BREAKING: କମିବ ପେଟ୍ରୋଲ ଡିଜେଲ ମୂଲ୍ୟ, କେନ୍ଦ୍ର ସରକାର ହ୍ରାସ କଲେ ଏକ୍ସସାଇଜ ଡ୍ୟୁଟ

Published: May 21, 2022, 8:38 pm IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରୁଥିବାରୁ ପେଟ୍ରୋଲ ମୂଲ୍ୟ ଲିଟର ୯.୫ ଟଙ୍କା, ଡିଜେଲ ୭ ଟଙ୍କା ହ୍ରାସ ପାଇବ। ଶନିବାର ଦିନ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ ଲିଟରକୁ ୬ ଟଙ୍କା ହ୍ରାସ କରୁଥିବା କେନ୍ଦ୍ର ଘୋଷଣା କରିଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଟୁଇଟ୍‌ରେ କହିଛନ୍ତି ଯେ ଏହା ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯.୫ ଟଙ୍କା ଏବଂ ଡିଜେଲର ଲିଟର ୭ ଟଙ୍କା ହ୍ରାସ କରିବ।  ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ସରକାରଙ୍କ ପାଇଁ ବାର୍ଷିକ ୧ ଲକ୍ଷ କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟିବ।

ସେ କହିଛନ୍ତି, “ମୁଁ ସମସ୍ତ ରାଜ୍ୟ ସରକାରଙ୍କୁ ଉତ୍ସାହିତ କରିବାକୁ ଚାହୁଁଛି, ବିଶେଷକରି ଯେଉଁ ରାଜ୍ୟଗୁଡିକ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିନାହାଁନ୍ତି, ସେମାନେ ଏ କ୍ଷେତ୍ରରେ ସହଯୋଗ କରି ଜନସାଧାରଣ ଲୋକଙ୍କୁ ସୁବିଧା ପ୍ରଦାନ କରନ୍ତୁ।

ଏହା ପୂର୍ବରୁ ନଭେମ୍ବର ୩ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୫ ରୁ ୧୦ ଟଙ୍କା ହ୍ରାସ କରିଥିଲେ। ଏହି ଘୋଷଣା ପରେ ୧୯ ଟି ରାଜ୍ୟ ଏବଂ ସାତୋଟି କେନ୍ଦ୍ରଶାସିତ ଅଞ୍ଚଳ ଇନ୍ଧନ ଉପରେ ମୂଲ୍ୟଯୁକ୍ତ ଟିକସ ହ୍ରାସ କରିଛନ୍ତି। ହେଲେ ଅଣବିଜେରି ଶାସିତ ରାଜ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ ଏବଂ ଝାଡଖଣ୍ଡ କେନ୍ଦ୍ର ଘୋଷଣା ପରେ ମଧ୍ୟ ମୂଲ୍ୟ ହ୍ରାସ କରିନାହାଁନ୍ତି।

ଭାରତର ମୁଦ୍ରାସ୍ଫୀତି ବୃଦ୍ଧିରେ ଏକ ପ୍ରମୁଖ କାରଣ ହୋଇଛି ତୈଳ୍ୟ ଦର ବୃଦ୍ଧି। ଏପ୍ରିଲରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ଆଠ ବର୍ଷର ସର୍ବୋଚ୍ଚ ୭.୭୯% କୁ ବୃଦ୍ଧି ପାଇଛି। ଏହି ସମୟରେ, ହୋଲସେଲ ବଜାରରେ ମୂଲ୍ୟ ବୃଦ୍ଧି ସୂଚକ ଏପ୍ରିଲରେ ୧୫.୦୮% ଥିଲା। ଏହା କ୍ରମାଗତ ୧୩ ମାସ ପାଇଁ ବର୍ତ୍ତମାନ ଦୁଇ ଅଙ୍କରେ ରହିଆସିଛି।

Related posts