ଏହି ରାଜ୍ୟର ସମସ୍ତ ସରକାରୀ ଯାନ ହେବ ଇଲେକ୍ଟ୍ରିକ୍, ବିଭିନ୍ନ ସ୍ଥାନରେ ନିର୍ମାଣ ହେବ ଚାର୍ଜିଂ ଷ୍ଟେସନ୍

Published: Dec 18, 2022, 11:46 am IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ସରକାର ବ୍ୟବହାର କରୁଥିବା ସମସ୍ତ ଡିଜେଲ ଏବଂ ପେଟ୍ରୋଲ ଚାଳିତ ଯାନଗୁଡିକ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ବୈଦ୍ୟୁତିକ ଯାନ ଦ୍ୱାରା ବଦଳାଯିବ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଗଣମାଧ୍ୟମ ପରାମର୍ଶଦାତା ନରେଶ ଚୌହାନ କହିଛନ୍ତି ଯେ, ପରିବେଶକୁ ପରିଷ୍କାର ଏବଂ ସବୁଜ ରଖିବା ପାଇଁ ଇଭି କୁ ପ୍ରାଥମିକତା ଦିଆଯାଉଛି। ଆସନ୍ତା ୫ ବର୍ଷରେ ସରକାରୀ ବିଭାଗ କେବଳ ବୈଦ୍ୟୁତିକ ଯାନ କିଣିବ ଏବଂ ଚାର୍ଜିଂ ଷ୍ଟେସନ ମଧ୍ୟ ବୃଦ୍ଧି କରାଯିବ।

ନରେଶ ଚୌହାନ କହିଛନ୍ତି ଯେ, “ଆମେ ପରିବେଶ ସଂରକ୍ଷଣ କରିବୁ ଏବଂ ଶକ୍ତି ମଧ୍ୟ ସଞ୍ଚୟ କରିବୁ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସମସ୍ତ ସରକାରୀ ବିଭାଗରେ ବୈଦ୍ୟୁତିକ ଯାନ ବ୍ୟବହାର କରିବା ଲାଗି ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନଠାରୁ ବୈଦ୍ୟୁତିକ ଯାନ କ୍ରୟ କରାଯିବ ଏବଂ ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରାଯିବ।

ଏହାପୂର୍ବରୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂ ସୁଖୁ କହିଥିଲେ ଯେ, ସବୁଜ ଇନ୍ଧନ ଶୀଘ୍ର ଗ୍ରହଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବରିଷ୍ଠ ଅଧିକାରୀଙ୍କ ବୈଠକରେ ଅଧ୍ୟକ୍ଷତା କରି ସୁଖୁ କହିଛନ୍ତି ଯେ, ରାଜ୍ୟରେ ଯାନବାହନ ଚଳାଚଳ ବୃଦ୍ଧି ମଧ୍ୟରେ ସରକାର ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଇଭି ବିକ୍ରି ୧୮୫ ପ୍ରତିଶତ ବୃଦ୍ଧି:

ଦେଶରେ ବୈଦ୍ୟୁତିକ ଯାନ ବିକ୍ରି ଗତ ବର୍ଷ ତୁଳନାରେ ପ୍ରାୟ ୧୮୫ ପ୍ରତିଶତ ବୃଦ୍ଧି ହୋଇ ଅକ୍ଟୋବରରେ ୧,୧୧,୯୭୧ ୟୁନିଟରେ ପହଞ୍ଚିଛି। ଏଥିରେ ଯାତ୍ରୀବାହୀ ଯାନ ବିକ୍ରି ଅନ୍ତର୍ଭୁକ୍ତ। ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (FADA) କହିଛି ଯେ, ଗତ ବର୍ଷ ଅକ୍ଟୋବରରେ ବୈଦ୍ୟୁତିକ ଯାନ ବିକ୍ରି ୩୯,୩୨୯ ୟୁନିଟ୍ ଥିଲା। ଗତ ମାସରେ ମୋଟ ବୈଦ୍ୟୁତିକ ଯାତ୍ରୀବାହୀ ଯାନ ବିକ୍ରି ୧୭୮ ପ୍ରତିଶତକୁ ବୃଦ୍ଧି ପାଇ ୩,୭୪୫ ୟୁନିଟରେ ପହଞ୍ଚିଛି ଯାହା ପୂର୍ବ ବର୍ଷ ସମାନ ମାସରେ ୧,୩୪୬ ୟୁନିଟ୍ ଥିଲା।

Related posts