ରିଲାଏନ୍ସ ଜିଓ ପକ୍ଷରୁ ୧୦୦୦ ସହରରେ ୫ଜି ସେବାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି

Published: Jan 22, 2022, 9:33 pm IST

ଭୁବନେଶ୍ୱର: ରିଲାଏନ୍ସ ଜିଓ ଦେଶର ୧୦୦୦ଟି ସହରରେ ୫ଜି ସେବାର ଶୁଭାରମ୍ଭ ଲାଗି ପ୍ରସ୍ତୁତି କରୁଛି। କଂପାନି ନିଜର ୫ଜି ନେଟ୍‌ୱର୍କରେ ସ୍ୱାସ୍ଥ୍ୟ ସେବା ଓ ଶିଳ୍ପ ଅଟୋମେସନର ପରୀକ୍ଷଣ କରୁଛି। ୫ଜି ନେଟ୍‌ୱର୍କରେ ଅଧିକ ଡାଟା ଖର୍ଚ୍ଚ ହୁଏ, ତେଣୁ କଂପାନି ଅଧିକ ଡାଟା ବ୍ୟବହାର ହେଉଥିବା ଅଂଚଳ ଓ ଗ୍ରାହକମାନଙ୍କୁ ଚିହ୍ନଟ କରିବା ଲାଗି ହିଟ୍ ମ୍ୟାପ୍‌ସ, ୩ଡି ମ୍ୟାପ୍‌ସ ଓ ରେ-ଟ୍ରେସିଂ ପ୍ରଯୁକ୍ତି ବ୍ୟବହାର କରୁଛି। ଏହା ଦ୍ୱାରା ଗ୍ରାହକମାନଙ୍କ ଆବଶ୍ୟକତା ଅନୁସାରେ ଏକ ଦୃଢ଼ ନେଟ୍‌ୱର୍କ ପ୍ରସ୍ତୁତ କରାଯାଇପାରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ତ୍ରୈମାସିକ ଆର୍ଥିକ ଫଳାଫଳ ଘେଷଣାରୁ ଏହି ତଥ୍ୟ ଜଣାପଡିିଛି।

ଗ୍ରାହକ ଆଧାରିତ ୫ଜି ସମାଧାନ ବିକଶିତ କରିବା ଲାଗି ଜିଓ ପକ୍ଷରୁ ବିଭିନ୍ନ ପ୍ରକାର ଟିମ୍ ଗଠନ କରାଯାଇଛି। ସେମାନେ ଯେଭଳି ବିଭିନ୍ନ ପ୍ରକାରର ୫ଜି ସମାଧାନ ବିକଶିତ କରିପାରିବେ ସେଥିପାଇଁ ସେମାନଙ୍କୁ ଭାରତ ସହିତ ଆମେରିକାରେ ମଧ୍ୟ ମୂତୟନ କରାଯାଇଛି। କଂପାନିର ଏହି ବିଶ୍ୱାସ ରହିଛି ଯେ ଏହି ଟିମ୍ ଗୁଡିକ ଏଭଳି ୫ଜି ସମାଧାନ ପ୍ରସ୍ତୁତ କରିବ ଯାହା ବୈଷୟିକ ଦୃଷ୍ଟିକୋଣରୁ ବିଶ୍ୱସ୍ତରର ସମକକ୍ଷ ରହିବ କିମ୍ବା ତା’ଠାରୁ ଅଧିକ ଉନ୍ନତ ହେବ। ଏହା ବ୍ୟତୀତ କଂପାନି ୟୁରୋପରେ ଏକ ପ୍ରଯୁକ୍ତି ଟିମ୍ ଗଠନ କରିଛି ଯାହା ୫ଜି ପରବର୍ତୀ ବ୍ୟବସ୍ଥା ପ୍ରସ୍ତୁତ କରିବା କାର୍ଯ୍ୟ କରିବ।

୫ଜିକୁ ଶୀଘ୍ର ମୂତୟନ କରିବା ଲାଗି କଂପାନି ପକ୍ଷରୁ ଭିତିଭୂମି ଢ଼ାଂଚାକୁ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି କରାଯାଉଛି। ସାଇଟ୍‌ଗୁଡ଼ିକରେ ଫାଇବର୍ ଓ ବିଦ୍ୟୁତ ଉପଲବ୍ଧତାକୁ ବୃଦ୍ଧି କରାଯାଉଛି। ଏହା ଦ୍ୱାରା ଯେତେବେଳେ ୫ଜି ପ୍ରଚଳନ କରିବାର ସମୟ ଆସିବ ସେଥିରେ କୌଣସି ବିଳମ୍ବ ବା ସମସ୍ୟା ହେବ ନାହିଁ।

କମ୍ପାନୀ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ପାଇଁ ଘୋଷଣା କରାଯାଇଥିବା ଫଳାଫଳ ଅନୁଯାୟୀ ରିଲାଏନ୍ସ ଜିଓର ହାରାହାରି ଗ୍ରାହକ ପିଛା ରାଜସ୍ୱ (ଆର୍‌ପୁ) ବୃଦ୍ଧି ପାଇ ପ୍ରତି ଗ୍ରାହକ ପିଛା ପ୍ରତି ମାସିକ ହାରାହାରି ୧୫୧.୬ ଟଙ୍କା ହୋଇଛି। ପ୍ରତି ଗ୍ରାହକ ପିଛା ମାସିକ ଭଏସ୍ ଓ ଡାଟା ବ୍ୟବହାରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ଜିଓ ନେଟ୍‌ୱର୍କରେ ପ୍ରତି ଗ୍ରାହକ ମାସକୁ ହାରାହାରି ୧୮.୪ ଜିବି ଡାଟା ବ୍ୟବହାର କରୁଛନ୍ତି ଓ ୯୦୧ ମିନିଟ୍ ଭଏସ୍ କଲ୍‌ରେ କଥାବାର୍ତା ହେଉଛନ୍ତି।

ଜିଓର ମୋଟ ଗ୍ରାହକ ସଂଖ୍ୟା ଏବେ ପ୍ରାୟ ୪୨ କୋଟି ୧୦ ଲକ୍ଷ ପାଖାପାଖି ରହିଥିବା ବେଳେ ଜିଓ ଫାଇବର୍ ଗ୍ରାହକ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିବା ସହ ଦୃତ ଗତିରେ ବୃଦ୍ଧିପାଉଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ଆର୍ଥିକ କ୍ଷେତ୍ରରେ ମଧ୍ୟ ଜିଓ ଜୋରଦାର ପ୍ରଦର୍ଶନ କରିଛି। ଗତବର୍ଷ ତୁଳନାରେ ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ଏହି ତ୍ରୈମାସିକରେ ୮.୮% ବୃଦ୍ଧି ପାଇ ୩,୭୯୫ କୋଟି ଟଙ୍କା ହୋଇଛି। ନିକଟରେ କଂପାନି ୨୦୩୫ ପର୍ଯ୍ୟନ୍ତର ବକେୟା ୩୦,୭୯୧ କୋଟି ଟଙ୍କାର ସ୍ପେକ୍ଟ୍ରମ୍ ଚାର୍ଜ ମଧ୍ୟ ଆଗୁଆ ପଇଠ କରିସାରିଛି। ଏଥିପାଇଁ ସୁଧ ବାବଦରେ ବାର୍ଷିକ ୧୨୦୦ କୋଟି ଟଙ୍କାର ସଂଚୟ ହେବ ବୋଲି କମ୍ପାନୀ ପକ୍ଷରୁ ଆକଳନ କରାଯାଇଛି।

Related posts