍‌ ଦାଖଲ କରିବାକୁ କୁହାଯାଇଛି । ତା’ଛଡ଼ା ଏସବୁ ଉଦ୍ୟୋଗ ବିଦୁ୍ୟତ ସଂଯୋଗ ବିଳମ୍ବ ଯୋଗୁଁ ଉତ୍ପାଦନ ଆରମ୍ଭ କରିବାରେ ସମସ୍ୟା ଉପୁଜୁଥିବା ଦର୍ଶାଇବାରୁ ସେ ଦିଗରେ ବିଭାଗ ତରଫରୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦିଆଯାଇଛି ।

ପ୍ରମୁଖ ଶାସନ ସଚିବ ଉତ୍ପାଦଗୁଡ଼ିକର ଆକର୍ଷଣୀୟ ପ୍ୟାକେଜ୍‌ ବ୍ୟବସ୍ଥା ସହିତ ଅନ୍‌ଲାଇନ୍‌ ମାର୍କେଟିଂ ଉପରେ ଗୁରୁତ୍ୱାରୋପ କରିଥିଲେ । କେତେକ କ୍ଲଷ୍ଟର ଅହେତୁକ ଭାବେ ନିର୍ମାଣ କାର୍ଯ୍ୟରେ ଧିମେଇ ଯାଇଥିବା ଯୋଗୁଁ ଯଦି ସେ ଦିଗରେ ସଂପୃକ୍ତ ଅନୁଷ୍ଠାନଗୁଡ଼ିକ ତତ୍ପରତା ପ୍ରକାଶ ନ କରିବେ ତେବେ ସେମାନଙ୍କ ସଂସ୍ଥାକୁ ଅନ୍ୟ ଆଗ୍ରହୀ ଅନୁଷ୍ଠାନକୁ ପ୍ରଦାନ କରାଯିବ ବୋଲି ତାଗିଦ୍‌ କରିଥିଲେ ।

ଏସବୁ କ୍ଲଷ୍ଟର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଏହା ରାଜ୍ୟର ଅର୍ଥନୀତିରେ ଏକ ବିରାଟ ପରିବର୍ତ୍ତନର ସୂତ୍ରପାତ କରିବ ଏବଂ ଏଥିରେ ସଂପୃକ୍ତ ଲୋକଙ୍କ ଆୟ ବୃଦ୍ଧି ହେବା ସହ କର୍ମସଂସ୍ଥାନ ସୃଷ୍ଟି ହୋଇପାରିବ । କିଛି ନୂଆ ପ୍ରସ୍ତାବ ଥିଲେ ତୁରନ୍ତ ଏଗୁଡ଼ିକୁ ଶିଳ୍ପ ନିର୍ଦ୍ଦେଶକଙ୍କ ପାଖକୁ ପଠାଇବାକୁ କୁହାଯାଇଛି । ସେ ଆଗକୁ ସରଳ ଓ ସହଜ ସମୀକ୍ଷା ନିମନ୍ତେ ଏକ ଉନ୍ନତ ଫର୍ମାଟ ବିକଶିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ପ୍ରଥମ ଥର ପାଇଁ ରାଜ୍ୟରେ ଏମଏସଏମଇ ର ହେବ ଗଣନା, ଖଦୀକୁ ଦିଆଯିବ ପ୍ରାଧାନ୍ୟ

ଭୁବନେଶ୍ବର, କୋଭିଡ୍‌ ପରିସ୍ଥିତି ସତ୍ବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗର ନୋଡାଲ୍‌ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସେମାନେ କ୍ଷେତ୍ରକୁ ଯାଇ ପ୍ରତ୍ୟକ୍ଷ ଭାବେ ରହିଥିବା ସମସ୍ୟା ସଂପର୍କରେ ଅବଗତ ହେବା ସହ ତା’ର ସମାଧାନ ଦିଗରେ ପ୍ରଚେଷ୍ଟା କଲେ ଅନେକ ସୁଫଳ ମିଳି ପାରିବ ବୋଲି ଆଜି ସମସ୍ତ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କୁ ନେଇ ଆୟୋଜିତ ଏକ ଭିଡ଼ିଓ କନ୍‌ଫରେନ୍ସରେ ଏହା କୁହାଯାଇଛି ।

