ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲ ମାସରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଛି। ସେଥିମଧ୍ୟରୁ କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ୍) ଏବଂ ତାହାର ସହଯୋଗୀ ସଂସ୍ଥାଗୁଡିକ ଏହି ମାସରେ ୫୩୪.୭ଲକ୍ଷ ଟନ୍ କୋଇଲା ଉତ୍ପାଦନ କରିଥିବାବେଳେ ସିଙ୍ଗରେନି କୋଲେରିଜ କମ୍ପାନୀ ଲିମିଟେଡ (ଏସ୍ସିସିଏଲ) ଦ୍ୱାରା ୫୩.୨୩ ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଛି। ଏହା ବ୍ୟତୀତ ନିଜସ୍ୱ କୋଇଲା ଖଣିରୁ ଏହି ମାସରେ ଉତ୍ପାଦିତ ହୋଇଥିବା କୋଇଲାର ପରିମାଣ ୭୩.୬୧ ଲକ୍ଷ ଟନ୍।
କୋଇଲା ମନ୍ତ୍ରଣାଳୟର ଅଣଚୂଡାନ୍ତ ତଥ୍ୟ ଅନୁସାରେ ଗତ ଏପ୍ରିଲ ମାସରେ ଦେଶରେ ମୋଟ କୋଇଲା ଯୋଗାଣ ଚାହିଦା ଥିଲା ୭୦୮.୬୮ଲକ୍ଷ ଟନ୍। ଏହି ମାସରେ କେବଳ ଶକ୍ତି କ୍ଷେତ୍ରର କୋଇଲା ଆବଶ୍ୟକତା ୬୧୭.୨ଲକ୍ଷ ଟନ୍ରେ ପହଞ୍ଚିଥିଲା। ସେଥିମଧ୍ୟରୁ କୋଲ ଇଣ୍ଡିଆ ଶକ୍ତି କ୍ଷେତ୍ରକୁ ଏକା ୪୯୭.୩୯ ଲକ୍ଷ ଟନ୍ କୋଇଲା ଯୋଗାଇଥିଲା।
ଏବର୍ଷ ଏପ୍ରିଲ ମାସରେ କୋଲ ଇଣ୍ଡିଆର କୋଇଲା ଉତ୍ପାଦନ ସର୍ବାଧିକ ଥିଲା। ସେହି ମାସରେ କୋଲ ଇଣ୍ଡିଆ ୫୩୪.୭ଲକ୍ଷ ଟନ କୋଇଲା ଉତ୍ପାଦନ କରି ୬. ୦୨ଶତାଂଶ ଅଭିବୃଦ୍ଧି ହାସଲ କରିଥିଲା। ଏହା ପୂର୍ବରୁ ସିଆଇଏଲ ୨୦୧୯ ସର୍ବାଧିକ ୪୫୦.୨୯ଲକ୍ଷ ଟନ୍ କୋଲଇା ଉତ୍ପାଦିତ କରିଥିଲା। ସେହିଭଳି କୋଇଲାର ସର୍ବାଧିକ ଯୋଗାଣ ସେହିବର୍ଷ ଏପ୍ରିଲରେ ଥିଲା ୫୭୦.୫୫ଲକ୍ଷ ଟନ୍। ଏହା ପରେ ୨୦୨୧ ଏପ୍ରିଲରେ କୋଇଲାର ସର୍ବୋଚ୍ଚ ଯୋଗାଣ ୫୪୦.୧୨ଲକ୍ଷ ଟନ୍ ହୋଇଥିଲା।
୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ କୋଇଲା ଉତ୍ପାଦନ ଥିଲା ୭୭୭୦. ୨୩ ଲକ୍ଷ ଟନ(ତଥ୍ୟ ଅଣଚୂଡାନ୍ତ) । ୨୦୨୦-୨୧ ବର୍ଷରେ ଦେଶରେ ମୋଟ ୭୧୬୦ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଥିଲା। ତେଣୁ ବର୍ଷକ ମଧ୍ୟରେ କୋଇଲା ଉତ୍ପାଦନରେ ୮.୫୫ ଶତାଂଶ ଅଭିବୃଦ୍ଧି ଘଟିଥିଲା। କୋଲ ଇଣ୍ଡିଆ(ସିଆଇଏଲ୍)ର ଉତ୍ପାଦନ ୨୦୨୦-୨୧ରେ ୫୯୬୦-୨୪ ଲକ୍ଷ ଟନ୍ ଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୬୨୨୦.୬୪ ଲକ୍ଷ ଟନ୍ରେ ପହଂଚି ୪.୪୩ ଶତାଂଶ ବଢିଛି।
ସିଂଗରେନି କୋଇଲା କମ୍ପାନୀ ୨୦୨୧-୨୨ରେ ପୂର୍ବ ବର୍ଷ ତୁଳନାରେ ୨୮.୫ ଶତାଂଶ ଅଧିକ କୋଇଲା ଉତ୍ପାଦନ କରିଥିଲା। ସେହିବର୍ଷ ଏହି କମ୍ପାନୀ ଦ୍ୱାରା ଉତ୍ପାଦିତ କୋଇଲାର ପରିମାଣ ଥିଲା ୬୫୦.୦୨ ଲକ୍ଷ ଟନ। ତା ପୂର୍ବବର୍ଷ ଅର୍ଥାତ୍ ୨୦୨୦-୨୧ରେ ଏହି କମ୍ପାନୀ ମୋଟ ୫୦୦. ୫୮ ଲକ୍ଷ ଟନ୍ କୋଇଲା ଉତ୍ପାଦନ କରିଥିଲା ।
ସେହିଭଳି ନିଜସ୍ୱ ଖଣିଗୁଡିକରୁ କୋଇଲା ଉତ୍ପାଦନ ୨୦୨୦-୨୧ରେ ୬୯୦.୧୮ଲକ୍ଷ ଟନ୍ ଥିବାବେଳେ ୨୦୨୧-୨୨ରେ ଏହା ୮୯୦.୫୭ ଲକ୍ଷ ଟନରେ ପହଞ୍ଚଛି। ୨୦୨୧-୨୨ ବର୍ଷରେ ମୋଟ କୋଇଲା ଯୋଗାଣ ପରିମାଣ ଥିଲା ୮୧୮୦.୦୪ ଲକ୍ଷ ଟନ୍। ୨୦୨୦-୨୧ବର୍ଷରେ ମୋଟ ୬୯୦୦.୭୧ଲକ୍ଷ ଟନ କୋଇଲା ବିଭିନ୍ନ ବ୍ୟବହାରକାରୀଙ୍କୁ ଯୋଗାଇ ଦିଆଯାଇଥିଲା।
ବର୍ଷକରେ କୋଇଲା ଯୋଗାଣ କ୍ଷେତ୍ରରେ ୧୮.୪୩ ଶତାଂଶ ଅଭିବୃଦ୍ଧି ହାସଲ କରାଯାଇଛି। ଏହି ସମୟ ମଧ୍ୟରେ କୋଲ ଇଣ୍ଡିଆ ଲିମିଟେଡ ୬୬୧୦.୮୫ ଲକ୍ଷ ଟନ୍ କୋଇଲା ଯୋଗାଇ ଦେଇଥିଲା। ତା’ପୂର୍ବ ବର୍ଷ ଅର୍ଥାତ୍ ୨୦୨୦-୨୧ରେ କୋଲଇଣ୍ଡିଆର ମୋଟ କୋଇଲା ଯୋଗାଣ ପରିମାଣ ଥିଲା ୫୭୩୦. ୮୦ ଲକ୍ଷ ଟନ୍।