ନୂଆ ବର୍ଷରେ ମହଙ୍ଗାରୁ ମିଳିପାରେ ଆଶ୍ଵସ୍ତି, ହ୍ରାସ ହୋଇପାରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ

Published: Dec 22, 2022, 6:47 pm IST

ନୂଆଦିଲ୍ଲୀ: ନୂଆ ବର୍ଷରେ ସାଧାରଣ ଜନତାଙ୍କ ପାଇଁ ଖୁସି ଖବର ଘୋଷଣା କରାଯାଇପାରେ। ନୂଆ ବର୍ଷରେ ରୋଷେଇ କରିବା ଆପଣଙ୍କ ପାଇଁ ଶସ୍ତା ହୋଇପାରେ। ସରକାରୀ ତୈଳ କମ୍ପାନୀଗୁଡିକ ନୂତନ ବର୍ଷରେ ରନ୍ଧନ ଗ୍ୟାସ (ଏଲପିଜି) ମୂଲ୍ୟରେ ହ୍ରାସ ଘୋଷଣା କରିପାରନ୍ତି ବୋଲି ବିଶ୍ୱାସ ରହିଛି। ବାସ୍ତବରେ ଆଜିକାଲି ଅଶୋଧିତ ତୈଳ ମୂଲ୍ୟରେ ବହୁତ ହ୍ରାସ ଘଟିଛି। ସରକାରୀ ତୈଳକମ୍ପାନୀଗୁଡିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିପାରନ୍ତି।

୨୦୨୨ ମସିହାରେ ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ପ୍ରାୟ ୧୫୦ ଟଙ୍କା ବୃଦ୍ଧି କରିଛନ୍ତି। ଗତ ବର୍ଷ ଅକ୍ଟୋବର ୨୦୨୧ରେ, ଯେତେବେଳେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୮୫ ଡଲାର ଥିଲା, ଯେତେବେଳେ ଘରୋଇ ରନ୍ଧନ ଗ୍ୟାସ ୮୯୯ ଟଙ୍କାରେ ଉପଲବ୍ଧ ଥିଲା। ବର୍ତ୍ତମାନ ଅଶୋଧିତ ତୈଳ ବ୍ୟାରେଲ ପିଛା ପ୍ରାୟ ୮୩ ଡଲାର ଥିବାବେଳେ ଭାରତୀୟ ବାସ୍କେଟ ପ୍ରାଇସ ବ୍ୟାରେଲ ପିଛା ପ୍ରାୟ ୭୭ ଡଲାର ରହିଛି। ତେଣୁ ଏହି କାରଣରୁ ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରିପାରନ୍ତି ସରକାରୀ ତୈଳ କମ୍ପାନୀ।

ରନ୍ଧନ ଗ୍ୟାସର ମୂଲ୍ୟକୁ ନେଇ ମୋଦୀ ସରକାରଙ୍କ ଉପରେ ବିରୋଧୀ ଦଳ ଆକ୍ରମଣ କରୁଛନ୍ତି। ଭରତ ଯୋଡୋ ଯାତ୍ରାରେ ଥିବା ରାହୁଲ ଗାନ୍ଧୀ ଦାମୀ ରନ୍ଧନ ଗ୍ୟାସ ବିଷୟରେ କ୍ରମାଗତ ଭାବରେ ପ୍ରଶ୍ନ ଉଠାଉଛନ୍ତି ଏବଂ ୨୦୧୪ରେ କିପରି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୪୧୪ ଟଙ୍କା ଉପଲବ୍ଧ ଅଛି ତାହା ମନେ ପକାଇ ଦେଉଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନର କଂଗ୍ରେସ ସରକାର ୨୦୨୩ ମସିହା ଏପ୍ରିଲ ୧ ତାରିଖରେ ୫୦୦ ଟଙ୍କା ସିଲିଣ୍ଡର ଦେବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ଜୟପୁରରେ ବର୍ତ୍ତମାନର ମୂଲ୍ୟ ସିଲିଣ୍ଡର ପିଛା ୧୦୫୬ ଟଙ୍କା ରହିଛି। ଅର୍ଥାତ୍ ରାଜ୍ୟ ସରକାର ଅଧା ମୂଲ୍ୟରେ ଲୋକଙ୍କୁ ଏଲପିଜି ସିଲିଣ୍ଡର ଯୋଗାଇ ଦେବେ। ରାଜସ୍ଥାନ ସରକାରଙ୍କ ଏହି ନିଷ୍ପତ୍ତି ସହିତ କେନ୍ଦ୍ର ସରକାରଙ୍କ ଉପରେ ଚାପ ବୃଦ୍ଧି ପାଇଛି। ଏହି କାରଣରୁ ନୂଆ ବର୍ଷରେ ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ ହେବାର ଆଶା କରାଯାଉଛି।

Related posts