ପ୍ରାରମ୍ଭରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ବିଭାଗର କାର୍ଯ୍ୟଧାରାକୁ ଆହୁରି ଲୋକାଭିମୁଖୀ କରିବାକୁ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲ।  ଅଧିକ ନିଯୁକ୍ତି ଆତ୍ମନିଯୁକ୍ତିର ସୁଯୋଗ ଥିବା ଏହି ବିଭାଗ ରାଜ୍ୟ ତଥା ଦେଶର ଅର୍ଥନୀତିରେ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନେଇ ପାରିବ ବୋଲି କହିବା ସହ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଭାଗ ପ୍ରତି ଅଧିକ ଆସ୍ଥା ପ୍ରକଟ କରି ଚଳିତ ଥର ବଜେଟକୁ ଦ୍ୱିଗୁଣ କରିଥିବାରୁ ଆମ କାର୍ଯ୍ୟଧାରାକୁ ସେହିଭଳି ଅଧିକ ଦକ୍ଷ ଓ ପାରଦର୍ଶୀ କରିବାକୁ ପଡ଼ିବ ବୋଲି ସେ କହିଥିଲେ।

ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଖଦୀକୁ ଅଧିକ ଲୋକ ପ୍ରିୟ କରି ଅଧିକ ଲୋକ କିପରି ଖଦୀର ବ୍ୟବହାର କରି ପାରିବେ ସେ ନେଇ କେତେକ ଗଠନମୂଳକ କାର୍ଯ୍ୟ ହାତକୁ ନେବାକୁ କହିଥିଲେ। ‘ଆମ କୃଷି’ ଭଳି ଏମ୍‌ଏସ୍‌ଏମ୍‌ଇ ବିଭାଗ ତରଫରୁ ‘ଆମ ଉଦ୍ୟୋଗୀ’ ଦୂରଦର୍ଶନ (ଓଡ଼ିଆ)ରେ ପ୍ରସାରଣ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ବିଭିନ୍ନ ମଲ୍‌ ଏବଂ ବଡ଼ ବଡ଼ ଆଉଟ୍‌ଲେଟ୍‌ଗୁଡ଼ିକରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଆକର୍ଷଣୀୟ ପ୍ୟାକେଜିଂ ଏବଂ ବାର୍‌କୋଡ୍‌ ପ୍ରଚଳନ କରିବାକୁ ଗୁରୁତ୍ୱ ଆରୋପ କରାଯାଇଥିଲା।

ସରକାର ଏସ୍‌ଏଚ୍‌ଜିଗୁଡ଼ିକର ସଶକ୍ତିକରଣ ଉଦ୍ଦେଶ୍ୟରେ ଅବ୍ୟବହୃତ ସଂପତ୍ତିଗୁଡ଼ିକୁ ମିଶନ ଶକ୍ତିକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଏଣିକି ଏମ୍‌ଏସ୍‌ଏମ୍‌ଇକୁ ଏସ୍‌ଏଚ୍‌ଜି କୈନ୍ଦ୍ରିକ କରିବାକୁ ହେବ। ତେଣୁ ଏଣିକି ରାଜ୍ୟରେ ମହିଳା ଉଦ୍ୟୋଗ ପ୍ରତି ଗୁରୁତ୍ୱ ପ୍ରଦାନ କରିବାକୁ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ ଭାବେ ପ୍ୟାକେଜିଂ ଉପରେ ଅଧିକ ଦୃଷ୍ଟି ଦେବାକୁ ହେବ ।

ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଆମର ଉନ୍ନତ ମାନର ଉତ୍ପାଦଗୁଡ଼ିକ ଆକର୍ଷଣୀୟ ପ୍ୟାକେଜିଂର ଅଭାବ ହେତୁ ବଜାରରେ ଆଦୃତ ହେବାରେ ବିଫଳ ହେଉଥିବା ଦର୍ଶାଇଥିଲେ । ସେ ଦିଗରେ ପାରଦର୍ଶିତା ପ୍ରଦର୍ଶନ ନିମନ୍ତେ କେତେକ ବଛା ବଛା ଅଧିକାରୀମାନଙ୍କୁ ମାଷ୍ଟର ଟ୍ରେନିଂ ପାଇଁ କୋଲକତାଠାରେ ହେବାକୁ ଥିବା ଟ୍ରେନିଂ ନିମେନ୍ତ ପଠାଇବାକୁ ପରାମର୍ଶ ଦିଆଯାଇଥିଲା । ସେମାନେ ତାଲିମରୁ ଫେରି ଅନ୍ୟମାନଙ୍କୁ ଅନୁରୂପ ତାଲିମ ପ୍ରଦାନ କରିବେ। ଏପରି କି କେତେକ ଷ୍ଟାର୍ଟ ଅପ୍‌ମାନଙ୍କୁ ମଧ୍ୟ ପ୍ୟାକେଜିଂ ୟୁନିଟ୍‌ ପ୍ରତିଷ୍ଠା ନିମନ୍ତେ ପ୍ରୋତ୍ସାହିତ କରାଯିବ।

ଆଇଇସିରେ ସୁନ୍ଦର ଓ ଆକର୍ଷଣୀୟ ପୋଷ୍ଟର ତିଆରି କରି ବିଭିନ୍ନ ସ୍ଥାନରେ ଲଗାଇବା ଏବଂ ପ୍ରଚାର ସାମଗ୍ରୀ ବିକଶିତ କରିବା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଯେଉଁ ଉଦ୍ୟୋଗଗୁଡ଼ିକ କୋଭିଡ୍‌ ପ୍ୟାକେଜ୍‌ ପାଇଛନ୍ତି ସେମାନଙ୍କୁ ପତ୍ର ଲେଖି ରାଜ୍ୟର ଅର୍ଥନୀତିରେ ତାଙ୍କର ଯୋଗଦାନକୁ ପ୍ରଶଂସା କରିବା ଉପରେ ଆଲୋଚନା କରାଯାଇଥିଲା । ଏଥି ସହିତ ବିଭାଗର ଯେଉଁସବୁ ସୁବିଧା କେନ୍ଦ୍ର ରହିଛି ସେଠାରେ ଆଇଇସି ପ୍ରଚାର ପତ୍ରଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ଏହି କାର୍ଯ୍ୟ କରିବା ପାଇଁ ସାଧାରଣ ପରିଚାଳକମାନଙ୍କୁ ଅର୍ଥ ପ୍ରଦାନ କରାଯାଇଥିବା ଦର୍ଶାଯାଇଥିଲା । ଜିଲ୍ଲାଗୁଡ଼ିକ ଜିଲ୍ଲା ପାଳମାନଙ୍କ ପରାମର୍ଶ ଅନୁସାରେ ଅନ୍ତତଃ ୩ ବର୍ଷିଆ ସମ୍ଭାବ୍ୟ ଜିଲ୍ଲା ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ସେହି ପରି ପିଏମ୍‌ଇଜି ପରି ଏକ କଫି ଟେବୁଲ ପୁସ୍ତିକା ମୁଦ୍ରଣ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି । ତା’ଛଡ଼ା ଦୈନନ୍ଦିନ ହାସଲ କରୁଥିବା ଉଲ୍ଲେଖନୀୟ ଘଟଣାବଳୀକୁ ଟୁଇଟ୍‌ କରି ସୋସିଆଲ୍‌ ମିଡ଼ିଆରେ ଦେବା ପାଇଁ ପ୍ରକ୍ରିୟାକୁ ଅପ୍‌ଡେଟ୍‌ କରିବାକୁ ପରାମର୍ଶ ଦିଆଯାଇଥିଲା ।

