ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା: ସମାଜବାଦୀ ପାର୍ଟି

Published: Mar 23, 2022, 7:42 am IST

ଭୁବନେଶ୍ୱର: ସରକାରଙ୍କର ଭୁଲ୍ ଅର୍ଥନୀତି ଯୋଗୁ ଖାଉଟିଙ୍କ ଉପରେ ଦରଦାମ୍‌ର ବୋଝ ଦିନକୁ ଦିନ ବଢିଚାଲିଛି। ବଜାରରେ ଅଟା, ଡ଼ାଲି, ଚାଉଳ, ଖାଇବା ତେଲ, ଚିନି ଓ ମଇଦା ପ୍ରଭୃତି ଖାଦ୍ୟ ପଦାର୍ଥର ଦାମ୍ ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁ ହୁ ହୋଇ ବଢୁଛି। ବଜାର ଦର ବଢିଚାଲିଥିଲା ବେଳେ ପେଟ୍ରୋଲ, ଡ଼ିଜେଲର ଦର ବୃଦ୍ଧି ଏହାକୁ ଆହୁରି ପ୍ରଭାବିତ କରିବ ଏବଂ ଏହାର ପରୋକ୍ଷ ପ୍ରଭାବ ପରିବହନ ଉପରେ ପଡ଼ିବା ଫଳରେ ଅତ୍ୟାବଶ୍ୟକ ସମାଗ୍ରୀର ପରିବହନ ଖର୍ଚ୍ଚ ଆହୁରି ବଢିଯିବ। ଫଳରେ ଏହା ଦରଦାମ୍‌କୁ ମଧ୍ୟ ପ୍ରଭାବିତ କରିବ। ସେହିଭଳି ରନ୍ଧନ ଗ୍ୟାସ୍‌ର ଦାମ ଅକ୍ଟୋବର ୬ ତାରିଖ ପରେ ୫୦ ଟଙ୍କା ବଢି ଆଜି ଭୁବନେଶ୍ୱରରେ ୯୭୬ ଟଙ୍କା ୫୦ ପଇସାରେ ପହଞ୍ଚିଛି। ଏହା କେନ୍ଦ୍ର ସରକାରଙ୍କର ରୋଷେଇଘର ଉପରେ ସିଧାସଳଖ ଆକ୍ରମଣ ବୋଲି ସମାଜବାଦୀ ପାର୍ଟି ରାଜ୍ୟ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏହି ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନଗ୍ୟାସ୍ ଦର ବୃଦ୍ଧିକୁ ବୋଝ ଉପରେ ନଳିତା ବିଡ଼ା ସଦୃଶ ବୋଲି ଅଭିହିତ କରିବା ସହିତ ଏହା କେନ୍ଦ୍ର ସରକାରଙ୍କ କଣ ଦେଶବାସୀଙ୍କ ହୋଲି ଉପହାର ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି। ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପୂର୍ବରୁ ଭାରତବର୍ଷକୁ ଯେଉଁ ଆଚ୍ଛାଦିନର ସ୍ୱପ୍ନ ଦେଖାଇଥିଲେ, ଖାଉଟି ସାମଗ୍ରୀ ସମେତ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍‌ର ଦର ବୃଦ୍ଧି କଣ ‘ନୂଆ ଭାରତ’ର ‘ଆଚ୍ଛାଦିନ’? ବୋଲି ଶ୍ରୀ ବେହେରା ପ୍ରଶ୍ନ କରିବା ସହିତ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସମସ୍ତ ବିରୋଧୀ ଦଳ ଦରଦାମ ଓ ବେକାରୀ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସେ ଆହ୍ୱାନ କରିଛନ୍ତି। ଆଜି ଯେତେବେଳେ ଆମେ ଡକ୍ଟର ରାମ ମନୋହର ଲୋହିଆଙ୍କର ୧୧୨ତମ ଜୟନ୍ତୀ ପାଳନ କରିବାକୁ ଯାଉଛେ ‘ଦାମ୍ ବାନ୍ଧୋ’ ଥିଲା ଡଃ ରାମ ମନୋହର ଲୋହିଆଙ୍କର ଜନ ଆନ୍ଦୋଳନର ଏକ ପ୍ରମୁଖ ଅଂଶ। ତେଣୁ ଦରଦାମ୍ ଆନ୍ଦୋଳନକୁ ସାଧାରଣ ଖାଉଟିର ସୁରକ୍ଷାକୁ ସକ୍ରିୟ କରିବା ହିଁ ହେବ ଡ଼ଃ ଲୋହିଆଙ୍କ ପ୍ରତି ତାଙ୍କ ୧୧୨ତମ ଜନ୍ମଜୟନ୍ତୀରେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Related posts