ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

Published: Feb 4, 2022, 7:39 pm IST

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଦେଇଛନ୍ତି। କେବଳ ଏତିକି ନୁହେଁ, ଗୌତମ ଆଦାନୀ ମଧ୍ୟ ଦୁନିଆର ଦଶମ ଧନୀ ବ୍ୟକ୍ତି ହୋଇପାରିଛନ୍ତି।

ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୯୦.୧ ବିଲିୟନ ଡଲାର ଥିବାବେଳେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ୮୯.୪ ବିଲିୟନ ଡ଼ଲାର ଅଟେ। ଗୌତମ ଆଦାନୀ କେବଳ ମୁକେଶ ଅମ୍ବାନୀଙ୍କୁ ନୁହେଁ ମେଟାର ମାର୍କ ଜୁକରବର୍ଗଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ଏଥି ସହିତ, ଏଲୋନ୍ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଆଖ୍ୟା ଅର୍ଜନ କରିଛନ୍ତି, ତାଙ୍କର ସମ୍ପତ୍ତି ମୂଲ୍ୟ ହେଉଛି ୨୩୨.୩ ବିଲିୟନ ଡ଼ଲାର୍।

ଫୋର୍ବସ୍ ଅନୁଯାୟୀ, ଗତ ୧ ଦିନରେ ମୁକେଶ ଅବାନୀଙ୍କ ସମ୍ପତ୍ତି ୨.୨ ବିଲିୟନ ଡ଼ଲାରରେ ହ୍ରାସ ପାଇଛି, ଯେଉଁ କାରଣରୁ ତାଙ୍କର ସମ୍ପତ୍ତି ୮୯ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ ଗୌତମ ଆଦାନୀ ଏବଂ ପରିବାରର ସମ୍ପତ୍ତିରେ ୬୭୨ ମିଲିୟନ ଡଲାରର ହ୍ରାସ ଘଟିଛି। ଅନ୍ୟପକ୍ଷରେ, ଯଦି ଆମେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ବିଷୟରେ କଥା ହେବା, ତେବେ ଗତ ୧ ଦିନରେ ତାଙ୍କର ନିଟ୍ ମୂଲ୍ୟ ୩.୩ ବିଲିୟନ ଡ଼ଲାର୍ ହ୍ରାସ ପାଇଛି। ଏହା ସତ୍ତ୍ୱେ ଏଲୋନ୍ ମସ୍କ ଫୋର୍ବସ୍ ଇଣ୍ଡେକ୍ସରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଆମାଜନର ଜେଫ୍ ବେଜୋସଙ୍କ ଧନ ହ୍ରାସ ହେତୁ ସେ ଗୋଟିଏ ସ୍ଥାନକୁ ଖସି ତୃତୀୟ ସ୍ଥାନକୁ ଆସିଛନ୍ତି।

ଏହି ଧନୀ ଲୋକଙ୍କ ଧନରେ ପରିବର୍ତ୍ତନ ହେବାର ପ୍ରକୃତ କାରଣ ହେଉଛି ବିଶ୍ଵର ଷ୍ଟକ୍ ମାର୍କେଟରେ ଅବନତି। ଏହି ପତନ ହେତୁ ମେଟାର ମାର୍କ ଜୁକରବର୍ଗ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଗୁରୁବାର ଦିନ ତାଙ୍କ କମ୍ପାନୀର ସେୟାର ୨୬ ପ୍ରତିଶତ ହ୍ରାସ ପାଇଛି, ଯେଉଁ କାରଣରୁ ତାଙ୍କ ସମ୍ପତ୍ତି ୨୬ ବିଲିୟନ ଡ଼ଲାରରେ ହ୍ରାସ ପାଇଛି।

Related posts