ପ୍ରମୁଖ ସଚିବ ‘ଉଦ୍ୟମ’ ଅଧୀନରେ ପଂଜୀକରଣ ଉତ୍ସାହଜନକ ହୋଇ ପାରି ନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିଥିଲେ । ଷ୍ଟାର୍ଟ ଅପ୍‌ରେ ସ୍ୱତନ୍ତ୍ର ଭାବେ ଏକ ଭିଡ଼ିଓ କନ୍‌ଫରେନ୍ସିଂ କରିବାକୁ ପ୍ରସ୍ତାବ ରଖାଯାଇଛି । ତା’ଛଡ଼ା ଶିଳ୍ପାଞ୍ଚଳଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବାକୁ କୁହାଯାଇଥିଲା ।

ପିଏମ୍‌ଇଏଫ୍‌ ଯୋଜନାରେ ଓଡ଼ିଶା ଦେଶରେ ଦ୍ୱିତୀୟ ରାଜ୍ୟ ଭାବେ ପରିଗଣିତ ହୋଇଥିବା ଖୁସିର ବିଷୟ । ଉତ୍ତର ପ୍ରଦେଶ ପ୍ରଥମ ଓ ଓଡ଼ିଶା ଦ୍ୱିତୀୟ ସ୍ଥାନ ହାସଲ କରିଛି । ତେଣୁ ଆଗାମୀ ଦିନରେ ଅଧିକ ପରିଶ୍ରମ କରି ଦେଶରେ ପ୍ରଥମ ହେବାକୁ କାର୍ଯ୍ୟ କରିବାକୁ କୁହାଯାଇଛି । ସେହି ପରି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଚଳିତ ଆର୍ଥିକ ବର୍ଷରେ ତା’ର କାରବାରକୁ ଗତବର୍ଷ ୫୨୨ କୋଟି ସ୍ଥାନରେ ଏଥର ୬୧୨ କୋଟିରେ ପହଞ୍ଚି ପାରିଥିବା ଯୋଗୁଁ ଖୁସି ବ୍ୟକ୍ତ କରାଯାଇଛି ।

ବିଶେଷ ଭାବେ ଜାତୀୟ ରାଜ ପଥକୁ ବିଟୁମେନ୍‌ ବିକ୍ରୟ ଆରମ୍ଭ କରାଯିବା, ଉଚ୍ଚଶିକ୍ଷା ବିଭାଗର ନିର୍ମାଣ କାର୍ଯ୍ୟ ହାତକୁ ନେବା ଏବଂ ଶକ୍ତି ବିଭାଗର ବିଦୁ୍ୟତ କାର୍ଯ୍ୟ କରିବା ଯୋଗୁଁ ଏହା ସମ୍ଭବ ହୋଇ ପାରିଥିବା କୁହାଯାଇଛି । ୨୦୨୨ରେ ଏହାକୁ ୭୫୦ କୋଟି ଏବଂ ୨୦୨୩ ବେଳକୁ ୧ ହଜାର କୋଟିରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସେହି ପରି ଓଡ଼ିଶା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ରାଜ୍ୟ ଯାହା ପ୍ରତି ଜିଲ୍ଲାରେ ଜିଲ୍ଲା ରପ୍ତାନୀ କମିଟି ଗଠନ କରି ପାରିଛି । ଏଥି ସହିତ ଜିଲ୍ଲା ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ଏବଂ ଜିଲ୍ଲାଓ୍ୱାରୀ ଉତ୍ପାଦ ଚିହ୍ନଟ କରାଯାଇ ପାରିଛି । ରତ୍ପାନୀ ପ୍ରୋତ୍ସାହନ ଚଳିତ ଆର୍ଥିକ ବର୍ଷରେ ମାର୍ଚ୍ଚ ଶେଷ ସୁଦ୍ଧା ୭୫ ହଜାର କୋଟିରେ ପହଞ୍ଚି ପାରିଛି । ଗତବର୍ଷ ଏହା ୪୭ ହଜାର କୋଟି ଥିଲା । ତା’ଛଡ଼ା ବାର୍ଷିକ ଋଣ ଯୋଜନାରେ ରାଜ୍ୟ ୩୨ କୋଟି ଟଙ୍କା ଋଣ ପ୍ରଦାନ କରିବାରେ ସମର୍ଥ ହୋଇ ପାରିଛି ।

ଓଡ଼ିଶା ରାଜ୍ୟରେ ପ୍ରଥମ ଥର ପାଇଁ ଏମ୍‌ଏସ୍‌ଏମ୍‌ଇ ସେନ୍‌ସସ୍‌ କାର୍ଯ୍ୟକ୍ରମ ହାତକୁ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଫଳରେ ଏକ ପୂର୍ଣ୍ଣାଙ୍ଗ ଡାଟାବେସ୍‌ ବିଭାଗ ପାଖରେ ରହିବ ଏବଂ ଏହା ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିବ। ତେଣୁ ଏହି ଦୂରଦର୍ଶୀ କାର୍ଯ୍ୟକ୍ରମକୁ କ୍ରିୟାନ୍ୱିତ କରିବା ପାଇଁ ଏହାର ପ୍ରକ୍ରିୟା ଉ ପରେ ଅଧିକ ଜୋର ଦିଆଯାଇଛି। ଏହି ଗଣନାରେ ରାଜ୍ୟରେ କେତେ ଉଦ୍ୟୋଗ ରହିଛି, ତା’ମଧ୍ୟରେ କେତେ କାର୍ଯ୍ୟକ୍ଷମ ରହିଛି, କେତେ ବନ୍ଦ ରହିଛି, କେଉଁ ପ୍ରକାରର ଉଦ୍ୟୋଗ, ଉଦ୍ୟୋଗର ସଠିକ୍‌ ଠିକଣା, କାର୍ଯ୍ୟ କରୁଥିବା ମାନବସମ୍ବଳର ସଂଖ୍ୟା, ବାର୍ଷିକ ଆୟବ୍ୟୟ, ଉଦ୍ୟୋଗୀ ମହିଳା କି ପୁରୁଷ ଇତ୍ୟାଦି ଅନେକ ତଥ୍ୟ ରହିବ। ଏଥିପାଇଁ ଏକ ମଡେଲ ତଥ୍ୟ ସଂଗ୍ରହ ଫର୍ମାଟ ବିକଶିତ କରିବାକୁ ପରାମର୍ଶ ଦିଆଯାଇଛି।

ପିଏମ୍‌ଏଫ୍‌ଏମ୍‌ଇ ଯୋଜନାରେ ଓଡ଼ିଶା ସାରା ଭାରତରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସେହି ପରି ୮୨ କୋଟି ଟଙ୍କା ବ୍ୟୟରେ ଏକ ନୂତନ ଓ ଅତ୍ୟାଧୁନିକ ଖଦୀ ଭବନ ନିର୍ମାଣ କରି ଖଦୀର ବହୁଳ ପ୍ରଚାର ପ୍ରସାର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ବିଭାଗ ଏହି ସଫଳତାର ହାର ବଜାୟ ରଖି ଓଡ଼ିଶାକୁ ଦେଶର ସର୍ବୋତ୍କୃଷ୍ଟ ରାଜ୍ୟରେ ପରିଣତ କରିବା ପାଇଁ ଉଦ୍ୟମ କରିବାକୁ ମାନ୍ୟବର ମନ୍ତ୍ରୀ କ୍ୟାପଟେନ୍‌ ମିଶ୍ର ପରାମର୍ଶ ଦେଇଛନ୍ତି।